ବିଧାନସଭା ପାଇଁ କଡ଼ାସୁରକ୍ଷା : ୩୦ ପ୍ଲାଟୁନ୍‌ ଫୋର୍ସ, ୧୦୦ ଅଫିସର ମୁତୟନ

ବିକ୍ଷୋଭକାରୀଙ୍କ ଉପରେ ନଜର ରଖିବ ସିସି କ୍ୟାମେରା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ୩ ଥାକିଆ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା। ସମୁଦାୟ ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ, ପାଖାପାଖି ୧୦୦ ଅଫିସର, ୩ ଜଣ ଆଡିସନାଲ୍‌ ଡିସିପି ଓ ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ବିଧାନସଭା ବ୍ୟତୀତ ଲୋୟର ପିଏମ୍‌ଜିରେ ବିକ୍ଷୋଭକାରୀଙ୍କ କାର୍ଯ୍ୟକଳାପ ଉପରେ ସିସି କ୍ୟାମେରା ନଜର ରଖିଛି।

ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତିଙ୍କ ସୂଚନା ଅନୁଯାୟୀ, ପୂର୍ବଥର ଭଳି ଚଳିତ ଥର ମଧ୍ୟ ବିଧାନସଭା ଅଧିବେଶନ ବେଳେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷାବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବ। ବିଧାନସଭାର ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି। ଗୋଟିଏ ଚେକ୍‌ପୋଷ୍ଟରେ କାର୍‌ କିମ୍ବା ବାଇକ୍‌ ପ୍ରବେଶ କରିବା ପରେ ତାଙ୍କୁ ଅଟକ ରଖାଯିବ। ଯାଞ୍ଚ କରାଯିବା ପରେ କାର୍‌ ଓ ବାଇକ୍‌କୁ ବିଧାନସଭା ଭିତରକୁ ଛଡ଼ା ଯିବ। ଆବଶ୍ୟକ ହେଲେ କାର ଓ ବାଇକ୍‌ର କାଗଜପତ୍ର ଯାଞ୍ଚ କରାଯିବ। ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌ ନିକଟରେ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି। ସେହିପରି ୫୦ରୁ ଅଧିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବିନେଇ ବିକ୍ଷୋଭ, ଧାରଣା ଓ ଅନଶନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଏଭଳି ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍‌ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌-ପିଏମ୍‌ଜି ରାସ୍ତାକୁ ସିଲ୍‌ କରାଯାଇଛି। ସେହିପରି ଭୁବନେଶ୍ୱର ଷ୍ଟେସନ୍‌ ନିକଟରେ ଥିବା ସମସ୍ତ ହୋଟେଲ୍‌, ଲଜ୍‌ରେ ରହୁଥିବା ଗେଷ୍ଟ ହାଉସ୍‌ମାନଙ୍କରେ ଯାଞ୍ଚ ଆରମ୍ଭ କରିଛି। ରାତିରେ ବ୍ଲକିଂ ମଧ୍ୟ ଆରମ୍ଭ କରିଛି ପୁଲିସ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଧାନସଭା ଅଧିବେଶନ ପାଇଁ କମିସନରେଟ୍‌ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି।

ସମ୍ବନ୍ଧିତ ଖବର