ଦ୍ୱିତୀୟ ଦିନରେ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର,୨: ଆଜି ଦ୍ୱିତୀୟ ଦିନରେ ମଧ୍ୟ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁପରସୋନିକ୍‌ କ୍ରୁଜ ମିଜାଇଲ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ହୋଇଛି। ଦିନ ୧୧ଟା ୩୩ ମିନିଟରେ ୩ନଂ ଲଞ୍ଚପ୍ୟାଡ୍‌ରୁ ଏହି ପରୀକ୍ଷା କରାଯାଇଥିଲା। ଏହା ଭାରତ ଓ ଋଷର ମିଳିତ ସହଯୋଗରେ ହୋଇଥିବା ଜଣାପଡ଼ିଛି। ଏହି ମିଜାଇଲକୁ ସମସ୍ତ ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରୁ ଉତ୍‌କ୍ଷେପଣ କରାଯାଇପାରିବ। ଏହା ଶବ୍ଦ ବେଗଠାରୁ ୩ଗୁଣ ଅଧିକ ବେଗରେ ଗତି କରି ପାରିବ। ଏଥିରେ ୨ଟି ଷ୍ଟେଜ୍‌ ବିଶିଷ୍ଟ ଇଂଜିନ ବ୍ୟବହାର କରାଯାଇଛି। ୩ ହଜାର କିଗ୍ରା ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନର କ୍ଷମତା ରଖୁଥିବା ଏହି ମିଜାଇଲ ସ୍ଥଳଭାଗରୁ ୪୫୦ରୁ ୬୦୦ କମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ବାୟୁସେନାର ଯୁଦ୍ଧ ବିମାନରୁ ୪ଶହ କିମି ପର୍ଯ୍ୟନ୍ତ ଟାର୍ଗେଟ ହିଟ୍‌ କରିବାର କ୍ଷମତା ରହିଛି। ଏହା ଘଣ୍ଟା ପ୍ରତି ୩ହଜାର ୪ଶହରୁ ୩ହଜାର ୭ଶହ କିଲୋମିଟର ବେଗରେ ଗତି କରିପାରୁଥିବା ବେଳେ ଏହାକୁ ୨୦୦୬ରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଇଛି। ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ୩ହଜାର କିଗ୍ରା ରହିଛି। ଭାରତର ବ୍ରହ୍ମପୁତ୍ର ଓ ଋଷର ମସ୍କଭା ନଦୀ ନାମ ଅନୁସାରେ ଏହାର ନାମ ବ୍ରହ୍ମୋସ୍‌ ରଖାଯାଇଛି।

ସମ୍ବନ୍ଧିତ ଖବର