ସିସୋର ମାମଲା: ଡେଜିଗ୍‌ନେଟେଡ କୋର୍ଟ ମାମଲା ରଦ୍ଦ ଆବେଦନ ଖାରଜ

କଟକ: ଚିଟଫଣ୍ଡ ମାମଲା ପାଇଁ ଗଠିତ ଡେଜିଗ୍‌ନେଟେଡ୍‌ କୋର୍ଟରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଦାୟର କରିଥିବା ମାମଲା ହାଇକୋର୍ଟ ଖାରଜ କରିଛନ୍ତି। ଏହି ପ୍ରସଂଗକୁ ନେଇ ଶ୍ରୀ ଦାଶ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ମାତ୍ର ପୂର୍ବ ମାମଲା ଗୁଡିକ ସଂପର୍କରେ ଏହି ଆବେଦନରେ ସେ ସବିଶେଷ ତଥ୍ୟ ଦାଖଲ କରି ନଥିଲେ। ଏପରି ପରିସ୍ଥିତିରେ ସେ ପୂର୍ବ ମାମଲା ଗୁଡିକ ସଂପର୍କରେ ସବିଶେଷ ବିବରଣୀ ସହିତ ସାନି ଆବେଦନ ଦାଖଲ କରି ପାରିବେ। ତାଙ୍କ ବିରୋଧରେ ସିବିଆଇ ମାମଲା ଚାଲିଥିବା ବେଳେ ଡେଜିଗନେଟେଡ୍‌ କୋର୍ଟରେ ଓପିଆଇଡି ଆଇନରେ ରୁଜୁ ମାମଲା ମଧ୍ୟ ବିଚାରଧୀନ ରହିଛି। ସମାନ ଅଭିଯୋଗକୁ ନେଇ ତାଙ୍କ ବିରୋଧରେ ଦୁଇଟି ମାମଲା ଚାଲିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଶ୍ରୀ ଦାଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା ଯୋଗ୍ୟ ଯେ ସିସୋର ଠକେଇ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଶ୍ରୀ ଦାଶଙ୍କ ବିରୋଧରେ ୨୦୧୨, ଜୁଲାଇ ୧୮ରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ୨୦୧୪, ମାର୍ଚ୍ଚ ୨୨ରେ ଅଦାଲତରେ ଚାର୍ଜସିଟ ଦାଖଲ ହୋଇଥିଲା। ଅନ୍ୟପକ୍ଷରେ ସିସୋର ବିରୋଧରେ ଥିବା ଅଭିଯୋଗ ସଂପର୍କରେ ତଦନ୍ତ ପାଇଁ ୨୦୧୪, ଜୁନ୍‌ ୫ରେ ସିବିଆଇ ଦାୟିତ୍ୱ ନେଇଥିଲା। ତାଙ୍କ ବିରୋଧରେ ତଦନ୍ତ କରି ସିବିଆଇ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର