ନଭେମ୍ବରରେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ

ଏଣିକି ପ୍ରତି ଦଳରେ ରହିବେ ଜଣେ ସରକାରୀ ଅଧିକାରୀ

ଭୁବନେଶ୍ୱର: ଆଗାମୀ ନଭେମ୍ବର ମାସରେ ବରିଷ୍ଠ ନାଗରିକମାନଙ୍କୁ ନେଇ ପ୍ରଥମ ଦଳ ତୀର୍ଥଯାତ୍ରାରେ ବାହାରିବ। ଏ ନେଇ ପ୍ରସ୍ତୁତି ତ୍ୱରାନ୍ଵିତ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଚଳିତ ବର୍ଷଠାରୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମକୁ ଆହୁରି ସୁରକ୍ଷିତ, ସହଜଲବ୍ଧ ଏବଂ ସନ୍ତୋଷଜନକ କରାଯିବ। ଯାତ୍ରା ସମୟରେ ଖାଦ୍ୟ, ରହଣି ଏବଂ ମୌଳିକ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି। ଏଣିକି ତୀର୍ଥଯାତ୍ରୀଙ୍କ ପ୍ରତି ଦଳରେ ଜଣେ ଲେଖାଏଁ ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯିବା ସ୍ଥିର ହୋଇଛି।

ଆଜି ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର କାର୍ଯ୍ୟକାରିତାକୁ ସମୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପାଇଁ ବରିଷ୍ଠ ନାଗରିକମାନେ ଭୁବନେଶ୍ୱରରୁ ଆଜ୍‌ମେର-ପୁଷ୍କାର, ସମ୍ବଲପୁରରୁ ଶିରିଡ଼ି ଏବଂ ବ୍ରହ୍ମପୁରରୁ ତିରୁପତି-ଭେଲୋର ଆଦି ସ୍ଥାନକୁ ଯିବେ। ଆସନ୍ତା ମାସରେ ପ୍ରଥମ ଦଳ ତୀର୍ଥ ଯାତ୍ରାରେ ଯିବେ। ୨୦୧୬-୧୭ରେ ଏହି ଯୋଜନାକୁ ରାଜ୍ୟ ସରକାର ଆରମ୍ଭ କରିଥିଲେ। ୨୦୧୬ ଜୁଲାଇ ୨୫ ତାରିଖରେ ବ୍ରହ୍ମପୁରରୁ ୯୭୭ଜଣ ବରିଷ୍ଠ ନାଗରିକଙ୍କୁ ନେଇ ପ୍ରଥମ ତୀର୍ଥଯାତ୍ରୀ ଦଳ ମଦୁରାଇ-ରାମେଶ୍ୱର ଯାଇଥିଲେ। ସେପ୍ଟେମ୍ବର ୨୩ରେ ୯୭୧ଜଣଙ୍କୁ ନେଇ ଦ୍ୱିତୀୟ ଦଳ ଭୁବନେଶ୍ୱରରୁ ଆଲାହାବାଦ୍‌-ବାରାଣାସୀ ଯାତ୍ରା କରିଥିଲେ। ନଭେମ୍ବର ୨୨ ତାରିଖରେ ୩ୟ ଦଳ ସମ୍ବଲପୁରରୁ ୯୮୩ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରିଥିଲେ ହରିଦ୍ୱାର-ଋଷିକେଶ।

ସମ୍ବନ୍ଧିତ ଖବର