ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କଲେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ୱର: ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ରବିବାର ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗକୁ ସେବାୟତମାନେ ତୀବ୍ର ବିରୋଧ କରିବା ସହିତ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେବାୟତମାନେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନେଇ ଅସନ୍ତୋଷ ଥିବା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଛତିଶା ନିଯୋଗର ୨୨ ଜଣ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୪ରୁ ୫ଟି ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉପସ୍ଥିତ ଥିଲେ। ସେବାୟତଙ୍କ ପକ୍ଷରୁ ସାଂସଦ ପିନାକୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସିଂହାରୀ ନିଯୋଗ ସଭାପତି ରାମଚନ୍ଦ୍ର ସିଂହାରୀ କହିଛନ୍ତି, ସୁପ୍ରିମକୋର୍ଟ ପୂର୍ବରୁ ବଂଶାନୁକ୍ରମିକ ସେବାୟତ ପ୍ରଥା ଉଚ୍ଛେଦ ନେଇ ମଧ୍ୟ ଆଲୋଚନା ପର୍ଯ୍ୟାୟରେ ରହିଛି। ଆମେ ୪ରୁ ୫ଟି ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଛୁ। ଏହାକୁ ନବୀନ ବିଚାରବିମର୍ଶ କରିବେ।

ସାଂସଦ ପିନାକୀ ମିଶ୍ର କହିଛନ୍ତି, ଷ୍ଟିୟରିଂ କମିଟି ସବୁ ପକ୍ଷରେ ମତାମତ ନେବା ପାଇଁ ଅନୁରୋଧ କରିଛୁ। ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନିଆଯିବା ସହ ଗଜପତି ଓ ସେବାୟତଙ୍କର ବି ମତାମତ ନିଆଯିବ।

ସମ୍ବନ୍ଧିତ ଖବର