ଖୋର୍ଦ୍ଧାରେ ହେବ ଦ୍ୱିତୀୟ ବିମାନ ବନ୍ଦର!

ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ, ଖୁବ୍‌ ଶୀଘ୍ର ଆରମ୍ଭ ହେବ କାମ

ଭୁବନେଶ୍ୱର : ଖୋର୍ଦ୍ଧାରେ ନିର୍ମାଣ ହେବ ଦ୍ୱିତୀୟ ବିମାନ ବନ୍ଦର। ଇତିମଧ୍ୟରେ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ବିମାନ ବନ୍ଦର ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ଖୁବ୍‌ ଶୀଘ୍ର ଏହା ଆରମ୍ଭ ହେବାକୁ ଯାଉଛି। ଏନେଇ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱରରେ ଥିବା ଏୟାରପୋର୍ଟରେ ଦିନକୁ ଦିନ ବିମାନ ଓ ଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହାର ପରିସରକୁ ବଢ଼ାଇବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଏଠାରେ ଜମିର ଅଭାବ ଯୋଗୁଁ ଏହା ସମ୍ଭବପର ନ ହେବାରୁ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଆଉ ଗୋଟିଏ ବିମାନ ବନ୍ଦର ନିର୍ମାଣ ପାଇଁ ଦାବି କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉପକଣ୍ଠରେ ଜମି ଖୋଜା ଚାଲିଥିବା ବେଳେ ଶେଷରେ ଏହାକୁ ଖୋର୍ଦ୍ଧାରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ପାଇଁ ଗତ ବର୍ଷ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ରାଜ୍ୟ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରାଯାଇଥିଲା। ଖୋର୍ଦ୍ଧାର କିଛି ସ୍ଥାନରେ ମଧ୍ୟ ବିମାନବନ୍ଦର ନିର୍ମାଣ ନେଇ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ଥିଲେ । ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ପାଇଁ ରନ ୱେ, ଏୟାରପୋର୍ଟ ସିଟି ପ୍ରଭୃତିର ଆବଶ୍ୟକତା ରହଛି। ଏଥିପାଇଁ ୨୦୦୦ ରୁ ୩୦୦୦ ଏକର ଜମି ଆବଶ୍ୟକ ଥିଲା। ତେବେ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି ଏବଂ ଖୁବ ଶୀଘ୍ର ବିମାନବନ୍ଦର କାମ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର