ଆଦିବାସୀ ହଷ୍ଟେଲ୍‌ର ଗୁମର ! ‘ଏଡ଼୍‌ସ’ ରୋଗୀ କହି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତଡ଼ିବା ପରେ ଏବେ କାଳିସୀ ଲାଗି ପୋଡ଼ିଗଲା ଛାତ୍ରୀଙ୍କ ପାପୁଲି

ହଷ୍ଟେଲରେ କୋକୁଆଭୟ, ସନ୍ଦେହରେ ଦୁଇ ଶହ ଛାତ୍ରୀଙ୍କ ସୁରକ୍ଷା

ଅନୁଗୁଳ : ଆଠମଲ୍ଲିକ ବ୍ଲକ ରାଧାମାଧବ ନୋଡ଼ାଲ ହାଇସ୍କୁଲ ସରକାରୀ ଆଦିବାସୀ ହଷ୍ଟେଲ୍‌ରେ ‘ଏଡ଼୍‌ସ’ ରୋଗୀ କହି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବର୍ଷ ମଝିରୁ ତଡ଼ିଦେବା ଅଭିଯୋଗ ପରେ ଏବେ ‘କାଳିସୀ’ ଉଭା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ହଷ୍ଟେଲ୍ ଭିତରେ ଛାତ୍ରୀଙ୍କ ଦେହରେ କୁଆଡ଼େ ଦୈବୀଶକ୍ତି ଉଭା ହେଉଥିଲେ। ଛାତ୍ରୀ ‘କାଳିସୀ’ ମାଡ଼ୁଥିଲେ। ହାତରେ ନିଆଁ ଧରି ଏହାର ନିୟମ ପ୍ରମାଣ ଦେଉଥିଲେ। ଯାହାର ଫଳ ସ୍ବରୂପ, ଚଳିତ ମାସ ୮ତାରିଖ ଖୁଦୁରୁକୁଣୀ ଶେଷ ରବିବାର ସନ୍ଧ୍ୟାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ବାମ ହାତ ପାପୁଲି ପୋଡ଼ି ଯାଇଛି। ଆହତ ଛାତ୍ରୀଙ୍କୁ ହଷ୍ଟେଲ୍‌ କର୍ତୃପକ୍ଷ ଘରକୁ ପଠାଇ ଦେଇଛନ୍ତି। ଗଣମାଧ୍ୟମ ସାମ୍ନାକୁ ଘଟଣା ଆସିବା ପରେ ସ୍କୁଲ ଶିକ୍ଷକ ଘରୁ ଛାତ୍ରୀଙ୍କୁ ନେଇ ଚିକିତ୍ସା କରାଇଛନ୍ତି। ଏକ ସରକାରୀ ହଷ୍ଟେଲ ଭିତରେ ‘କାଳିସୀ’ ଉଭା ଏବଂ ପାପୁଲି ପୋଡ଼ା ଘଟଣା ନିରୀହ କୋମଳମତି ଶିଶୁଙ୍କ ମନରେ କେବଳ କୋକୁଆଭୟ ତିଆରି କରିନାହିଁ, ବରଂ ହଷ୍ଟେଲ୍‌ ଭିତରେ କ’ଣ ସବୁ ଚାଲିଛି ତାହାକୁ ନେଇ ସନ୍ଦେହ ତିଆରି ହୋଇଛି।
ହାତ ପୋଡ଼ିଯାଇଥିବା ଏହି ଛାତ୍ରୀଜଣକ ମଧ୍ୟ ଜଣେ ଆଦିବାସୀ କୋଡ଼ା ସମ୍ପ୍ରଦାୟର। ସେ ଗତ କିଛିଦିନ ବର୍ଷ ହେଲା ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ପରିବାର ଲୋକଙ୍କ କହିବା କଥା ହେଲା, ହଷ୍ଟେଲରେ ଖୁଦୁରୁକୁଣୀ ଓଷା ଚାଲିଥିଲା। ଶେଷ ରବିବାର ସନ୍ଧ୍ୟାରେ ଛାତ୍ରୀମାନେ ପୂଜାର୍ଚ୍ଚନା କରୁଥିଲେ। ଏହି ସମୟରେ ଝିଅ ଦେହରେ ହଠାତ୍‌ କାଳିସୀ ଉଭା ହୋଇଥିଲେ। ସର୍ବସମ୍ମୁଖରେ ଛାତ୍ରୀ ମାଡ଼ି ମାଡ଼ି ଯାଇଥିଲେ। ଏହି ସମୟରେ ଝିଅ ହଠାତ୍‌ ହାତରେ ଜଳନ୍ତା ନିଆଁକୁ ଧରି ପକାଇ ବେହୋସ୍‌ ହୋଇଯାଇଥିଲେ। ନିଆଁ କେଉଁଠୁ ଆସିଲା, କିଏ ଧରିବାକୁ କହିଥିଲା ସେ କିଛି ଜାଣି ନାହାନ୍ତି। ଚେତା ଫେରିବା ପରେ ବାମ ହାତ ପାପୁଲି ପୋଡ଼ି ଯାଇଥିବା ସେ ଜାଣିବାକୁ ପାଇଥିଲେ ବୋଲି ଛାତ୍ରୀ ଜଣକ ‘ସମ୍ବାଦ’କୁ କହିଛନ୍ତି।
ଛାତ୍ରୀଙ୍କ ହାତ ପୋଡ଼ିବା ଘଟଣାକୁ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଭାତ ବିଶ୍ବାଳ ସ୍ବୀକାର କରିଛନ୍ତି। କହିଛନ୍ତି, ହଷ୍ଟେଲରେ ଖୁଦୁରୁକୁଣୀ ଓଷା ଚାଲିଥିବା ବେଳେ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଛାତ୍ରୀ ଜଣକ ହଠାତ୍‌ ଦୀପ ଧରିବାରୁ ତାଙ୍କ ହାତ ପୋଡ଼ି ଯାଇଥିଲା। କିନ୍ତୁ, କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ନିଆଁ ଧରିଲେ ତାହାର ଉତ୍ତର ଦେଇ ନାହାନ୍ତି।
ଏସବୁ ବିଚିତ୍ର ଘଟଣା ଦୁଇ ଶହ ଛାତ୍ରୀଙ୍କ ସାମ୍ନାରେ ସବୁ ଘଟିଥିଲା। ସବୁ ଦେଖି ଚୁପ୍‌ ବସିଥିବା ବେଳେ ପିଲାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ହଷ୍ଟେଲ୍ ମାଟ୍ରନ୍ କ’ଣ କରୁଥିଲେ? ‘ଏଡ଼୍‌ସ’ ରୋଗୀ କହି ଜଣେ ଆଦିବାସୀ ଛାତ୍ରୀଙ୍କୁ ବର୍ଷ ମଝିରୁ ତଡ଼ି ଦେବା ଭଳି ‘ଯାତନା ପୂର୍ଣ୍ଣ’ ଅଭିଯୋଗ ଗତକାଲି ଜଣେ ଅଭିଭାବକ ବର୍ଣ୍ଣନା କରିଥିଲେ। ଏବେ ଛାତ୍ରୀଙ୍କ ଦେହରେ କାଳିସୀ ଉଭା ଓ ହାତରେ ନିଆଁ ଧରି ଏହାର ନିୟମ ପ୍ରମାଣ କରିବା ଘଟଣା କୋମଳମତି ଛାତ୍ରୀଙ୍କ ମନରେ ଅନ୍ଧବିଶ୍ବାସର ଇଏ ଚାରା ବପନ କରୁ ନାହିଁ, ବରଂ ହଷ୍ଟେଲରେ କ’ଣ ସବୁ ଚାଲିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଧାମାଧବ ନୋଡ଼ାଲ ହାଇସ୍କୁଲ ହଷ୍ଟେଲରେ ଦୁଇ ଶହ ଅନ୍ତେଃବାସିନୀ ସୁରକ୍ଷିତ ତ? ଆଗକୁ ଛାତ୍ରୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ ତାହାର ତଦାରଖ କରିବାର ଆବଶ୍ୟକତା ରହିଛି।
ସମ୍ବନ୍ଧିତ ଖବର