ଫସଲ ଉତ୍ପାଦନ ଖର୍ଚ ହ୍ରାସ ରାଜ୍ୟ ପାଇଁ ଆହ୍ବାନ

ରାଜ୍ୟସ୍ତରୀୟ ତିନିଦିନ ବ୍ୟାପୀ ପ୍ରାକ୍‌ ରବି କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ବର : ରାଜ୍ୟରେ ଫସଲ ଉତ୍ପାଦନ ଖର୍ଚ ହ୍ରାସ କେବଳ ଚାଷୀଙ୍କ ପାଇଁ ନୁହେଁ ସରକାର, କୃଷିବିତ୍‌ଙ୍କ ନିମନ୍ତେ ବଡ଼ ଆହ୍ବାନ। ଏହା ରୂପାୟନ ହେଲେ ଚାଷୀଙ୍କ ଆୟ ବୃଦ୍ଧି ପାଇପାରିବ। ସେହିପରି ଧାନ ଫସଲରୁ ମୁହଁ ଫେରାଇ ଚାଷୀମାନଙ୍କୁ ଅର୍ଥକରୀ ଫସଲ ଚାଷ ଦିଗକୁ ଆକୃଷ୍ଟ କରିବାକୁ ହେବ। ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ନିର୍ଯ୍ୟାସ ଉଦ୍‌ଯାପିତ ହୋଇଥିବା ତିନିଦିନ ବ୍ୟାପୀ ରାଜ୍ୟସ୍ତରୀୟ ପ୍ରାକ୍‌ ରବି କର୍ମଶାଳାରୁ ବାହାରିଛି।

ଆଜି କୃଷି ଭବନରେ ଅନୁଷ୍ଠିତ କର୍ମଶାଳାର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ ଯେ ଚଳିତ ରବି ଋତୁରେ ଅନ୍ୟୂନ ୧୦ ଲକ୍ଷ ମେଟ୍ରିକ ଟନ୍‌ର ଚାଉଳ, ୭.୩ ଲକ୍ଷ ଟନ୍‌ର ଡାଲି ଆଦିକୁ ମିଶାଇ ମୋଟ ୧୮.୭୨ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହାଛଡ଼ା ୫.୨୭ ଲକ୍ଷ ମେଟ୍ରିକ ଟନ୍‌ ତୈଳବୀଜ, ୭୦.୮୩ ଲକ୍ଷ ମେଟ୍ରିକ ଟନ୍‌ର ପନିପରିବା, ୧.୪୦ ଲକ୍ଷ ମେଟ୍ରିକ ଟନ୍‌ର ମସଲା ଓ ୨୨.୫୦ ଲକ୍ଷ ମେଟ୍ରିକ ଟନ୍‌ ଆଖୁ ଉତ୍ପାଦନ କରାଯିବ। ସେହିପରି ରାଜ୍ୟରେ ସରକାରୀ ସ୍ତରରେ ପନିପରିବା ବିହନ କେନ୍ଦ୍ର ଖୋଲିବାକୁ ସେ କହିଥିଲେ।

କର୍ମଶାଳାର ଦ୍ବିତୀୟ ଦିବସରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌ଙ୍କୁ ୧ ପ୍ରତିଶତ ହାରରେ ଋଣ ଦେବାର ବ୍ୟବସ୍ଥା ଓ ଇ-ମାର୍କେଟିଂ ବ୍ୟବସ୍ଥାରେ ଚାଷୀଙ୍କୁ ଯୋଡ଼ିବା ପାଇଁ ବ୍ୟବସ୍ଥା କରାଯାଇଥିବା କହିଥିଲେ। କର୍ମଶାଳାରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, କୃଷି ବିଭାଗ ପ୍ରମୁଖ ସଚିବ ଡ. ସୌରଭ ଗର୍ଗ, କେନ୍ଦ୍ର ସରକାରଙ୍କ ପ୍ରାକ୍ତନ କୃଷି ସଚିବ ଶୋଭନ କୁମାର ପଟ୍ଟନାୟକ, ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ, ଓଡ଼ିଶା ଖାଦ୍ୟ ମିସନ ଅଧ୍ୟକ୍ଷ ରଙ୍ଗଲାଲ୍‌ ଜାମୁଡ଼ା ଓ ଅନ୍ୟାନ୍ୟ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ କୃଷି ଓ କୃଷକଙ୍କ ପାଇଁ ମାର୍ଗଦର୍ଶନ ଦେଇଥିଲେ।

ଏହି ଅବସରରେ କୃଷିମନ୍ତ୍ରୀ ଶ୍ରୀ ମହାରଥୀ ଆଡାପ୍ଟ ଟିମ୍‌ର ଡ୍ୟାସବୋର୍ଡ ଉଦ୍‌ଘାଟନ କରିବା ସହିତ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କୃଷି ଅଧିକାରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର