ଡିଜିଟାଲ୍‌ ଇଣ୍ଡିଆ ଏକ ଦର୍ଶନ : ପୂର୍ବ ଭାରତର ବୃହତ୍ତମ ଏସ୍‌ଟିପିଆଇ (ଏଲ୍‌ଆଇଟି) ଉଦ୍‌ଘାଟିତ, ଆଇଟି ରପ୍ତାନୀ ୩.୬ ଲକ୍ଷ କୋଟିକୁ ଛୁଇଁଲାଣି

ଭୁବନେଶ୍ୱର : ଡିଜିଟାଲ୍‌ ଇଣ୍ଡିଆ ଏକ ଦର୍ଶନ। ଆଇଟି ରପ୍ତାନୀ ବୃଦ୍ଧିରୁ ଦେଶର ଆର୍ଥିକ ଅଭିବୃଦ୍ଧି କରାଇବା ସହ ସାଧାରଣ ଲୋକଙ୍କ ଜୀବନଯାପନ ପ୍ରକ୍ରିୟାକୁ ସହଜ ଓ ସୁଗମ କରିବା ହେଉଛି ଡିଜିଟାଲ୍‌ ଇଣ୍ଡିଆ। ଭାରତର ଦକ୍ଷତା ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ସମ୍ମିଶ୍ରଣ କରି ଆସନ୍ତାକାଲି ଏକ ଶକ୍ତିଶାଳୀ ଓ ସମୃଦ୍ଧ ଭାରତ ଗଠନ ହେଉଛି ଏହି ପରିକଳ୍ପନାର ମୂଳ ଲକ୍ଷ୍ୟ। ୫୦ କୋଟି ଟଙ୍କା ବ୍ୟୟରେ ରାଜଧାନୀ ଉପକଣ୍ଠ ଗୋଠାପାଟଣାରେ ଆଜି ପୂର୍ବ ଭାରତର ବୃହତ୍ତମ ସଫ୍ଟେଓ୍ଵର୍‌ ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ (ଏସ୍‌ଟିପିିଆଇ-ଏଲ୍‌ଆଇଟି)ର ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କେନ୍ଦ୍ର ଆଇଟି ଓ ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହା କହିଛନ୍ତି।

ମନ୍ତ୍ରୀ ଶ୍ରୀ ପ୍ରସାଦ କହିଥିଲେ ଯେ ଦେଶରେ ଏଭଳି ୫୮ଟି କେନ୍ଦ୍ର କାମ କରୁଛି। ପୂର୍ବରୁ ଓଡ଼ିଶାରେ ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ଏଭଳି ୩ଟି କେନ୍ଦ୍ର ଥିଲା। ଖୁବ୍‌ ଶୀଘ୍ର ବାଲେଶ୍ୱର, ଅନୁଗୁଳ, କୋରାପୁଟ, ସମ୍ବଲପୁର ଓ ଯାଜପୁରରେ ଆଉ ୫ଟି ଆଇଟି ପାର୍କ ପ୍ରତିଷ୍ଠା କରାଯିବ। ୧୯୯୨-୯୩ରେ ଦେଶ ଆଇଟି ରପ୍ତାନୀରୁ ମାତ୍ର ୫୨ କୋଟି ଟଙ୍କା ଆୟ କରିଥିବାବେଳେ ବର୍ତମାନ ଏହା ୩.୬ ଲକ୍ଷ କୋଟି ଟଙ୍କାରେ ପହଁଞ୍ଚିଛି। ଆଗାମୀ ଦିନରେ ଆଇଟି କେବଳ ରପ୍ତାନୀ ନୁହେଁ, ଇଲୋକ୍ଟ୍ରନିକ୍ସ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ନେବ ବୋଲି ସେ ସୂଚନା ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଏହି ପାର୍କରେ ପ୍ରତିଷ୍ଠା କରାଯାଇଥିବା ଡିଜିଏଚ୍‌(ହାଇଡ୍ରୋକାର୍ବନ)ର ସେକେଣ୍ଡାରି ଡାଟା ସେଣ୍ଟର ଓଡ଼ିଶା ତଥା ରାଜ୍ୟ ବାହାରର ଉଦ୍ୟୋଗୀ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ୍‌ ଉପଯୋଗୀ ହେବ। ମହାନଦୀର ନିମ୍ନ ଅବବାହିକାରୁ ହାଇଡ୍ରୋକାର୍ବନ ଉତ୍ପାଦନ କ୍ଷେତ୍ରରେ ଏହି ଡାଟା ସେଣ୍ଟର ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ। ଓଡ଼ିଶାର ଜିଓଲୋଜିର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ କେବଳ ଥିଓରି ଆଧାରିତ ହେବେ ନାହିଁ। ଏହି ଡାଟା ସେଣ୍ଟର୍‌ର ଡାଟା ରୁମ୍‌କୁ ସେମାନଙ୍କ ପାଇଁ ମାଗଣାରେ ଖୋଲାଯିବ। ଯଦି ନୂଆ ପିଢ଼ିର ଛାତ୍ରଛାତ୍ରୀ ଏହାର ବିଶ୍ଳେଷଣ କରି ନୂଆ ରାସ୍ତା କାଢ଼ିବେ, ତେବେ ଓଡ଼ିଶାର ତୈଳଜାତ ଦ୍ରବ୍ୟ ଅନୁସନ୍ଧାନ ଓ ଉତ୍ପାଦନ ଏବଂ ଏହା ସହ ସଂଶ୍ଳିଷ୍ଟ ଅନେକ କ୍ଷେତ୍ରରେ ଓଡ଼ିଶାର ଆର୍ଥିକ ବିକାଶର ପଥ ପରିଷ୍କାର ହେବ।

ରାଜ୍ୟ ସରକାର ମଧ୍ୟ ଆଇଟି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଅନ୍ୟତମ ଅତିଥି ରାଜ୍ୟ ଗଣଶିକ୍ଷା ମନ୍ତ୍ର ବଦ୍ରିନାରାୟଣ ପାତ୍ର ସୂଚନା ଦେଇଥିଲେ। ଆଇଟି ରପ୍ତାନୀରୁ ମଧ୍ୟ ଓଡ଼ିଶା ହଜାର ହଜାର କୋଟି ଟଙ୍କା ଆୟ କରିବାରେ ସମର୍ଥ ହୋଇପାରିଛି। ବିଭିନ୍ନ ଶିଳ୍ପ ପାଇଁ ରାଜ୍ୟ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିଥିବା ନେଇ ସେ ସୂଚନା ଦେଇଥିଲେ। ଆଜି ପ୍ରଥମେ ଗୋଠପାଟଣାରେ ଏହି ପାର୍କ ଉଦ୍‌ଘାଟନ କରିବା ପରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ସମ୍ମିଳନୀ କକ୍ଷରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ପାର୍କର ନିର୍ଦେଶକ ମାନସ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଏଥିରେ ଏସ୍‌ପିଟିଆଇର ଡିଜି ଓମ୍‌କାର ରାୟ, ଡିଜିଏଚ୍‌ର ଡିଜି ବିବି ଜୋୟା ଓ କେନ୍ଦ୍ର ଆଇଟି ବିଭାଗ ଯୁଗ୍ମ ସଚିବ ଦେବେଶ ତ୍ୟାଗୀ ଉପସ୍ଥିତ ଥିଲେ। ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଓ ଭୁବନେଶ୍ୱର ଆଇଆଇଟି ନିର୍ଦେଶକ ଭି ରାଜକୁମାର ପ୍ରମୁଖ ଏହି ଉତ୍ସବରେ ସ୍ୱତନ୍ତ୍ର ଅତିଥିଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର