ଜମି ବଦଳରେ କ୍ଷତିପୂରଣ ଓ ବଜାର ମୂଲ୍ୟ ଏକ ନୁହେଁ: ପ୍ରଭାତ ପଟ୍ଟନାୟକ

‘ଶିଳ୍ପ ଓ ବିସ୍ଥାପନ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : କେବଳ ଭାରତ ନୁହେଁ ବିଶ୍ୱର ପ୍ରତ୍ୟେକ ଦେଶରେ ଜମି ଏକ ମୁଖ୍ୟ ବିବାଦ ପାଲଟିଛି। ଶିଳ୍ପ କିମ୍ବା ଭିତ୍ତିଭୂମିର ବିକାଶ ପାଇଁ ଜମିର ଆବଶ୍ୟକତା ଥିବାବେଳେ ଜମି ଉପରେ ନିର୍ଭର କରୁଥିବା ଲୋକ ଜମି ଦେବାକୁ ଇଚ୍ଛୁକ ନୁହନ୍ତି। ବଜାର ମୂଲ୍ୟ ଅନୁଯାୟୀ ଯଦି ଜମି ମାଲିକକୁ ଟଙ୍କା ଦିଆଯାଏ ଓ ସେ ନିଜର ଜମି ଦେବାକୁ ରାଜି ନୁହେଁ ତେବେ ତାହାକୁ ବିକାଶର ବିରୋଧୀ ବୋଲି କୁହାଯାଇପାରିବ। ମାତ୍ର ଅଧିକାଂଶ କ୍ଷେତ୍ରରେ ବଜାର ମୂଲ୍ୟ ଅନୁଯାୟୀ ଟଙ୍କା ଦିଆଯାଏ ନାହିଁ। କ୍ଷତିପୂରଣ ଓ ବଜାର ମୂଲ୍ୟ ଦୁଇଟି ଅଲଗା ଜିନିଷ ବୋଲି କହିଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପ୍ରଭାତ ପଟ୍ଟନାୟକ।

ଆଜି ‘ଅଧିକାର’ ପକ୍ଷରୁ ଲୋହିଆ ଏକାଡେମି ପରିସରରେ ‘ଶିଳ୍ପ ଓ ବିସ୍ଥାପନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ‘ଅଧିକାର’ର ସଂପାଦକ ଜନାର୍ଦ୍ଦନ ପତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଫେସର ପଟ୍ଟନାୟକ କହିଲେ, କ୍ଷତିଗ୍ରସ୍ତକୁ କ୍ଷତିପୂରଣ ପ୍ରଦାନ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି ସେମାନଙ୍କ ପୂର୍ବ ଜୀବନଧାରଣରେ ପରିବର୍ତନ ଆସିବା। ମାତ୍ର ଜମି ପାଇଁ ବଜାର ମୂଲ୍ୟ ଦେବା କ୍ଷତିପୂରଣକୁ ବୁଝାଇ ନ ଥାଏ।

ଅନ୍ୟତମ ଅତିଥି ପ୍ରଫୁଲ୍ଲ ସାମନ୍ତରା କହିଲେ, କେବଳ ଜମି ଓ ଘର ହରାଇବା ବିସ୍ଥାପନ ନୁହେଁ। ଜୀବିକା ହରାଇବା ମଧ୍ୟ ବିସ୍ଥାପନର ଅନ୍ୟ ଏକ ରୂପ। ବିଶ୍ୱ ବଜାରକୁ କେନ୍ଦ୍ର କରି ଆମେ ଶିଳ୍ପ ଅପରିହାର୍ଯ୍ୟ ବୋଲି ଭାବିବା ଠିକ୍‌ ହେବ ନାହିଁ। ଶିଳ୍ପ ପାଇଁ ଜମି ବିକ୍ରି ହେଉଥିବା ଅଞ୍ଚଳରେ ଥିବା ଲୋକମାନଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ସହିତ ଯେଉଁ ସଂପର୍କ ରହିଛି ତାହାକୁ ଭୁଲିବା ଉଚିତ୍‌ ନୁହେଁ। ତେଣୁ ବିସ୍ଥାପନ କମିସନ ଗଠନ କରାଗଲେ ବିସ୍ଥାପିତ ଲୋକଙ୍କ ସମସ୍ୟା ଦୂର ହୋଇପାରିବ ବୋଲି ଶ୍ରୀ ସାମନ୍ତରା କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନାଲକୋର ନିର୍ଦେଶକ(ମାନବ ସମ୍ବଳ) ବି.କେ ଠାକୁର ଓ ସୁରେଶ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର