ମାଓ ଇଲାକାରେ ସୁରକ୍ଷା କଡ଼ାକଡ଼ି; ପରିସ୍ଥିତି ତଦାରଖ ଲାଗି ଏଡିଜି ଅପରେସନ୍‌ ଫୁଲବାଣୀରେ

ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣର ଅବ୍ୟବହିତ ପୂର୍ବରୁ ଆଜି କନ୍ଧମାଳ ଜିଲ୍ଲାରେ ଦୁଇଟି ମାଓ ହିଂସାକାଣ୍ଡ ଘଟିବା ପରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଏକ ପୋଲିଂ ଗାଡ଼ିକୁ ପୋଡ଼ି ଦେବା ସହ ଗୁଳିମାଡ଼ କରି ଜଣେ ପୋଲିଂ ସୁପରଭାଇଜରଙ୍କୁ ହତ୍ୟା କରିଛନ୍ତି।

ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଅପରେସନ୍‌)ଆର୍‌ପି କୋଚ୍ଚେ ଫୁଲବାଣୀ ଠାରେ ରହି ନିର୍ବାଚନକୁ କିପରି ଆସନ୍ତାକାଲି ହିଂସାମୁକ୍ତ କରାଯିବ ତାର ତଦାରଖ କରୁଛନ୍ତି ବୋଲି ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ସମ୍ବାଦ-ଡ଼ଟ୍‌-ଇନକୁ କହିଛନ୍ତି। ଏହି ମାଓବାଦୀ ଅଧ୍ୟୁଷିତ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ସ୍ପେସାଲ ଅପରେସନ୍‌ ଗ୍ରୁପ୍‌(ଏସ.ଓ.ଜି) ଏବଂ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀକୁ ମୁତୟନ କରାଯାଇଛି ବୋଲି ସେ କହିଛନ୍ତି।

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ମାଓ ଅଧ୍ୟୁଷିତ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହେଉଥିବାରୁ ଏବଂ ମାଓବାଦୀଙ୍କ ଭୋଟ ବର୍ଜନ ଡାକରା ପରିପ୍ରେକ୍ଷୀରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ଏବଂ ବରିଷ୍ଠ ଅଫିସର୍‌ମାନେ ସେଠାରେ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର