ପ୍ରାକ୍‌-ସ୍ବାଧୀନତା କାଳରେ ଦ୍ବିତୀୟ ନିର୍ବାଚନ

ନିର୍ବାଚନ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସୁଦୃଶ୍ୟ ଓ ସୁଦୃଢ଼ ପରମ୍ପରା। ଆଉ କିଛିଦିନ ପରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଏହି ପରମ୍ପରାର ଏକ ଅଂଶବିଶେଷ। ବ୍ରିଟିସ ସରକାର ଅମଳରେ ବି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ମାତ୍ର ସେଇଥିରୁ ହିଁ ନିର୍ବାଚନ ଭଳି ଏକ ପ୍ରକ୍ରିୟାର ଅୟଆରମ୍ଭ ହୋଇଥିଲା।

୧୯୨୩ ମସିହା ନଭେମ୍ବର ମାସରେ ଦ୍ବିତୀୟ ଥର ବ୍ରିଟିସ ଶାସନାଧୀନ ଭାରତରେ ଉଭୟ କେନ୍ଦ୍ରୀୟ ଓ ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା। ସେଥର କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ମୋଟ ୧୪୫ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିଲା। ତନ୍ମଧ୍ୟରୁ ବିଭିନ୍ନ ବର୍ଗ ଓ ଦଳରୁ ୮୫ ଜଣ ନିର୍ବାଚିତ ହେଉଥିବା ବେଳେ ସରକାର ନିଜର ଅନୁଗତ ୨୦ ଜଣଙ୍କୁ ମନୋନୀତ ହେଉଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଅବଶିଷ୍ଟ ୪୦ ଜଣ ଗୋରା ବ୍ୟକ୍ତିଙ୍କୁ ସରକାର ସଦସ୍ୟ ଭାବେ ନିଯୁକ୍ତି ଦେଉଥିଲେ। ପଣ୍ଡିତ ମୋତିଲାଲ ନେହେରୁଙ୍କ ନେତୃତ୍ବାଧୀନ ସ୍ବରାଜ ଦଳ ସର୍ବାଧିକ ୩୮ ଆସନ ପାଇଥିବା ବେଳେ ସ୍ବାଧୀନତା ସଂଗ୍ରାମୀ ହୃଦୟନାଥ କୁଞ୍ଜ୍ରୁଙ୍କ ନେତୃତ୍ବରେ ଇଣ୍ଡିଆନ ଲିବରାଲ ପାର୍ଟିକୁ ୨୭ ଗୋଟି ଆସନ ମିଳିଥିଲା। କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାକୁ ଓଡ଼ିଶାର ଦୁଇଜଣ ନେତା ପଣ୍ଡିତ ନୀଳକଣ୍ଠ ଦାଶ ଓ ଭୁବନାନନ୍ଦ ଦାସ ନିର୍ବାଚିତ ହୋଇଥିଲେ। ବିଭିନ୍ନ ପ୍ରଦେଶରୁ ଏହି କେନ୍ଦ୍ରୀୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ଜଣାଶୁଣା ଅନ୍ୟ ଭାରତୀୟଙ୍କ ମଧ୍ୟରେ ଥିଲେ:- ପଣ୍ଡିତ ମୋତିଲାଲ ନେହେରୁ (ସଂଯୁକ୍ତ ପ୍ରଦେଶର ସହର ସମୂହ), ବିପିନ ଚନ୍ଦ୍ର ପାଲ (କଲିକତା-ସାଧାରଣ), କେସି ନିୟୋଗୀ (ଢାକ୍କା-ଗ୍ରାମାଂଚଳ-ସାଧାରଣ), କୁମାର ଶଙ୍କର ରାୟ (ଚିଟ୍ଟାଗଙ୍ଗ), ଅନୁଗ୍ରହ ନାରାୟଣ ସିହ୍ନା (ପାଟନା-ସାଧାରଣ), ଭିଠଲଭାଇ ପଟେଲ (ବମ୍ବେ ନଗର – ସାଧାରଣ), ମହମ୍ମଦ ଅଲ୍ଲି ଜିନ୍ନା (ବମ୍ବେ ନଗର – ମୁସ୍‌ଲିମ୍), ଆର୍‌କେ ସନ୍‌ମୁଖନ ଚେଟ୍ଟି (ସାଲେମ, କୋଏମ୍ବାଟୁର, ଉତ୍ତର ଆର୍‌କଟ – ସାଧାରଣ) ଓ ମଦନ ମୋହନ ମାଲବ୍ୟ (ଆହ୍ଲାବାଦ ଓ ଝାନ୍‌ସି – ସାଧାରଣ) ପ୍ରମୁଖ।

ବଡ଼ଲାଟଙ୍କ ସରକାରରେ ଅତୁଲ ଚନ୍ଦ୍ର ଚାଟାର୍ଜୀ, ଭୁପେନ୍ଦ୍ରନାଥ ମିତ୍ର ଓ କ୍ୟାପଟେନ ଆଜବ ଖାଁଙ୍କୁ ଛଡ଼ିଦେଲେ ଅନ୍ୟ ସମସ୍ତେ ଗୋରାସାହେବ ଥିଲେ।

ଅନ୍ୟ ପକ୍ଷରେ ଦେଶରେ ସେତେବେଳେ ମୋଟ ୮ଟି ପ୍ରଦେଶ ଥିଲା। ସେଗୁଡ଼ିକ ହେଲା, ଆସାମ, ବେଙ୍ଗଲ, ବିହାର ଓ ଓଡ଼ିଶା, ସେଣ୍ଟ୍ରାଲ ପ୍ରଭିନ୍ସ (ମଧ୍ୟ ପ୍ରଦେଶ), ବମ୍ବେ, ପଂଜାବ, ମାଡ୍ରାସ ଏବଂ ୟୁନାଇଟେଡ ପ୍ରଭିନ୍ସ (ସଂଯୁକ୍ତ ପ୍ରଦେଶ)। ଆସାମ ପ୍ରାଦେଶିକ ବ୍ୟବସ୍ଥାପକର ଆସନ ସଂଖ୍ୟା ସବୁଠୁ କମ୍ ୫୩ ହୋଇଥିବା ବେଳେ ବେଙ୍ଗଲର ସର୍ବାଧିକ ୧୩୯ ଥିଲା।

କେନ୍ଦ୍ରୀୟ ବିଧାନସଭା (୧୯୨୩)

ଦଳ                               ସିଟ୍
ସ୍ବରାଜ ପାର୍ଟି                      ୩୮
ଇଣ୍ଡିଆନ୍ ଲିବରାଲ୍ ପାର୍ଟି        ୨୭
ସ୍ବାଧୀନ                            ୭
ଅନୁଗତ                           ୬
ବ୍ରାହ୍ମଣ                            ୩
ଗୁରୁଦ୍ବାରା ଶିଖ                   ୨
ଉଦାରବାଦୀ                      ୨
ଅଜଣା ଅନୁବନ୍ଧନ (ଅନୁଗତ) ୨୦
ନିଯୁକ୍ତ ସଦସ୍ୟ                 ୪୦
ମୋଟ                       ୧୪୫

ସମ୍ବନ୍ଧିତ ଖବର