ଦୁଇ ଦିନିଆ ସିଡିଏମ୍ଓ ସମ୍ମିଳନୀ, ଖୁବଶୀଘ୍ର ଭିଜନ୍ ୨୦୨୫
ଭୁବନେଶ୍ବର : ରାଜ୍ୟରେ ଖୁବଶୀଘ୍ର ନୂତନ ସ୍ବାସ୍ଥ୍ୟନୀତି ପ୍ରଣୟନ ସହିତ ଭିଜନ୍ ୨୦୨୫ କାର୍ଯ୍ୟକାରୀ ହେବ। ଏହା ଅନୁସାରେ ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିଠାରୁ ଦୁଇଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ରାଜ୍ୟସ୍ତରୀୟ ସମ୍ମିଳନୀକୁ ଶ୍ରୀ ଦାସ ଉଦ୍ଘାଟନ କରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ସ୍ବାସ୍ଥ୍ୟସେବାର ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ନେଇ ନିୟମିତି ୧୦୦ଦିନିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ସ୍ବାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଗୁଣାତ୍ମକତାକୁ ଗୁରୁତ୍ବ ଦିଆଯିବ। ରାଜ୍ୟରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରିବା ସହିତ ନିର୍ଦ୍ଦିଷ୍ଟ ସମୟ ଭିତରେ ଆଉ କେତୋଟି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି। ଯାହାଫଳରେ ରାଜ୍ୟରେ ଅଧିକ ସଂଖ୍ୟାରେ ଡାକ୍ତର ସୃଷ୍ଟି ହେବେ। ନିକଟ ଭବିଷ୍ୟତରେ ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ଡାକ୍ତର ଓ ପାରାମେଡିକ ଉପଲବ୍ଧ ହେବା ସହିତ ରାଜ୍ୟରେ ଡାକ୍ତରଙ୍କ ଅଭାବ ଦୂର ହେବ। ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରୟାସ ଜାରି ରଖିଛି। ସାର୍ବଜନୀନ ସ୍ବାସ୍ଥ୍ୟସେବା ଉପଲବ୍ଧି ଲକ୍ଷ୍ୟରେ ୧୫ଟି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାଗୁଡ଼ିକର ସୁଫଳ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଶୃଙ୍ଖଳିତ ଓ ସମନ୍ବିତ ଉଦ୍ୟମ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ତୃଣମୂଳସ୍ତରରୁ ସ୍ବାସ୍ଥ୍ୟସେବା ବିକାଶ ସଂପର୍କିତ ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ଗ୍ରହଣ କରିବା ପାଇଁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ଏହି ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଜାତୀୟ ସ୍ବାସ୍ଥ୍ୟ ମିସନ୍ (ଏନଏଚଏମ)ର ନିର୍ଦେଶକ ମନୋଜ କୁମାର ଝଲାନି ଯୋଗଦେଇ ରାଜ୍ୟରେ ସ୍ବାସ୍ଥ୍ୟ ମିସନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟର ସଫଳତାକୁ ସେ ପ୍ରଶଂସା କରିଥିଲେ। ନିୟମିତ ସମୀକ୍ଷା, ଜ୍ଞାନ ଓ ଅଭିଜ୍ଞତା ବଳରେ ମିସନ୍ର ବିଭିନ୍ନ କାର୍ଯ୍ୟକ୍ରମ ଅତ୍ୟନ୍ତ ଫଳପ୍ରଦ ହୋଇପାରିବ। ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ମତ ବିନିମୟ କରି ମିସନ୍ର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲେଚନା କରିଥିଲେ। ରୋଗ ନିରାକରଣ କ୍ଷେତ୍ରରେ ଜିଲ୍ଲାସ୍ତରୀୟ ପୁରସ୍କାର ପ୍ରବର୍ତନ ପାଇଁ ସେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ।
ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ତାଙ୍କ ଭାଷଣରେ ରାଜ୍ୟରେ ସ୍ବାସ୍ଥ୍ୟସେବାର ସ୍ଥିତି, ବିକାଶ ଓ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଜାତୀୟ ସ୍ବାସ୍ଥ୍ୟ ମିସନ୍ର ନିର୍ଦେଶିକା ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉଦ୍ଘାଟନ ଅଧିବେଶନ ପରେ ଜାତୀୟ ସ୍ବାସ୍ଥ୍ୟ ମିସନ୍ ଓ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ନିରାମୟ, ସୁନେତ୍ର, ସହାୟ, ନିର୍ମଳ, ଟିକାକରଣ ଓ ଅଣସଂକ୍ରମିତ ରୋଗ ନିରାକରଣ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା ହୋଇଥିଲା।