ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୧୫୩ ପ୍ଲାଟୁନ ପୁଲିସ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ କରିବାରୁ ୧୫୩ ପ୍ଲାଟୁନ ପୁଲିସ ମୁତୟନ କରାଯିବ। ୧୦ ଲକ୍ଷରୁ ଅଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୦୦୦ରୁ ଅଧିକ ପୁଲିସ ଅଫିସର ମୁତୟନ ହେବେ। ଏଥି ସହିତ ଏସ୍‌ଆଇ, ଏଏସ୍‌ଆଇ, କନଷ୍ଟେବଲ, ହେମ୍‌ଗାର୍ଡ ଆଦି ରଥଯାତ୍ରାରେ ମୁତୟନ ହେବେ ବୋଲି ଶେଷ ସମନ୍ଵୟ ବୈଠକରୁ ଜଣାପଡ଼ିଛି।

ପୁରୀ ତାଳବଣିଆରେ ଏକ ପୁଲିସ କଣ୍ଟ୍ରୋଲ ରୁମ ସ୍ଥାପନ ହେବ। ସେହିଭଳି ମହାପ୍ରଭୁଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତାଳବଣିଆ ଓ ମାଳତିପାଟପୁରରେ ଚାରି ଚକିଆ ଓ ବସ ରହିବାକୁ ଥିବା ବେଳେ ବଡ଼ଦାଣ୍ଡ ସନ୍ମିକଟ ୧୬ଟି ପାର୍କିଂ ତିଆରି ହେବ।

ରଥଯାତ୍ରା ପାଇଁ ୫୪୧ଜଣ ଡାକ୍ତର ଓ ପାରାମେଡିକାଲ୍‌ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯିବ। ୧୬୭ ଜଣ ଅତିରିକ୍ତ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏ ମଧ୍ୟରେ ୧୨୭ ଜଣ ଏମ୍‌ବିବିଏସ୍‌ ଡାକ୍ତର ରହିଛନ୍ତି। ସେହିଭଳି ୩୭୪ ଜଣ ପାରା ମେଡିକାଲ୍‌ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯିବ। ୭୦ଟି ଫାଷ୍ଟ୍‌ ଏଡ୍‌ ସେଣ୍ଟର ଖୋଲାଯିବାକୁ ଥିବାବେଳେ ୬୯ଟି ଆମ୍ବୁଲାନ୍‌ସ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ୩୦ଟି ସରକାରୀ ଆମ୍ବୁଲାନ୍‌ସ ଓ ୩୯ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ମୁତୟନ ରହିବେ। ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଲେ, ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ୨୦ଟି ପିଇବା ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି। ସହରରେ ୨୦୦ଟି ଷ୍ଟାଣ୍ଡ୍‌ପୋଷ୍ଟ ରହିଥିବାବେଳେ ଅସ୍ଥାୟୀ ଭାବେ ଆଉ ୨୫୦ଟି ଷ୍ଟାଣ୍ଡପୋଷ୍ଟ ବ୍ୟବସ୍ଥା କରାଯାଇଛି। ୭୫୭ଟି ହ୍ୟାଣ୍ଡ୍‌ପମ୍ପ୍‌ ବି ରହିଛି। ପାନୀୟ ଜଳଯୋଗାଣ ଅବ୍ୟାହତ ରଖିବା ପାଇଁ ୨୬ଟି ଡିଜିଟାଲ୍‌ ଜେନେରେଟର୍‌ ବ୍ୟବସ୍ଥା କରାଯାଇଛି। ପାନୀୟ ଜଳଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ୫ଟି ମୋବାଇଲ୍‌ ୟୁନିଟ୍‌ ଗଠନ କରାଯାଇଛି।

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ରାଜ୍ୟ ତଥା ଦେଶବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହୋଇଥାଏ। ଏହି ଦୃଷ୍ଟିରୁ ରଥଯାତ୍ରାକୁ ଶୃଙ୍ଖଳାର ସହ ସମାପନ କରିବା ଏକ ଗୁରୁ ଦାୟିତ୍ଵ। ରଥଯାତ୍ରାରେ ସେବାୟତଙ୍କ ପ୍ରମୁଖ ଭୂମିକା ରହିଛି। ଏଣୁ ଶୃଙ୍ଖଳିତ ରଥଯାତ୍ରା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ।

ସମ୍ବନ୍ଧିତ ଖବର