ଗାଁକୁ ମାଡ଼ି ଆସିଲା ସମୁଦ୍ର ଜୁଆର

ବ୍ରହ୍ମଗିରି : କୃଷ୍ଣପ୍ରସାଦ ବ୍ଲକରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଗତକାଲି ରାତିରୁ ପ୍ରବଳ ବର୍ଷା ଫଳରେ ଏହି ବ୍ଳକର ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବିଶେଷ କରି ଅରଖକୁଦା, ସାନପାଟଣା ଓ ସିପବନ୍ତ ସାହିରେ ବର୍ଷାଜଳ ସାଙ୍ଗକୁ ସମୁଦ୍ର ଜୁଆର ମାଡ଼ି ଆସିବା ପରେ ଗାଁ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଳମ୍ବିତ ରାତିରେ ଚିଲିକା ଦେଇ ମାଡ଼ି ଆସିଥିବା ସମୁଦ୍ର ପାଣି ଗାଁ ଦାଣ୍ଡରେ ଲହଡ଼ି ମାରୁଛି। ଅରଖକୁଦା ଗାଁର ଭାଗବତ ସାହି, ହରଚଣ୍ଡି ସାହି, ଲକ୍ଷ୍ମୀ ନାରାୟଣ ସାହିରେ ଜୁଆର ଢେଉ ଭାଙ୍ଗିଛି। ତଳିଆ ଅଞ୍ଚଳର କିଛି ଲୋକଙ୍କ ଘରେ ଏହି ଜୁଆର ପାଣି ପଶିଥିବା ବେଳେ ୩୦ରୁ ଅଧିକ ଘରଦ୍ୱାର ଭାଙ୍ଗିଯାଇଛି। ସେପଟେ ଜଳବନ୍ଦୀ ଅବସ୍ଥାରେ ଗ୍ରାମବାସୀମାନେ ଥିବାରୁ ଉକ୍ତ ଗ୍ରାମଗୁଡ଼ିକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟାଜଳ ଯୋଗୁଁ ଅଖରକୁଦା ଓ ସିପବନ୍ତସାହି ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଚିଲିକା ସୁରକ୍ଷା ପ୍ରାଚୀର ନଷ୍ଟ ହୋଇ ଯାଇଥିବାରୁ ଜୁଆର ପାଣି ସିଧାସଳଖ ଗାଁ ମୁହାଁ ହୋଇଛି। ପ୍ରାକୃତିକ ମୁହାଣ ନଙ୍ଗାନାଶି ସହିତ ଅନ୍ୟ ମୁହାଣ ଦେଇ ପ୍ରବଳ ବେଗରେ ଜୁଆର ମାଡ଼ି ଆସୁଛି। ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର