ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ନାମଲେଖା : ୨୭୨ ସିଟ୍‌ ପାଇଁ ହେବ କାଉନ୍‌ସେଲିଂ

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଓ ଘରୋଇ ମେଡିକାଲରେ ଖାଲିଥିବା ସିଟ୍‌ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ ୨୭୨ଟି ସିଟ୍‌ ପାଇଁ କାଉନ୍‌ସେଲିଂ ଅନୁଷ୍ଠିତ ହେବ। ସରକାରୀ ମେଡିକାଲ କଲେଜଗୁଡ଼ିକର ୧୧୯ଟି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଏବଂ ଭୁବନେଶ୍ୱର ହାଇଟେକ୍‌ ମେଡିକାଲ କଲେଜର ୧୫୩ଟି ସିଟ୍‌ ପାଇଁ କାଉନ୍‌ସେଲିଂ କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।

ସର୍ବଭାରତୀୟ କୋଟାରୁ ୯୦ଟି ସିଟ୍‌ ଫେରିଥିବା ନେଇ ଗତକାଲି କୁହାଯାଉଥିବା ବେଳେ ଆଜି ଓଜେଇଇ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଅଧ୍ୟକ୍ଷ ଶ୍ରୀ ଚାନ୍ଦ କହିଛନ୍ତି ଯେ ୭ଟି ଯାକ ସରକାରୀ ମେଡିକାଲ କଲେଜର ୧୬୭ଟି ସିଟ୍‌ ପାଇଁ ସର୍ବଭାରତୀୟ କାଉନସେଲିଂ ହୋଇଥିଲା। ସେଥିରୁ ୩୭ଟି ସିଟ୍‌ ବଳକା ରହିଛି। ଏହି ବଳକା ସିଟ୍‌ଗୁଡ଼ିକ ଦ୍ୱିତୀୟ ପର୍ଯ୍ୟାୟ କାଉନ୍‌ସେଲିଂରେ ସାମିଲ ହୋଇଛି। ରାଜ୍ୟ କୋଟାରେ ୨୩୫ଟି ସିଟ୍‌ ଖାଲି ରହିଛି। ସରକାରୀ ମେଡିକାଲ କଲେଜଗୁଡ଼ିକରେ ୧୦୩ଟି ଏମ୍‌ବିବିଏସ୍‌ ଓ ୧୬ଟି ବିଡିଏସ୍‌ ସିଟ୍‌ ଖାଲି ରହିଛି। ହାଇଟେକ୍‌ ମେଡିକାଲ କଲେଜରେ ୫୭ଟି ଏମ୍‌ବିବିଏସ୍‌ ଓ ୯୬ଟି ବିଡିଏସ୍‌ ସିଟ୍‌ ପାଇଁ ଏଥର କାଉନ୍‌ସେଲିଂ କରାଯିବ।

ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚଏସ୍‌ ଲକିଂ ଓ ଚଏସ୍‌ ଫିଲିଂ କରିପାରିବେ। ୧୨ ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୩ରୁ ୧୮ ତାରିଖ ମଧ୍ୟରେ ଭୁବନେଶ୍ୱର ଓଜେଇଇ ସେଲ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଯଦି ସିଟ୍‌ ଖାଲି ରହିବ ତେବେ ଅଗଷ୍ଟ ୨୧ ଓ ୨୨ରେ ସ୍ପଟ୍‌ ତଥା ମପ୍‌ ଅପ୍‌ କାଉନ୍‌ସେଲିଂ ଅନୁଷ୍ଠିତ ହେବ। ଅଗଷ୍ଟ ୨୬ ସୁଦ୍ଧା ଛାତ୍ରଛାତ୍ରୀ ମେଡିକାଲ କଲେଜରେ ଯୋଗଦେବାକୁ କୁହାଯାଇଛି। ସେପ୍ଟେମ୍ବର ୧ରୁ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର