ଅଲଗା ହୋଇପାରୁନି ଯୁକ୍ତ୨ ଓ ଯୁକ୍ତ୩ କଲେଜ

ଭୁବନେଶ୍ୱର : ଏକାଠି ଥିବା ଯୁକ୍ତ୩ ଏବଂ ଯୁକ୍ତ୨ କଲେଜକୁ ଅଲଗା କରିବା ଲାଗି ଦୁଇ ବର୍ଷ ହେଲା ପ୍ରକ୍ରିୟା ଚାଲିଛି। ହେଲେ ଆଜି ପର୍ଯ୍ୟନ୍ତ ସମାଧାନର ବାଟ ବାହାରୁନି। ଅଧ୍ୟାପକ, କ୍ୟାମ୍ପସ, କର୍ମଚାରୀ ବଣ୍ଟନକୁ ନେଇ ଭାଗବଣ୍ଟା ଛିଣ୍ଡୁନି। ବିଶେଷ କରି ଯୁକ୍ତ୩ ଏବଂ ଯୁକ୍ତ୨ ଏକାଠି ଥିବା ୨୭୭ଟି କମ୍ପୋଜିଟ୍‌ କଲେଜକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ସେଗୁଡ଼ିକୁ ଅଲଗା କରାଯାଇପାରି ନାହିଁ। ଏହାକୁ ନେଇ ବିଭିନ୍ନ ସମୟରେ ବିବାଦ ମୁଣ୍ଡ ଟେକୁଥିବା ବେଳେ ଏବେ କେତେଜଣ ଅଧ୍ୟାପକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତ ହୋଇଥିବାରୁ ଗଣଶିକ୍ଷା ବିଭାଗ ଅଧୀନକୁ ଆସି କାର୍ଯ୍ୟ କରିବାକୁ ଅମଙ୍ଗ ପ୍ରକାଶ କରିଛନ୍ତି। ଏହାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ଉଭୟ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ।

ଗତ ଏକ ବର୍ଷ ହେଲା ଯୁକ୍ତ୨ କଲେଜଗୁଡ଼ିକ ଉଚ୍ଚଶିକ୍ଷା ବିଭାଗରୁ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଛନ୍ତି। କଲେଜଗୁଡ଼ିକର ପରିଚାଳନାଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ସବୁ କିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କରୁଛି। ୧୫୦୦ରୁ ଅଧିକ ଯୁକ୍ତ୨ କଲେଜ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ବେଳେ ୨୭୭ଟି କଲେଜରେ ଯୁକ୍ତ୨ ଏବଂ ଯୁକ୍ତ୩ ଏବେ ବି ମିଶି ରହିଛି। ଏଠାରେ ନିୟୋଜିତ ଅଧ୍ୟାପକମାନେ ଉଭୟ ଶ୍ରେଣୀର ପିଲାଙ୍କୁ ପଢ଼ାଉଛନ୍ତି। ଏନେଇ ବାଲେଶ୍ୱରର ମହିଳା କଲେଜର ଜଣେ ଅଧ୍ୟାପକ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ମାମଲାର ଶୁଣାଣି କରି ୩ ମାସ ମଧ୍ୟରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ହାଇକୋର୍ଟ କହିଛନ୍ତି। କେତେକ ଡିଗ୍ରି କଲେଜ ସହ ଜୁନିୟର୍‌ କଲେଜଗୁଡିକର ନାମ ସମାନ ରହିଥିବାରୁ ଇ-ନାମଲେଖା ସମୟରେ ବି ସମସ୍ୟା ସୃଷ୍ଟି ହେଉଛି। ଏଭଳି ସମସ୍ୟାଗୁଡ଼ିକର ସମାଧାନ ଲାଗି ଖୁବଶୀଘ୍ର ଉଚ୍ଚସ୍ତରୀୟ କମିଟିର ବୈଠକ ବସି ଆଲୋଚନା ହେବ। ଆସନ୍ତା ସପ୍ତାହକ ମଧ୍ୟରେ ଏନେଇ ମତାମତ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ କହିବାନୁଯାୟୀ, ୨୭୭ କମ୍ପୋଜିଟ୍‌ କଲେଜ ମଧ୍ୟରୁ ଯୁକ୍ତ୨ କଲେଜକୁ ହାଇସ୍କୁଲରେ ମିଶାଇ ଦିଆଯିବ। ଯେଉଁ ହାଇସ୍କୁଲରେ ଯୁକ୍ତ୨ ମିଶିବ ତାହାକୁ ଉଚ୍ଚ ମାଧ୍ୟମିକ ସ୍କୁଲ ଭାବେ ନାମିତ କରାଯିବ। ଯୁକ୍ତ୨ କଲେଜରେ ପଢ଼ାଉଥିବା ଅଧ୍ୟାପକଙ୍କୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଫେରାଇ ଅଣାଯିବ। ସେମାନେ ଯୁକ୍ତ୩ କଲେଜ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ।

ସମ୍ବନ୍ଧିତ ଖବର