କର୍ମଜୀବୀ ମହିଳା ନିବାସରେ ସିଟ୍‌ ଫାଙ୍କା

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ୧୩ଟି କର୍ମଜୀବୀ ମହିଳା ନିବାସ ଅଛି। ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଭୁବନେଶ୍ୱର, ମୟୂରଭଞ୍ଜ, ପୁରୀ ଓ ସୁନ୍ଦରଗଡ଼ରେ ଏହି ନିବାସଗୁଡ଼ିକ ରହିଛି। ମୋଟ୍‌ କ୍ଷମତା ହେଉଛି ୮୧୦। କିନ୍ତୁ ଏଗୁଡ଼ିକରେ ଏବେ ରହୁଛନ୍ତି ୫୬୩ ଜଣ। କେବଳ ପୁରୀକୁ ବାଦ୍‌ ଦେଲେ ଅନ୍ୟ ସବୁଠି ବେଡ୍‌ ଫାଙ୍କା ରହୁଛି।

ଆଜି ବିଧାନସଭାରେ କର୍ମଜୀବୀ ମହିଳା ନିବାସ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ମହିଳା, ଶିଶୁ ବିକାଶ ଓ ମିସନ୍‌ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ସୂଚନା ଦେଇଛନ୍ତି। ବେଡ୍‌ ଫାଙ୍କା ରହୁଥିବା ସତ୍ତ୍ୱେ ଆଉ ୬ଟି କର୍ମଜୀବୀ ମହିଳା ନିବାସ ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଅଧିକ ଥିବା ୬ଟି ସ୍ଥାନ ବ୍ରହ୍ମପୁର, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ ଓ ଝାରସୁଗୁଡ଼ାରେ ଏହି ନିବାସଗୁଡ଼ିକ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବିଧାୟକ ଆୟୁବ ଖାନ୍‌ ଏ ସଂକ୍ରାନ୍ତୀୟ ମୂଳ ପ୍ରଶ୍ନ କରିଥିଲେ। ଗତ ଆର୍ଥିକ ବର୍ଷରେ କେଉଁଠାରେ ନୂଆ କରି ‘କର୍ମଜୀବୀ ମହିଳା ନିବାସ’ ନିର୍ମାଣ ପାଇଁ ମଞ୍ଜୁର ପ୍ରଦାନ କରାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ କହିଥିଲେ, ୨୦୧୭-୧୮ ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲାର ସନ୍ତରାଠାରେ ନୂଆ କରି ୧୦୦ ଶଯ୍ୟା ବିଶିଷ୍ଟ କର୍ମଜୀବୀ ମହିଳା ନିବାସ ପାଇଁ ପ୍ରଶାସନିକ ଅନୁମୋଦନ କରାଯାଇ ଇଡ୍‌କୋକୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଗୋଟିଏ କର୍ମଜୀବୀ ମହିଳା ନିବାସ ନିର୍ମାଣ କରିବା ପାଇଁ ଜାଗମରାରୁ ଗଙ୍ଗନଗର ସ୍ଥାନ ପରିବର୍ତ୍ତନ ହେବାରୁ ପାଖାପାଖି ୬ କୋଟି ଟଙ୍କାର ସଂଶୋଧିତ ଅଟକଳର ପ୍ରଶାସନିକ ଅନୁମୋଦନ କରାଯାଇଛି। ବିଧାୟକ ସୁବ୍ରତ ତରାଇ ଅତିରିକ୍ତ ପ୍ରଶ୍ନ କରି ରାଉରକେଲାରେ ଥିବା କର୍ମଜୀବୀ ମହିଳା ନିବାସର ନବୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ। ରାସେଶ୍ୱରୀ ପାଣିଗ୍ରାହୀ ସମ୍ବଲପୁରରେ କର୍ମଜୀବୀ ମହିଳା ନିବାସ ନିର୍ମାଣ ତୁରନ୍ତ ଆରମ୍ଭ କରିବା ପାଇଁ କହିଥିଲେ। ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବ୍ରହ୍ମପୁରରେ ଥିବା କର୍ମଜୀବୀ ମହିଳା ନିବାସର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର