ଡଙ୍କାରୀ ପାହାଡ଼ ସ୍ଥିତି ପରଖିଲା ସିଆ ଟିମ୍‌

ପାହାଡ଼ ଉପରେ ପୋଖରୀ, ପଥର ବ୍ୟବସାୟୀଙ୍କ କାରବାର ଠପ୍, ପାହାଡ଼କୁ ଧ୍ୱଂସମୁଖରୁ ରକ୍ଷା ପାଇଁ ଗ୍ରାମବାସୀଙ୍କ ଫେରାଦ

ଯାଜପୁରରୋଡ୍/ଚଢେଇଧରା : ବିବାଦୀୟ ଡଙ୍କାରୀ ପାହାଡ଼ର ସ୍ଥିତି ପରଖିଛି ସିଆ (‌ଷ୍ଟେଟ୍‌ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପେକ୍ଟ ଆସେସମେଣ୍ଟ ଅଥରିଟି) ଟିମ୍। ଆଜି ସିଆ ପ୍ରତିନିଧି ଦଳ ପାହାଡ଼ ଉପରକୁ ଯାଇ ସେଠାକାର ସ୍ଥିତି ସଂପର୍କରେ ଅବଗତ ହେବା ସହିତ ‌ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟପଟେ ପାହାଡ଼କୁ ଧ୍ବଂସ ମୁଖରୁ ରକ୍ଷା କରିବା ପାଇଁ ପ୍ରତିନିଧି ଦଳକୁ ଫେରାଦ୍ ହୋଇଛନ୍ତି ଗ୍ରାମବାସୀ।

ମିଳିଥିବା ସୂଚନା ଅନୁସାରେ, ପ୍ରତିନିଧି ଦଳ ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟାନ୍ବିତ ହେବା ସହ ବିରକ୍ତି ପ୍ରକାଶ କରିଛନ୍ତି। ଡଙ୍କାରୀ ପାହାଡ଼ ଉପରେ ବଡ଼ ବଡ଼ ଗଭୀର ପୋଖରୀ। ସେଥି‌ରେ ପୁଣି ବଡ଼ ବଡ଼ ମାଛ। ପାହାଡ଼ରେ ଚାଲିଛି ପଥର ବ୍ୟବସାୟୀଙ୍କର ଧ୍ବଂସଲୀଳା। ଗଦାଗଦା ଭଙ୍ଗା ପଥର ସ୍ତୂପ। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ଙ୍କ ନିର୍ଦେଶ କ୍ରମେ ସିଆ ଟିମ୍ ଆଜି ଗସ୍ତ କରିବା ସୂଚନା ଆଗୁଆ ଜଣାପଡ଼ିଯିବାରୁ ୨/୩ଦିନ ପୂର୍ବରୁ ଡଙ୍କାରୀରେ ଚାଲିଥିବା ଧ୍ବଂସଲୀଳାକୁ ସ୍ଥଗିତ ରଖାଯାଇଥିଲା। ଅଥଚ ବେଆଇନ୍ ଖାଦାନରେ ହଜାର ହଜାର ଟନ ଭଙ୍ଗାପଥର, ମେସିନ୍‌ ଓ ଗାଡ଼ିଘୋଡ଼ା ପାହାଡ଼ ଓ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ରହିଥିଲା। ଏଠାରେ କଣ ଚାଲିଛି! ସେଥିରୁ କମିଟି ବେଶ ହୃଦୟଙ୍ଗମ କରିଛନ୍ତି। କମିଟି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବହୁ ତଥ୍ୟ ହାସଲ କରିଛନ୍ତି।

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ପାହାଡ଼କୁ ଏନ୍‌ଜିଟିର ନିର୍ଦ୍ଦେଶରେ ଗଠିତ ଅନୁସନ୍ଧାନ ଦଳ ଆଜି ଅପରାହ୍ନରେ ଆସିଥିଲେ। ପରିବେଶ ଆଇନ୍ କୁ ‌େମାଡ଼ି ମକଚି କୋଟି କୋଟି ଟଙ୍କାର ପଥର ଲୁଟ୍ କରୁଥିବା ପଥର ବ୍ୟବସାୟୀଙ୍କ ଅମରାବତୀ ଡଙ୍କାରୀ ପାହାଡ଼କୁ ଗସ୍ତ କରି ପାରିପାର୍ଶ୍ବିକ ଅବସ୍ଥା ଓ ପରିବେଶ ଅନୁଧୢାନ କରିଛନ୍ତି। ସିଆର ଅଧୢକ୍ଷ ସୁରେଶ ମହାନ୍ତିଙ୍କ ଅଧୢକ୍ଷତାରେ ଗଠିତ ଏହି କମିଟିରେ ଜିଲ୍ଲାପାଳ ର˚ଜନ କୁମାର ଦାସ, ଏସପି ଚରଣ ସି˚ ମୀନା, ବରିଷ୍ଠ ଜିଓଲିଷ୍ଟ ଦେବାଶିଷ ରାୟ, କଟକ ଡିଏଫଓ ଏସ୍ଏମପି ରହମାନ, ଏସଏମଡ଼ି ରେହେମାନ, ବନାଞ୍ଚଳ ଅଧିକାରୀ ମନର˚ଜନ ସ୍ବାଇଁ, ତହସିଲଦାର(ଧର୍ମଶାଳା) ଶୀତଲ ଅଗ୍ରଵାଲ୍‌ , ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାସ ସହ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତଥିଲେ।

ପ୍ରକାଶଥାଉକି, ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଅଭିଯୋଗ ଅନୁଯାୟୀ ବିନା ଲିଜ୍‌ରେ ବେଆଇନ୍ ଭାବେ ପରିବେଶକୁ ଧ୍ବଂସ କରି ଡ୍ରିଲିଙ୍ଗ ବ୍ଲାଷ୍ଟିଙ୍ଗ୍‌ କରାଯାଇ କୋଟି କୋଟି ଟଙ୍କାର ପଥର ଚୋରା ଚାଲାଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର