ମେଘନାଦ ପାଚେରି ପାଖରୁ ସବୁ ନିର୍ମାଣ ଭାଙ୍ଗ

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏନ୍‌ଏସ୍‌ଜିର ପରାମର୍ଶ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିରର ମେଘନାଦ ପାଚେରିିକୁ ଲାଗି କୌଣସି ନିର୍ମାଣ ରହିବା ନିରାପଦ ନୁହେଁ। ଏପରିକି ଶ୍ରୀମନ୍ଦିର ସାମ୍ନାରେ ଥିବା ଜୋତା ଦୋକାନ ବି। ମେଘନାଥ ପାଚେରି ସଂଲଗ୍ନ ଚାରିପାଖ ପ୍ରଶସ୍ତ ରହିବା ଦରକାର। କେବଳ ସେତିକି ନୁହେଁ, ସେବାୟତଙ୍କୁ ପରିଚୟ ପତ୍ର ଦିଆଯିବା ସହିତ ସେମାନଙ୍କୁ ସୁରକ୍ଷା ସଂପର୍କିତ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ଆତଙ୍କବାଦୀ ଆକ୍ରମଣ ଭୟ ଥିବା ପରିପ୍ରେକ୍ଷୀରେ ଏମିତି କିଛି ପଦକ୍ଷେପ ତୁରନ୍ତ ନେବା ଲାଗି ଏନ୍‌ଏସ୍‌ଜି କର୍ତ୍ତୃପକ୍ଷ ଶ୍ରୀମନ୍ଦିର ପ୍ରଶାସନକୁ ସତର୍କ କରାଇ ଦେଇଥିବା ସୂଚନା ମିଳିଛି। ଏନ୍‌ଏସ୍‌ଜିର ଏ ରିପୋର୍ଟ ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। କିଛି ବର୍ଷ ତଳେ ପୁରୀରେ ଆତଙ୍କବାଦୀ ରହିଥିବା ସଂପର୍କରେ ଏନ୍‌ଏସ୍‌ଜି କର୍ତ୍ତୃପକ୍ଷ ତାଙ୍କ ରିପୋର୍ଟରେ ଦର୍ଶାଇଥିବା କାରଣରୁ ଏଭଳି ପରାମର୍ଶକୁ ଜରୁରି ବୋଲି କର୍ତ୍ତୃପକ୍ଷ ମାନୁଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୁରୀ ଶ୍ରୀମନ୍ଦିର ପ୍ରତି ବିପଦ ଥିବା ନେଇ ଅନେକ ଥର ପୂର୍ବରୁ ଗୁଇନ୍ଦା ସୂଚନା ମିଳିଛି। ଏହାକୁ ଆଖି ଆଗରେ ରଖି ବିଭିନ୍ନ ସମୟରେ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଥାଏ। ନିକଟରେ ଏନ୍‌ଏସ୍‌ଜି ଅଧିକାରୀମାନେ ଆସି ଏକ ରେକି କରିଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ରିପୋର୍ଟ ଦିଆଯାଇଛି। ଏଥିରେ ସୁରକ୍ଷା ସଂପର୍କରେ ଅନେକ ପଦକ୍ଷେପ ନେବା ଲାଗି କୁହାଯାଇଛି।

ଏନ୍‌ଏସ୍‌ଜି କର୍ତ୍ତୃପକ୍ଷ ସୂଚାଇଛନ୍ତି, ମେଘନାଦ ପାଚେରିକୁ ଲାଗି ଯେତିକି ନିର୍ମାଣ ହୋଇଛି, ତାହା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏହାକୁ ମାଧ୍ୟମ କରି ଯେ କେହି ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିପାରନ୍ତି। ଏଣୁ କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ ନିର୍ମାଣକୁ ଭାଙ୍ଗିବା ସହିତ ମେଘନାଦ ପାଚେରି ଠାରୁ ନିର୍ଦିଷ୍ଟ ଦୂରତା ପର୍ଯ୍ୟନ୍ତ କୌଣସି ବି ନିର୍ମାଣକୁ ପ୍ରଶୟ ଦେବା ଉଚିତ୍‌ ନୁହେଁ। ଶ୍ରୀମନ୍ଦିର ନିକଟରେ ଥିବା ଓ୍ଵାଚ୍‌ ଟାଓ୍ଵାରକୁ ଅଧିକ ପ୍ରଭାବୀ କରିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରବେଶ ବେଳେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ସବୁ ସେବାୟତ ଓ ଶ୍ରୀମନ୍ଦିର ଅଧିକାରୀଙ୍କ ପାଇଁ ତୁରନ୍ତ ପରିଚୟ ପତ୍ର ବ୍ୟବସ୍ଥା କରିବା ଲାଗି କହିଛନ୍ତି। ଏହାଦ୍ୱାରା ସେମାନଙ୍କ ବେଶରେ ଅନ୍ୟ ଅସାମାଜିକ ତତ୍ତ୍ୱଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯାଇପାରିବ। କେବଳ ସେତିକି ନୁହେଁ, ସେବାୟତଙ୍କୁ ସୁରକ୍ଷା ସଂପର୍କିତ ପ୍ରଶିକ୍ଷଣ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।

କୁହାଯାଇଛି ଯେ ଶ୍ରୀମନ୍ଦିରରେ ପରିସରରେ ପ୍ରଶିକ୍ଷଣ ପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ଅପରିହାର୍ଯ୍ୟ ହୋଇପଡିଛି। ଏକ କ୍ୱିକ୍‌ ଆକ୍ସନ ଟିମ୍‌ ଗଠନ କରାଯିବା ଦରକାର। ଫଳରେ ଅଘଟଣ ବେଳେ ତୁରନ୍ତ ଅପରେସନ୍‌ କରାଯାଇପାରିବ। କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଧିକ ଫୋର୍ସ ମୁତୟନ କରିବା ଲାଗି କୁହାଯାଇଛି। ସେହିଭଳି ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ୍‌ ନ ନେବା ଲାଗି ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ଆତଙ୍କବାଦୀ ଭୟ ରହିଛି। ପୂର୍ବରୁ ଏ ନେଇ ବାରମ୍ବାର ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା। ନିକଟରେ ଆତଙ୍କବାଦୀ ସଂଗଠନର ଦୁଇଜଣ କର୍ମକର୍ତ୍ତା ପୁରୀରେ ରହିଥିବା ସଂପର୍କରେ ଜେରା ବେଳେ ଜଣାପଡିଥିଲା। ଏନ୍‌ଏସ୍‌ଜି କର୍ତ୍ତୃପକ୍ଷ ଏ ନେଇ ତାଙ୍କ ରିପୋର୍ଟରେ ମଧ୍ୟ ଦର୍ଶାଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି, ଏନ୍‌ଏସ୍‌ଜିର ଏ ରିପୋର୍ଟକୁ ସେ ଦେଖିଛନ୍ତି ଓ ତର୍ଜମା କରାଯାଉଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା ଅବଶ୍ୟ ନିଆଯିବ।

 

 

 

 

 

 

ସମ୍ବନ୍ଧିତ ଖବର