ଶ୍ରୀମନ୍ଦିରରେ ସେଲ୍‌ଫି, ପୁଣି ଭାଇରାଲ୍‌

ପୁରୀ : ଶ୍ରୀମନ୍ଦିର ପରିସର ନିଷିଦ୍ଧ ସ୍ଥାନରେ ଉଠା ଯାଇଥିବା ଫଟୋ ପୁଣି ଥରେ ଭାଇରାଲ ହୋଇଛି। ମହାରାଷ୍ଟ୍ରର ଜଣେ ପର୍ଯ୍ୟଟକ ଆକାଶ ମାଡ଼୍‍କେ ଏହାକୁ ନିଜ ଫେସ୍‍ବୁକ୍‍ ପ୍ରୋଫାଇଲ୍‍ରେ ଜାନୁଆରି ୧୧ ତାରିଖରୁ ଅପଲୋଡ଼୍‍ କରିଥିଲେ ମଧ୍ୟ ଏହା ଆଜି ସାମ୍ନାକୁ ଆସିଛି। ପୂର୍ବରୁ ଅନେକଥର ଏଭଳି ଭାଇରାଲ ହୋଇଥିଲେ ମଧ୍ୟ ଏଥିରେ ଅନେକ ଗୁପ୍ତ ସ୍ଥାନର ଫଟୋ ରହିଛି। ଫଳରେ ଚର୍ଚ୍ଚା ଜୋର ଧରିଛି। କୋଇଲି ବୈକୁଣ୍ଠ ଓ ରତ୍ନ ଭଣ୍ଡାର ଭଳି ଗୁରୁତ୍ଵପୂର୍ଣ୍ଣ ସ୍ଥାନର ଫଟୋ ରହିଛି। ଜଣେ କିମ୍ବା ଦୁଇଜଣ ନୁହେଁ, ପାଖାପାଖି ୧୦ ଜଣ ଛିଡ଼ା ହୋଇ ବିଭିନ୍ନ ପୋଜ୍‍ରେ ଫଟୋ ଉଠାଇଛନ୍ତି।

ଶ୍ରୀମନ୍ଦିର ଭିତରର ଫଟୋ ହୋଇଥିବାରୁ ଏହା ଭାଇରାଲ ହେବାରେ ଲାଗିଛି। ନିକଟ ଅତୀତରେ ଏଏସ୍‍ଆଇ ପକ୍ଷରୁ ନିମନ୍ତ୍ରିତ ଜଣେ ସରକାରୀ ଅଧିକାରୀ ଫଟୋ ପୋଷ୍ଟ କରିବା ନେଇ ତନାଘନା ହୋଇଥିଲା। ସମ୍ପୃକ୍ତ ସଂସ୍ଥା ସହ ଏଏସ୍‍ଆଇ କ୍ଷମା ପ୍ରାର୍ଥନା କରିଥିଲା। କିନ୍ତୁ ଏହି ସବୁ ପର୍ଯ୍ୟଟକଙ୍କ ଫଟୋ ଅପ୍‍ଲୋଡ଼୍‍କୁ ନେଇ କୌଣସି ତଦନ୍ତ କରାଯାଉ ନାହିଁ କିମ୍ବା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କାରଣ ଖୋଳତାଡ଼ ହେଲେ ବଡ଼ବଡ଼ିଆ ଏଥିରେ ପଡ଼ିଯିବାର ଆଶଙ୍କା ରହିଛି। ବାସ୍ତବରେ ସିଂହଦ୍ଵାର ବା ଅନ୍ୟ ସମସ୍ତ ଦ୍ଵାର ଦେଇ ଭକ୍ତ ପ୍ରବେଶ କରିବା ବେଳେ ଯାଞ୍ଚ କରାଯାଏ। କିନ୍ତୁ ବଡ଼ବଡ଼ିଆଙ୍କ ବନ୍ଧୁବର୍ଗ ଆସିଲେ ଉପର ମୁଣ୍ଡରୁ ଫୋନ୍‍ ଆସେ। ସେମାନେ ବିନା ଯାଞ୍ଚରେ ପ୍ରବେଶ କରିଥାନ୍ତି। ଗତ ସେପ୍ଟେମ୍ବର ମାସରେ ଅନେକ ଅଣଓଡ଼ିଆ ଭକ୍ତ ଏହି ନିଷିଦ୍ଧ ସ୍ଥାନରୁ ଫଟୋ ଅପ୍‍ଲୋଡ଼୍‍ କରି ଚର୍ଚ୍ଚାକୁ ଆସିଥିଲେ।

ଅନ୍ୟପଟେ ପ୍ରାୟ ୬ ବର୍ଷ ତଳେ ଶ୍ରୀମନ୍ଦିର ଯୁବ ସେବାୟତମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଦିଆଯାଉଥିଲା। ଫଟୋ ଉଠାଇବା ସହ ଆଚାର ବ୍ୟବହାରକୁ ନେଇ ସେମାନେ ସଚେତନ ହେଉଥିଲେ। ହେଲେ ଏବେ ଏହାକୁ ବନ୍ଦ କରିଦିଆଯାଇଛି। ତେବେ ଏବେ ଆଣ୍ଡ୍ରଏଡ଼୍‍ ହାଣ୍ଡସେଟ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିବା ବେଳେ ସେବାୟତ କର୍ମଚାରୀ ଓ ଅଧିକାରୀମାନଙ୍କୁ ବିନା କ୍ୟାମେରା ଫୋନ୍‍ ଦିଆଯାଉଛି।

ସମ୍ବନ୍ଧିତ ଖବର