ସିସୋର୍‌ ଫାଇଲ୍‌ ଗାଏବ!

କଟକ : ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଦୀର୍ଘ ଦିନ ଜେଲ୍‌ରେ ରହି ମୁକୁଳି ଥିବା ସିସୋର୍‌ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶ ଆଜି କଟକ ମହାନଗର ନିଗମ ବିଜୁ ଭବନ କାର୍ଯ୍ୟାଳୟକୁ ଆସିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆଜି ଦିନ ପ୍ରାୟ ୪ଟା ବେଳେ ପ୍ରଶାନ୍ତଙ୍କୁ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କ ସହିତ ସିଏମ୍‌ସି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। ସେ ପ୍ରଥମ ମହଲାର ଶୌଚାଳୟ ନିକଟରେ ଠିଆ ହୋଇ ମୋବାଇଲ୍‌ରେ କଥା ହେଉଥିବା ବେଳେ ତାଙ୍କ ସହଯୋଗୀ ଆଇନ ବିଭାଗଠୁ ଅତିରିକ୍ତ କମିସନରଙ୍କ ଦପ୍ତର ଯାଏଁ ପହରା ମାରି କର୍ମଚାରୀଙ୍କୁୁ କୌଣସି ବିଷୟରେ ପଚାରୁ ଥିଲେ। ପ୍ରାୟ ପନ୍ଦର ମିନିଟ୍‌ ସିଏମ୍‌ସି କାର୍ଯ୍ୟାଳୟରେ ରହିବା ପରେ ସେଠାରୁ ଆସି ପେଟ୍ରୋଲ ପମ୍ପ୍‌ ସମ୍ମୁଖରେ ଦୁହେଁ ଠିଆ ହୋଇଥିଲେ। ତେବେ ଅଫିସ୍‌ ବନ୍ଦ ହେବା ପୂର୍ବରୁ ପ୍ରଶାନ୍ତ ଏବଂ ତାଙ୍କ ସହଯୋଗୀ ସିଏମ୍‌ସି କାର୍ଯ୍ୟାଳୟକୁ କାହିଁକି ଆସିଥିଲେ ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କେଉଁ କାରଣ ପାଇଁ ପ୍ରଶାନ୍ତ ଆସିଥିଲେ, ତାହା ଜଣାପଡ଼ିନଥିଲେ ବି ସିସୋର ସହିତ ସିଏମ୍‌ସି ରିଂ-ବଂଧ ସୌନ୍ଦର୍ଯ୍ୟକରଣ ପାଇଁ କରିଥିବା ଚୁକ୍ତିନାମା ସଂପର୍କରେ କୌଣସି ତଥ୍ୟ ନେବା ପାଇଁ ସେ ଆସିଥିବା କୁହାଯାଉଛି। ଅନ୍ୟପଟେ ସିସୋର ସହିତ ଜଡ଼ିତ ସମସ୍ତ ଫାଇଲ୍‌ ସିଏମସିରୁ ଗାଏବ୍‌ ହୋଇଯାଇଥିବା ଏବଂ ଏ ସଂପର୍କରେ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନରେ ତଥ୍ୟ ମାଗୁଥିବା ବେଳେ ତାଙ୍କ ଆବେଦନକୁ ଗ୍ରହଣ କରା ଯାଉ ନଥିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କ ଉପସ୍ଥିତି ଚର୍ଚ୍ଚାର ଖୋରାକ ଯୋଗାଇଛି।

ସମ୍ବନ୍ଧିତ ଖବର