ସୀମାନ୍ତ ଗାଁକୁ ସେବା ଅପହଞ୍ଚ!

ବ୍ଲକ୍‌ ଓ ସବ୍‌ଡିଭିଜନ ପୁନର୍ଗଠନ ଦାବି

କେନ୍ଦୁଝର : ଭୌଗୋଳିକ ସୀମାରେଖା ଦୃଷ୍ଟିରୁ କେନ୍ଦୁଝର ଏକ ବଡ଼ ଜିଲ୍ଲା। ଗୋଟିଏ ପଟେ ତେଳକୋଇ ବ୍ଲକର କାଳିଆହତା, ବିମଳା ଆଦି ଅଞ୍ଚଳ ଢେଙ୍କାନାଳ ସହ ବେଶି ସଂଶ୍ଳିଷ୍ଟ ଥିଲାବେଳେ ଅନ୍ୟପଟେ ବଡବିଲ, ବଲାଣି, କିରିବୁରୁ ଆଦି ଅଞ୍ଚଳ ସହ ଝାଡ଼ଖଣ୍ଡର ସଂପର୍କ ବେଶି। ଏଭଳି ସ୍ଥଳେ କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ଶେଷଭାଗର ବାସିନ୍ଦାଙ୍କୁ ଉପଯୁକ୍ତ ପ୍ରଶାସନିକ ସେବା ପାଇବା ପାଇଁ ବ୍ଲକ ଓ ସବ୍‌ଡିଭିଜନର ପୁନର୍ଗଠନ ପାଇଁ ସାଧାରଣରେ ଦାବି ଉଠିଛି।

କେନ୍ଦୁଝର ଜିଲ୍ଲାରେ ମୋଟ ୮,୩୦୩ ବର୍ଗ କିଲୋମିଟର ବ୍ୟାପକ ଅଞ୍ଚଳ ରହିଛି। ଉତ୍ତର ଦିଗରୁ ଦକ୍ଷିଣ ଦିଗ ପର୍ଯ୍ୟନ୍ତ ଲମ୍ବ ପ୍ରାୟ ୧୪୫ କିଲୋମିଟର ହେଉଥିବାବେଳେ ପ୍ରସ୍ଥ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ୬୫ କିଲୋମିଟର। ଜିଲ୍ଲାର ସଦର ମହକୁମାରୁ ଆନନ୍ଦପୁର ସବ୍‌ଡିଭିଜନର ଜର୍ଦ୍ଦା ଅଞ୍ଚଳ ପ୍ରାୟ ୧୧୦ କିଲୋମିଟର।

ସ୍ୱାଧୀନତା ପରେ କେନ୍ଦୁଝର ଜିଲ୍ଲାର ବ୍ଲକ ଓ ଉପଖଣ୍ଡ ପୁନର୍ଗଠନ ସମୟରେ ସ୍ଥାପିତ ହୋଇଥିବା ତିନିଗୋଟି ସବ୍‌ଡିଭିଜନର ୧୩ଗୋଟି ବ୍ଲକ ଅଦ୍ୟାବଧି ବଳବତ୍ତର ରହିଛି। ଏହାକୁ ପୁନର୍ବାର ସମୀକ୍ଷା କରାଯାଇ ଅଧିକ ସବ୍‌ଡିଭିଜନ୍ ଓ ବ୍ଲକ ସୃଷ୍ଟି କରିବାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜିଲ୍ଲାରେ ବର୍ତ୍ତମାନ ୨୯୭ଟି ଗ୍ରାମ ପଞ୍ଚାୟତରେ ୨୧୩୫ଟି ରାଜସ୍ୱ ଗ୍ରାମ ରହିଛି। ଗୋଟିଏ ଗୋଟିଏ ପଞ୍ଚାୟତ ଅଧୀନରେ ବହୁ ସଂଖ୍ୟାରେ ରାଜସ୍ୱ ଗ୍ରାମ ରହିଛି। ଅପରପକ୍ଷରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲାରେ ପଞ୍ଚାୟତର ପୁନର୍ଗଠନ ହୋଇଥିଲେ ମଧ୍ୟ ବ୍ଲକଗୁଡ଼ିକର ପୁନର୍ଗଠନ ହୋଇନାହିଁ। କେନ୍ଦୁଝର ଜିଲ୍ଲାରେ ମଧ୍ୟ ବଡ଼ ବ୍ଲକଗୁଡ଼ିକୁ ଭାଙ୍ଗି ଅଧିକ ବ୍ଲକ୍‌ ସୃଷ୍ଟି କରିବା ଦ୍ୱାରା ପ୍ରଶାସନିକ ରୂପରେଖ ତୃଣମୂଳସ୍ତରକୁ ଯାଇପାରିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। କାରଣ ପ୍ରତ୍ୟେକ ବ୍ଲକରେ ଜଣେଜଣେ ବିଡିଓ ଥିଲେ ମଧ୍ୟ ବହୁ ସମୟରେ ବ୍ଲକ ମୁଖ୍ୟାଳୟଠାରୁ ଗୋଟିଏ ଗୋଟିଏ ଗ୍ରାମ ୪୦ରୁ ୫୦ କିଲୋମିଟରରୁ ମଧ୍ୟ ଅଧିକ ଦୂରତାରେ ରହୁଛି। କେବଳ ଯେ ଗ୍ରାମାଞ୍ଚଳରେ ପ୍ରଶାସନିକ ସଂସ୍କାରର ଆବଶ୍ୟକତା ଦେଖାଦେଇଛି ତା’ ନୁହେଁ, ଜିଲ୍ଲାରେ ଥିବା ୫ ଟି ସହରାଞ୍ଚଳରେ ମଧ୍ୟ ପ୍ରଶାସନିକ ସଂସ୍କାର ପାଇଁ ସୀମା ନିର୍ଦ୍ଧାରଣ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର