ମାଛ ଚାଷରେ ପଶିବେ ଏସ୍‌ଏଚ୍‌ଜି

0 401

ଭୁବନେଶ୍ୱର : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଗ୍ରାମପଞ୍ଚାୟତ ପୋଖରୀରେ ମତ୍ସ୍ୟ ଉତ୍ପାଦନର ଆଭିମୁଖ୍ୟ ଓ ଆଲୋଚନା ଆଜି ହୋଟେଲ ନ୍ୟୁ ମାରିୟନ୍‌ରେ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ଅନୁମୋଦନକ୍ରମେ ଏହି ବିଭାଗର ପ୍ରତି ପଞ୍ଚାୟତରେ ଥିବା ପୋଖରୀରେ ସ୍ବତନ୍ତ୍ର ପ୍ରଣାଳୀରେ ମାଛ ଚାଷ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଚାଷର ସମସ୍ତ ଦାୟିତୱ ମିସନ ଶକ୍ତି ଦ୍ୱାରା ଗଠିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନ୍ୟସ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ ହଜାର ଏସ୍‌ଏଚ୍‌ଜି ଗ୍ରୁପ୍ ଜରିଆରେ ୧୬ଶହ ହେକ୍ଟର ପରିମିତ ଜଳାଶୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ କହିଲେ, ମା’ ଓ ଶିଶୁଙ୍କ ପୁଷ୍ଟିସାଧନ, ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି ଓ ମହିଳାଙ୍କୁ ସଶକ୍ତୀକରଣ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଆଗାମୀ ଦିନମାନଙ୍କରେ ପଶୁପାଳନ, କୃଷି, ଉଦ୍ୟାନକୃଷି ଓ ଗୋପାଳନ ସହିତ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ସାମିଲ କରାଯିବ। ଏହାସହିତ ଏସ୍‌ଏଚ୍‌ଜିମାନଙ୍କୁ ବ୍ୟାଙ୍କ ସହିତ ଯୋଗାଯୋଗ କରାଯିବ। ଏସ୍‌ଏଚ୍‌ଜି କିଭଳି ଉଦ୍ୟୋଗରେ ପରିଣତ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଥିଲେ।

ମତ୍ସ ଓ ପଶୁସଂପଦ ବିଭାଗର ସଚିବ ବିଶାଲ ଗଗନ କହିଲେ, ରାଜ୍ୟର ୯୮ପ୍ରତିଶତ ଲୋକ ଆମିଷାଶୀ। ବାହାର ରାଜ୍ୟ ମାଛର ଚାହିଦା ରାଜ୍ୟରେ ରହିଛି। ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉତ୍ସାହଜନକ ରହିଛି। ତେଣୁ ମଧୁର ମାଛ ଉତ୍ପାଦନକୁ ଆସନ୍ତା ୨ବର୍ଷରେ ଆତ୍ମନିର୍ଭରଶୀଳ କରିବା ଦିଗରେ ଏସ୍‌ଏଚ୍‌ଜିମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ରାଜ୍ୟରେ ପଞ୍ଚାୟତସ୍ତରରେ ୭୦ହଜାର ପୋଖରୀ ରହିଛି। ଏସ୍‌ଏଚ୍‌ଜିମାନଙ୍କୁ ମାଛ ଚାଷରେ ସହାୟତା କରିବା ପାଇଁ ପ୍ରତି ପଞ୍ଚାୟତରେ ୨ଟି ଲେଖାଏଁ ପ୍ରାଣୀ ମିତ୍ରଙ୍କୁ ତାଲିମ ପ୍ରଦାନ କରାଯିବ। ପ୍ରାଣୀ ମିତ୍ରଙ୍କୁ ଏଥିପାଇଁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦିଆଯିବ ବୋଲି ଶ୍ରୀ ଗଗନ କହିଥିଲେ।

ମିସନ ଶକ୍ତିର ନିର୍ଦେଶିକା ସୁଜାତା କାର୍ତିକେୟନ କହିଲେ, ଏସ୍‌ଏଚ୍‌ଜିମାନଙ୍କୁ ଆସନ୍ତା ୩ବର୍ଷ ପାଇଁ ସହାୟତା ପ୍ରଦାନ କରାଯିବ। ଯେଉଁ ପଞ୍ଚାୟତରେ ପଞ୍ଚାୟତ ପୋଖରୀ ରହିଛି ବିନା ନିଲାମରେ ଏହାକୁ ଏସ୍‌ଏଚ୍‌ଜିମାନଙ୍କୁ ପ୍ରଦାନ ଉପରେ ଗୁରୁତ୍ବ ଦିଆଯିବ। ଯଦି ସେଠାରେ କୌଣସି ଏସ୍‌ଏଚ୍‌ଜି ଗ୍ରୁପ୍ ପୋଖରୀ ନେବା ପାଇଁ ଆଗେଇ ନ ଆସନ୍ତି ସେଠାରେ ଏହାକୁ ନିଲାମ କରାଯିବ। ଆଗକୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ସହିତ ଚୁକ୍ତି ସ୍ବାକ୍ଷରିତ ହେବା ସହିତ ଅନ୍ୟାନ୍ୟ ବିଭାଗ ସହିତ ଏସ୍‌ଏଚ୍‌ଜିମାନଙ୍କୁ ସାମିଲ୍‌ କରାଯିବ ବୋଲି ଶ୍ରୀମତୀ କାର୍ତିକେୟନ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ନିର୍ଦେଶକ ପ୍ରତାପ ଦାଶ ଉପସ୍ଥିତ ଥିଲେ। ଏହି ଅବସରରେ ଏସ୍‌ଏଚ୍‌ଜିମାନଙ୍କୁ ଦିଆଯିବାକୁ ଥିବା ଟ୍ରେନିଂ ମାନୁଆଲ ଉନ୍ମୋଚିତ ହୋଇଥିଲା।

ପ୍ରାରମ୍ଭରେ ମତ୍ସ୍ୟ ବିଭାଗ ନିର୍ଦେଶକ ପ୍ରଶାନ୍ତ କୁମାର ସେନାପତି କାର୍ଯ୍ୟକ୍ରମର ଅାଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିବା ବେଳେ ବିଭାଗର ଯୁଗ୍ମ ନିର୍ଦେଶକ ଉମେଶ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.