ହକ୍‌ ପାଇଁ ସଂଗ୍ରାମ ଜାରି ରହିବ : ସୁଖାସୋଢ଼ା ଓ ଚିଖିଲିରୁ ବିଜେଡିର ମହାନଦୀ ପାଇଁ ମହାସଂଗ୍ରାମ ଆରମ୍ଭ

ଝାରସୁଗୁଡ଼ା/ବରଗଡ଼/ଅମ୍ବାଭୋନା : ମହାନଦୀ ପ୍ରସଂଗରେ ନିଜ ସ୍ୱରକୁ ଶାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସକାଳେ ଝାରସୁଗୁଡ଼ା ଜିଲ୍ଲା ସୁଖାସୋଢ଼ା ଓ ବରଗଡ଼ ଜିଲ୍ଲା ଚିଖିଲିରୁ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ଅଭିଯାନ ‘ମହାନଦୀ ସୁରକ୍ଷା ମହାସଂଗ୍ରାମ’ ଆରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନଦୀର ପାଣି ଓଡ଼ିଶାବାସୀଙ୍କ ହକ୍‌। ଏହି ହକ୍‌ ପାଇଁ କାହା ସହିତ ସାଲିସ୍‌ କରାଯିବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ମହାନଦୀ ଆମ ପରବର୍ତୀ ପିଢ଼ିର ସଂପତ୍ତି। ତେଣୁ ଏହାର ସୁରକ୍ଷା ଏବଂ ରାଜ୍ୟବାସୀଙ୍କ ହକ୍‌ ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। ଏହାସହିତ ସେ ସିଧାସଳଖ ବିଜେପି ଉପରେ ବର୍ଷିଛନ୍ତି। ବିଜେପି ନେତାମାନେ କୁମ୍ଭୀର କାନ୍ଦଣା ନ କାନ୍ଦି ଛତିଶଗଡ଼କୁ ଛାଡ଼ନ୍ତୁ ଓ ଓଡ଼ିଶାବାସୀଙ୍କ ହକ୍‌ ପାଇଁ ଲଢ଼େଇ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ସ୍ୱଭାବତଃ ବେଶ୍‌ ଶାନ୍ତ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ଆଜିର କଠୋର ଆଭିମୁଖ୍ୟ ଓ ଶାଣିତ ବକ୍ତବ୍ୟ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଭରି ଦେଇଛି।

ପ୍ରଥମେ ସୁଖାସୋଢ଼ାଠାରେ ଏବଂ ପରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଚିଖିଲିରେ ଜନସଭାରେ ଉଦବୋଧନ ଦେଇ ସେ କହିଲେ ଯେ, ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀକୁ ଛାଡ଼ି ଓଡ଼ିଆ ଜାତିର କଳ୍ପନା ସମ୍ଭବ ନୁହେଁ। ମାତ୍ର ଛତିଶଗଡ଼ ସରକାର ମହାନଦୀରେ ବ୍ୟାରେଜ୍‌ ନିର୍ମାଣ କରି ଓଡ଼ିଶାକୁ ପାଣି ଛାଡ଼ୁ ନଥିବା ବେଳେ ଓଡ଼ିଶାରେ ମହାନଦୀ ଶୁଖିଲା ପଡ଼ିଛି। ଛତିଶଗଡ଼ ସରକାରର ଆଭିମୁଖ୍ୟ କାହାରିକୁ ଆଉ ଅଛପା ନାହିଁ। ମହାନଦୀ ଟ୍ରିବ୍ୟୁନାଲର ନିଷ୍ପତ୍ତି ନିଶ୍ଚିତ ଓଡ଼ିଶା ସପକ୍ଷରେ ହିଁ ଯିବ। କିନ୍ତୁ ଏହି ଆଇନଗତ ଲଢ଼େଇ ମଧ୍ୟରେ ଛତିଶଗଡ଼କୁ ରୋକିବାକୁ ହେବ। ଛତିଶଗଡ଼ ଅବୈଧ ବ୍ୟାରେଜ ନିର୍ମାଣ ବନ୍ଦ ନକଲେ ରାଜ୍ୟର ଅଗଣିତ ଚାଷୀ ଏବଂ ମତ୍ସ୍ୟଜୀବୀ ଜୀବିକା ହରାଇବେ। ରାଜ୍ୟର ବିଜେଡି ସରକାର ଚାଷୀଙ୍କ ସୁବିଧା ପାଇଁ ଅଙ୍ଗୀକାରବଦ୍ଧ। ତେଣୁ ମହାନଦୀକୁ ଶୁଖିଲା ରହିବାକୁ ଦିଆଯିବନାହିଁ। ଏ ପରିପ୍ରେକ୍ଷୀରେ ବିଜେପିକୁ ସିଧାସଳଖ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମଂଗୁଆଳ ସାଜିଥିବା ବିଜେପି ନେତାମାନେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି। ଗୋଟିଏ ପଟେ ସେମାନେ ମହାନଦୀ ପ୍ରସଂଗ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଅନ୍ୟପଟେ ଛତିଶଗଡ଼ର ମନମୁଖୀ ବ୍ୟାରେଜ ନିର୍ମାଣକୁ ସମର୍ଥନ କରୁଛନ୍ତି। ଯଦି ସେମାନଙ୍କର ଅସଲରେ ଓଡ଼ିଶା ମାଟି ପାଇଁ ଦରଦ ଅଛି, ସେମାନେ ଛତିଶଗଡ଼କୁ ବିରୋଧ କରନ୍ତୁ। ଛତିଶଗଡ଼ର ହାତ ଛାଡ଼ି ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ମିଶି ଲଢ଼େଇ କରନ୍ତୁ ବୋଲି ସେ ଆହ୍ଵାନ ଦେଇଥିଲେ।

ଏଥିସହ ଓଡ଼ିଶାରେ ମଧ୍ୟ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ ହେବ ଓ ଏଥିପାଇଁ କାହାରିକୁ ବିସ୍ଥାପିତ ହେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ ସୂଚନା ଦେଇଛନ୍ତି। ମହାନଦୀର ସୁରକ୍ଷା ଏବଂ ରାଜ୍ୟବାସୀଙ୍କ ହକ୍‌ ପାଇଁ ଶେଷ ନିଶ୍ୱାସ ଥିବା ଯାଏଁ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।

ସୁଖାସୋଢ଼ାଠାରେ ଅନୁଷ୍ଠିତ ସଭାରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ରହିଥିବାରୁ ଏହାକୁ ଅନୈତିକ ଉପାୟରେ କବ୍‌ଜା କରିନେବାକୁ ଅପଚେଷ୍ଟା କରୁଛି। ହୀରାକୁଦ ଡ୍ୟାମ୍‌ ନିର୍ମାଣ ବେଳେ ଛତିଶଗଡ଼ ଓ ଓଡ଼ିଶା କେତେ କେତେ ପରିମାଣର ପାଣି ବ୍ୟବହାର କରିବେ ତାହା ଧାର୍ଯ୍ୟ କରାଯାଇଥିଲା। ମାତ୍ର ଛତିଶଗଡ଼ ଏବେ ବଡ଼ଭାଇପଣିଆ ଦେଖାଇ ସବୁତକ ପାଣି ଅଟକାଇ ଦେବାକୁ ବସିଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ଓଡ଼ିଆ ଜାତି ସଂଗ୍ରାମୀ ଜାତି। ଏଭଳି ଅନ୍ୟାୟକୁ ଓଡ଼ିଆମାନେ କଦାପି ବରଦାସ୍ତ କରିବେ ନାହିଁ। ଶ୍ରୀଜଗନ୍ନାଥଙ୍କ କାଞ୍ଚି ଅଭିଯାନ କଥା ସ୍ମରଣ କରାଇ ଦେଇ ସେ କହିଥିଲେ ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା ଲାଗି ଆମ ଠାକୁର ମଧ୍ୟ ଅସ୍ତ୍ର ଧରି ଯୁଦ୍ଧ କରିବାକୁ ବାହାରିପଡ଼ିଥିଲେ। ସେହିପରି ଓଡ଼ିଆ ଭାଷା ଯେତେବେଳେ ସଂକଟରେ ପଡ଼ିଥିଲା ସେତେବେଳେ ଏକ ଅଭିଯାନ ଆରମ୍ଭ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ସେହିପରି ମହାନଦୀ ପ୍ରସଂଗ ମଧ୍ୟ ସମସ୍ତ ଓଡ଼ିଆ ଜାତିକୁ ଏକ କରିବ। ଏହି ସଂଗ୍ରାମରେ ଖୁବ୍‌ଶୀଘ୍ର ଓଡ଼ିଶାବାସୀ ନିଜର ହକ୍‌ ହାସଲ କରିବାରେ ସଫଳ ହୋଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ପ୍ରଥମେ ସୁଖାସୋଢ଼ା ଯାଇଥିଲେ। ସେଠାରେ ମହାନଦୀ କୂଳକୁ ଯାଇ ଶୁଖିଲା ନଦୀକୁ ଦେଖିଥିଲେ। ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ସେଠାରେ ଅନୁଷ୍ଠିତ ସଭାରେ ଯୋଗ ଦେଇଥିଲେ।

ସୁଖାସୋଢ଼ାରେ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ମହାନଦୀ ସୁରକ୍ଷା ଅଭିଯାନର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ପ୍ରଭାସ ସିଂହ, ସାଂସଦ ପ୍ରତାପ ଦେବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅନୁପ ସାଏ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଅମରେଶ ପତ୍ରି, ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମୁନ୍ନା ଖାନ, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ଝାରସୁଗୁଡ଼ା ଜିଲ୍ଲା ପଯ୍ୟର୍ବେକ୍ଷକ ରବି ପାଣି, ପୂର୍ବ ମନ୍ତ୍ରୀ ମଙ୍ଗଳା କିସାନ, ନିବେଦିତା ନାୟକ, ପ୍ରମୋଦ ରଥ ପ୍ରମୁଖ ଭାଷଣ ଦେଇଥିଲେ। ଶେଷରେ ସାଂସଦ ଏନ୍‌.ଭାସ୍କର ରାଓ ଧନ୍ୟବାଦ ଦେଇଥିଲେ।

ସୁଖାସୋଢ଼ାରୁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଚିଖିଲି ଅଭିମୁଖେ ଯାଇଥିଲେ। ସେଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ମହାନଦୀ ପାଣି ଉପରେ ଓଡ଼ିଶାର ହକ୍‌ ଓ ଏହି ହକ୍‌ ହାସଲ ପାଇଁ ରାଜ୍ୟବାସୀଙ୍କ ସଂଗ୍ରାମ କଥା ଦୋହରାଇଥିଲେ। ସଭାରେ ଜଳସଂପଦ ତଥା ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ କହିଲେ, ପୂର୍ବରୁ ଉଭୟ ରାଜ୍ୟ ମଧ୍ୟରେ ହୋଇଥିବା ରାଜିନାମାରେ ଅନୁସାରେ ଓଡ଼ିଶା ୧୨ଏମ୍‌ଏଏଫ୍‌ ପାଣି ଏବଂ ଛତିଶଗଡ଼ ୮ଏମ୍‌ଏଏଫ୍‌ ପାଣି ବ୍ୟବହାର କରିବା କଥା। କିନ୍ତୁ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ୨୭ ଏମ୍‌ଏଏଫ୍‌ ପାଣି ବ୍ୟବହାର କରୁଛି। ଛତିଶଗଡ଼ ଆଇନକାନୁନ ମଧ୍ୟ ଉଲଂଘନ କରିଛି ବୋଲି ସେ ଅଭିଯୋଗ କରିଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମହାନଦୀ ପାଣି ନେଇ କୌଣସି ସରକାର ସହ ସାଲିସ ହେବନାହିଁ ବୋଲି କହିଥିଲେ। ରମଣ ସିଂହ ହୁଅନ୍ତୁ କି ମୋଦି, ଓଡ଼ିଶାର ହକ୍‌ ଛଡ଼ାଇଲେ ଛାଡ଼ିବୁ ନାହିଁ ବୋଲି ଘୋଷଣା କରିଥିଲେ। ମହାନଦୀ ପ୍ରସଂଗକୁ ନେଇ ବିଜେଡି ଭୋଟ୍‌ ପାଇଁ ରାଜନୀତି କରୁନି ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସ୍ନେହାଂଗିନୀ ଛୁରିଆ, ସାଂସଦ ପ୍ରଭାସ ସିଂହ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ସାଂସଦ ଅନଂଗ ଉଦୟ ସିଂଦେଓ, ବିଧାୟକ ଦେବେଶ ଆଚାର୍ଯ୍ୟ, ରୀତା ସାହୁ, ଆୟୁବ ଖାନ୍‌, ଜିଲ୍ଲା ସଭାପତି ବିଜୟ ରଂଜନ ବରିହା, ପ୍ରଭାତାଦିତ୍ୟ ମିଶ୍ର, ନାରାୟଣ ସାହୁ, ସୌଭାଗ୍ୟ ନାୟକ, ଗତିକୃଷ୍ଣ ମିଶ୍ର, ମାନିନୀ ଭୋଇ ପ୍ରମୁଖ ସଭାରେ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର