ଚର୍ଚ୍ଚାରେ ସାବେରୀ ନଦୀ କୂଳ : ବାଲି ପଠାରୁ ମିଳୁଛି ସୁନା!

ମାଥିଲି : ସାବେରୀ ନଦୀ କୂଳରୁ ବାହାରୁଛି ୨୪କ୍ୟାରେଟ ସୁନା। ପୁଣି ବର୍ଷ ବର୍ଷ ଧରି। ଏଥିପାଇଁ ସକାଳୁ ସଂଜ ପର୍ଯ୍ୟନ୍ତ ଭିଡ଼। କାଳକ୍ରମେ କୌଳିକ ବୃତ୍ତିକୁ ଛାଡ଼ି ସୁନା ସଂଗ୍ରହରେ ଲାଗିଛନ୍ତି ଏହି ନଦୀକୂଳର ଆଖପାଖରେ ରହୁଥିବା କିଛି ପରିବାର। ସପ୍ତାହକୁ ୩ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିବା ଏମାନେ କୁହନ୍ତି। ଯଦିଓ ଶୁଣିବାକୁ ଏହା କୌତୂହଳ ଲାଗୁଛି। ତଥାପି ଏହା ନିରାଟ ସତ୍ୟ। ପ୍ରଶାସନ ନିକଟରେ ବି ଏନେଇ ଖବର ରହିଛି। ଆଗକୁ ଏହି ନଈକୂଳ ଅଞ୍ଚଳରେ ସର୍ବେକ୍ଷଣ କରିବାକୁ ମଧ୍ୟ ଆଲୋଚନା ଚାଲିଛି।

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଦୁର୍ଗମ କିଆଙ୍ଗ ପଞ୍ଚାୟତ ଅନ୍ତର୍ଗତ ସୁନାଝରିଆଗୁଡ଼ା ଗାଁ ଦେଇ ପ୍ରବାହିତ ହୋଇଛି ସାବେରୀ ନଦୀ। ନଦୀପଠା ସୁନେଲି ବର୍ଣ୍ଣରେ ଝଲସୁଥିବା ବେଳେ କିଛି ବର୍ଷ ତଳେ ଏହି ଅଞ୍ଚଳର ଲୋକେ ପାଇଥିଲେ ସୁନାର ସନ୍ଧାନ। ଏହାପରେ ନଦୀ କୂଳ ଆଖପାଖରେ ରହୁଥିବା କିଛି ପରିବାର ଏଠାରେ ସୁନା ସଂଗ୍ରହ କରୁଛନ୍ତି। ବର୍ଷା ଦିନକୁ ଛାଡ଼ିଦେଲେ ବାକି ଦିନରେ ଏମାନେ ପୂରା ପରିବାର ଏହି କାମରେ ନିୟୋଜିତ ହୁଅନ୍ତି। ସୁନା ସଂଗ୍ରହ କରିବାର ତରିକା ବି ଆଦୌ ଆଧୁନିକ ନୁହେଁ। ପ୍ରଥମେ ସୁନା ମିଶା ବାଲିକୁ ନଦୀ କୂଳରୁ ଖୋଲିବା ପରେ ତାହାକୁ ଗୋଟିଏ ଡଙ୍ଗାରେ ଭର୍ତି କରି ନଈ ଭିତରକୁ ପଶନ୍ତି। ଗୋଟିଏ ପାତ୍ରରେ ବାଲିକୁ ଢ଼ାଳି ତାହାକୁ ନଦୀ ପାଣିରେ ଦୀର୍ଘ ‌ସମୟ ପର୍ଯ୍ୟନ୍ତ ଧୋଇବା ପରେ ମାଟି ଓ ବାଲି ଅଲଗା ହୋଇଯାଏ। ପାତ୍ରରେ କେବଳ ସୁନା ରହିଯାଏ। ଭାଗ୍ୟରେ ଥିଲେ ଦିନକୁ ପ୍ରାୟ ୩ହଜାର ଟଙ୍କାର ସୁନା ମିଳେ। କେବେକେବେ କିଛି ବି ହାତକୁ ଲାଗେ ନାହିଁ। ତଥାପି ପାଣିରେ ବୁଡ଼ି ଏହି କାମ କରିବାକୁ କୌଣସି ସଂକୋଚ କରୁନାହାନ୍ତି।

୬ଦିନର ପରିଶ୍ରମ ପରେ ଗୁଣ୍ଡ ଅବସ୍ଥାରେ ଥିବା ସୁନାକୁ ତରଳାଇ ଗୋଟା ସୁନାରେ ପରିଣତ କରନ୍ତି। ଏହାପରେ ଜୟପୁର କିମ୍ବା ଅନ୍ୟ କୌଣସି ଅଞ୍ଚଳକୁ ନେଇ ବିକ୍ରି କରୁଥିବା ସ୍ଥାନୀୟ ଲୋକ କହୁଛନ୍ତି। ମାନ ନିର୍ଣ୍ଣୟ ସମୟରେ ସୁନା ବ୍ୟବସାୟୀ ଏହାକୁ ୨୪କ୍ୟାରେଟ ଖାଣ୍ଟି ସୁନା ବୋଲି ପ୍ରକାଶ କରନ୍ତି। ଛତିଶଗଡ଼ର ବନ୍ଧେଗାଁ ପର୍ଯ୍ୟନ୍ତ ନଈକୂଳରୁ ଏମିତି ସୁନା ବାହାରୁଥିବା ନେଇ ବି ଶୁଣିବାକୁ ମିଳିଛି। ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ କହିଛନ୍ତି ଯେ, ସେ ଗଣମାଧ୍ୟମରୁ ଏନେଇ ସୂଚନା ପାଇଛନ୍ତି। ମାଥିଲି ଅଞ୍ଚଳରେ ସୁନା ବାହାରୁଥିବା ଶୁଣିଛନ୍ତି। ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବା ସହ ଯଦି ସୁନାର ସନ୍ଧାନ ମିଳିବ ତେବେ ରାଜ୍ୟ ସରକାରଙ୍କୁ ଏ ନେଇ ଚିଠି ଲେଖାଯିବ ବୋଲି କହିଛନ୍ତି। ଅନ୍ୟପଟେ ନଦୀ ବାଲିରୁ ସୁନା ବାହାର କରିବା ପଦ୍ଧତି ଏବଂ ଏଠାକାର ଆଦିବାସୀଙ୍କ ଉଦ୍ୟମକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର