ସିସୋର ଚିଟ୍‌ଫଣ୍ଡ ଠକେଇ ଘଟଣା : ତୃତୀୟ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

୧୨୦ ପୃଷ୍ଠାର ଚାର୍ଜସିଟ୍‌, ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମେତ ୫ ଅଭିଯୁକ୍ତ

ଭୁବନେଶ୍ୱର : ବହୁ ଚର୍ଚ୍ଚିିତ ସିସୋର ଚିଟ୍‌ଫଣ୍ଡ ଠକେଇ ଘଟଣାରେ ଆଜି ସିବିଆଇ ପକ୍ଷରୁ ତୃତୀୟ ଥର ପାଇଁ ଚାର୍ଜସିଟ୍‌ ଦାଖଲ କରାଯାଇଛି। ତଦନ୍ତକାରୀ ଅଫିସର ଓ ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଶନିବାର ଅପରାହ୍ନରେ ଏହି ଚାର୍ଜସିଟ୍‌କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିଛନ୍ତି। ୧୨୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ବିଧାୟକ ପ୍ରଭାତ ବିଶ୍ୱାଳ, ପତ୍ନୀ ଲକ୍ଷ୍ମୀବିଳାସୀନି ବିଶ୍ୱାଳ, ଅବସରପ୍ରାପ୍ତ ଆଇଏଏସ୍‌ ପ୍ରଦୀପ ହୋତା, ପତ୍ନୀ ପ୍ରତିମା ହୋତା ଏବଂ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଏହାଛଡ଼ା ଚାର୍ଜସିଟ୍‌ରେ ୭୦ ଜଣ ସରକାରୀ ଓ ବେସରକାରୀ ସାକ୍ଷୀ ଥିବା ଜଣାପଡ଼ିଛି। ଏହା ପୂର୍ବରୁ ସିବିଆଇ ସିସୋର ଚିଟ୍‌ଫଣ୍ଡ ଠକେଇ ଘଟଣାରେ ୨ଥର ଚାର୍ଜସିଟ୍‌ ଦାଖଲ କରିସାରିଛି।

ଏହି ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ ଅଛି ଯେ  ଗତ ୨୦୧୦ ମସିହାରେ ବିଧାୟକ ପ୍ରଭାତ ବିଶ୍ୱାଳୟଙ୍କ ବେଣୀପୁର ମୌଜାରେ ଥିବା ୨୮ ଗୁଣ୍ଠ ଜମିକୁ  ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ୨୮ ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିଲେ।  ଏହି ୨୮ ଲକ୍ଷ ଟଙ୍କା ସେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରିଥିଲେ ଏବଂ ଟଙ୍କା ବିଧାୟକଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ଆକାଉଣ୍ଟକୁ ଆସିଥିଲା। କିନ୍ତୁ ୨୦୧୨ ମସିହାରେ ସିସୋର କମ୍ପାନି ଉପରେ କ୍ରାଇମ୍‌ବ୍ରାଞ୍ଚ ଚଢ଼ଉ ପରେ ବିଧାୟକ ବିଶ୍ୱାଳ ସେଲ୍‌ ଡିଡ୍‌ କ୍ୟାନସେଲ୍‌ କରି ଜମିକୁ ପୁଣି ଥରେ ନିଜ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ କରାଇଥିଲେ। ଏ ବାବଦରେ ବିଧାୟକ ଶ୍ରୀ ବିଶ୍ୱାଳ ୩ ଲକ୍ଷ ଟଙ୍କା ଚେକ୍‌ ଆକାରରେ ପ୍ରଶାନ୍ତଙ୍କୁ ଦେଇଥିବାବେଳେ ବାକି ୨୫ ଲକ୍ଷ ଟଙ୍କା ନଗଦ ଆକାରରେ ଦେଇଥିଲେ ବୋଲି ସିବିଆଇକୁ କହିଥିଲେ। ସିବିଆଇ ପକ୍ଷରୁ ତଦନ୍ତକାରୀ ଅଧିକାରୀ ଜାଣିବାକୁ  ଚାହିଁଥିଲେ ଯେଉଁ ୨୫ ଲକ୍ଷ ଟଙ୍କାର ନଗଦ କାରବାର ହୋଇଛି ତାର କୌଣସି ପ୍ରମାଣ ଅଛି କି ? ଏହାର ଉତ୍ତରରେ ବିଧାୟକ ଏକ ଏଗ୍ରିମେଣ୍ଟ୍‌ କପି ପ୍ରଦାନ କରିଥିଲେ ସିବିଆଇକୁ। ସିବିଆଇ ଏହି ଏଗ୍ରିମେଣ୍ଟ୍‌ କପିକୁ ହାଇଦ୍ରାବାଦସ୍ଥିତ ଫୋରେନସିକ୍‌ ଲାବୋରେଟାରିକୁ  ପଠାଇ ଥିଲା। ତେବେ ଯାଞ୍ଚବେଳେ ଜଣାପଡ଼ିଥିଲା ଯେ ଏଗ୍ରିମେଣ୍ଟ୍‌ କପି ଓରିଜିନାଲ ନୁହେଁ, ତାହା ଏକ ଜେରକ୍ସ କପି ଓ ପିଛିଲା ତାରିଖ ପକା ଯାଇ ନୂଆ ଏଗ୍ରିମେଣ୍ଟ କପି ପ୍ରସ୍ତୁତ ହୋଇଛି।

ଏହାଛଡ଼ା ବିଧାୟକ ଶ୍ରୀ ବିଶ୍ୱାଳ କେଉଁଠୁ  ହଠାତ ୨୫ ଲକ୍ଷ ନଗଦ ଟଙ୍କା ଆଣିଲେ ଯାହାକୁ ସେ ପ୍ରଶାନ୍ତ ଦାସଙ୍କୁ ଫେରାଇଥିଲେ ବୋଲି ସିବିଆଇ ଜାଣିବାକୁ ଚାହିଁଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ କେତେକ ଠିକାଦାର ଓ ବିଲଡର ତାଙ୍କୁ ଏହି ଟଙ୍କା ଦେଇଥିଲେ। ଏହା ପରେ ସିବିଆଇ ପକ୍ଷରୁ ସଂପୃକ୍ତ ଠିକାଦାର ଓ ବିଲଡରଙ୍କୁ ସମନ୍‌ ହୋଇଥିଲା। ସେମାନେ ସିବିଆଇ ନିକଟରେ ହାଜର ହୋଇ କହିଥିଲେ ସେମାନେ କେହି ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ କୌଣସି ଟଙ୍କା ଦେଇ ନାହାନ୍ତି। ଏହାଛଡ଼ା ଯେଉଁ ଷ୍ଟାମ୍ପ ପେପରରେ ଯାଜପୁର ବେଣୀପୁର ମୌଜାର ଜମି କିଣାବିକା ସେଲ୍‌ ଡିଡ୍‌ କ୍ୟାନସେଲ ହୋଇଥିଲା ବୋଲି ବିଧାୟକ ବିଶ୍ୱାଳ କହୁଥିଲେ ତାହା ମିଛ ଥିଲା।  ଏହି ସବୁର ତଦନ୍ତ କରିବାକୁ ସିବିଆଇକୁ କିଛି ସମୟ ଲାଗିଥିଲା। ସିବିଆଇ ସମସ୍ତ ପ୍ରମାଣ ପାଇବା ପରେ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ସମନ୍‌ କରିଥିଲା। କିନ୍ତୁ ଧାର୍ଯ୍ୟ ସମୟ ଅନୁଯାୟୀ ସିବିଆଇରେ ହାଜର ନ ହେବାରୁ  ଗତ ସେପ୍ଟେମ୍ବର ୯ ତାରିଖରେ ତାଙ୍କୁ ସିବିଆଇ କଟକ ମହାନଦୀବିହାର ଘରୁ ଗିରଫ କରିଥିଲା। ଏବେ ସେ କଟକ ବଡ଼ ମେଡିକାଲାରେ ଚିକିତ୍ସାଧୀନ ଅଛନ୍ତି।

ସେହିପରି ଆଇଏଏସ୍‌ ଅଫିସ୍‌ର ପ୍ରଦୀପ କୁମାର ହୋତା ଆପିକଲ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଥିବା ସମୟରେ  ସିସୋରକୁ ଅନୁକମ୍ପା ଦେଖାଇଥିଲେ ବୋଲି ସିବିଆଇ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛି। ନବରଙ୍ଗପୁର ପାପଡ଼ାହାଣ୍ଡିଠାରେ ଏକ ମକା କାରଖାନା ପ୍ରତିିଷ୍ଠା ଲାଗି ସିସୋର କମ୍ପାନି ଆଗ୍ରହ ପ୍ରକାଶ କରିଥିଲା। ଏ ନେଇ ସିସୋର କମ୍ପାନି ଓ ଆପିକଲ ସହିତ ଏକ ଏମ୍‌ଓୟୁ ହୋଇଥିଲା।  ଏକ ଚିଟ୍‌ଫଣ୍ଡ କମ୍ପାନି ସହିତ କେମିତି ଓ କେଉଁ ଆଧାରରରେ ଆପିକଲ ଏମ୍‌ଓୟୁ କରିଥିଲା ଏ ନେଇ ସିବିଆଇ ଦୁଇ ଦୁଇ ଥର ଶ୍ରୀ ହୋତାଙ୍କୁ ଜେରା କରିଥିଲା। ଏହା ଛଡ଼ା ଶ୍ରୀ ହୋତାଙ୍କ ପୁଅ ଦେବାଶିଷ ହୋତା ସିସୋର କମ୍ପାନିରେ ଏକ ପ୍ରମୁଖ ପଦବିରେ ଚାକିରି କରିଥିଲେ। ଶ୍ରୀ ହୋତା ୨୦୦୮ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଆପିକଲରେ ଥିବାବେଳେ ସିସୋର କମ୍ପାନି ସହିତ ଅନେକ କୃଷିଭିତ୍ତିିକ ପ୍ରକଳ୍ପର ଚୁକ୍ତି କରାଇଥିଲେ।

ଏହାଛଡ଼ା ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ଖାଦ୍ୟ ସଂରକ୍ଷଣ କାର୍ଯଳୟକୁ ମଧ୍ୟ ସିସୋରକୁ ଲିଜ୍‌ ପ୍ରଦାନ କରିଥିଲେ। ଚୌଦ୍ୱାର ଶିଳ୍ପାଞ୍ଚଳରେ ଥିବା କେତେକ ଫ୍ୟାକ୍ଟ୍ରିକୁ ମଧ୍ୟ ଶ୍ରୀ ହୋତା ସିସୋର ହାତକୁ ଟେକି ଦେଇଥିଲେ। ଏଥିପାଇଁ ସିସୋର କମ୍ପାନି ଓ ପ୍ରଶାନ୍ତ ଦାସଙ୍କ ଆକାଉଣ୍ଟରୁ ଶ୍ରୀ ହୋତାଙ୍କ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୯.୭୦ ଲକ୍ଷ ଟଙ୍କା କାରବାର ହୋଇଥିଲା।  କେଉଁ କାରଣରରୁ ଏତେଗୁଡ଼ିଏ ଟଙ୍କା ଶ୍ରୀ ହୋତାଙ୍କ ଆକାଉଣ୍ଟକୁ ଯାଇଥିଲା ତାର ଉତ୍ତର ଶ୍ରୀ ହୋତା ସିବିଆଇ ନିକଟରେ ରଖି ପାରି ନ ଥିଲେ। ଗତ ଅକ୍ଟୋବର ୧୦ ତାରିଖରେ ସିବିଆଇ ତାଙ୍କୁ କଟକ ସିଡିଏରେ ଥିବା ଘରୁ ଗିରଫ କରିଥିଲା। ସେ ଏବେ ଜେଲ୍‌ରେ ଅଛନ୍ତି। କିଛିଦିନ ତଳେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଓ ଶୁଭଙ୍କର ନାୟକକୁ ସର୍ତ୍ତମୂଳକ ଜାମିନ ପାଇଥିଲେ। କିନ୍ତୁ ପ୍ରଶାନ୍ତ ଦାସଙ୍କୁ ଢେଙ୍କାନାଳ ପୁଲିସ ଏକ ଠକେଇ କେସ୍‌ରେ ଗିରଫ କରିଛି।

ସମ୍ବନ୍ଧିତ ଖବର