ଦାନକୁ ନେଇ ଦଇତାଙ୍କ ମଧ୍ୟରେ ଭିନ୍ନମତ

ପୁରୀ : ଶ୍ରୀମନ୍ଦିରରେ ସେବାୟତ ଦାନ ନେଇପାରିବେ ନାହିଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମନ୍ଦିର ପ୍ରଶାସନ ଏ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୋଟିସ୍‌ ଜାରି କରିଛି। ତେବେ ଏହି ନୋଟିସ୍‌ ଜାରି କରିବା ପରେ ତୁରନ୍ତ ଦଇତା ସେବାୟତମାନେ ପ୍ରତିକ୍ରିିୟା ପ୍ରକାଶ କରିଛନ୍ତି। ଦାନ ଦକ୍ଷିଣାକୁ ନେଇ ଦଇତା ସେବାୟତଙ୍କ ମଧ୍ୟରେ ବିରୋଧାଭାସ ଦେଖିବାକୁ ମିଳିଛି।

ଗୋଟିଏ ଗୋଷ୍ଠୀ କହୁଛନ୍ତି, ସିଧାସଳଖ ଦାନ ଦକ୍ଷିଣା ନେବେ ଏହାକୁ କେହି ରୋକିପାରିବେ ନାହିଁ, ସ୍ୱତ୍ୱଲିପି(ରେକର୍ଡ ଅଫ୍‌ ରାଇଟ୍‌ସ) ମୁତାବକ ସେମାନଙ୍କ ଯାହା ପ୍ରାପ୍ୟ ତାହା ସେମାନେ ନେବେ ବୋଲି ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ର ସୂଚନା ଦେଇଛନ୍ତି। ଦଇତାଙ୍କ ଏହା ପେଟ ପାଟଣାର କଥା। ସ୍ନାନପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ମଧ୍ୟରେ ଯାହା ଦାନ ଦକ୍ଷିଣା ମିଳିବ ତାହା ଦଇତା ସେବାୟତ ନିଅନ୍ତି। ଏଥିରେ ବ୍ୟତିକ୍ରମ ହେଲେ ଦଇତା ସେବକମାନେ ଅସନ୍ତୋଷ ପ୍ରକଟ କରିବେ। ଏହା ସେମାନଙ୍କ ଜୀବନ ଜୀବିକାର କଥା ହୋଇଥିବାରୁ ଏହାକୁ କୌଣସି ପରିସ୍ଥିତିରେ ଛାଡି ପାରିବେ ନାହିଁ ସରକାର ଏଥିପ୍ରତି ଦୃଷ୍ଟିଦେବାକୁ କହିଛନ୍ତି। ସେମାନେ ଭକ୍ତଙ୍କୁ ତାଙ୍କର ଅସନ୍ତୋଷ ପୂର୍ବରୁ ଜଣାଇବେ ବୋଲି ବିନାୟକ କହିଛନ୍ତି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ରାମକୃଷ୍ଣ ଦାସମହାପାତ୍ର କିନ୍ତୁ ପାଲଟା ଜବାବ ରଖିଛନ୍ତି। ଦାନ ଦକ୍ଷିଣା ତାଙ୍କର ପ୍ରାପ୍ୟ ଏ କଥା ସତ। ମାତ୍ର ସରକାର ଯଦି ସେମାନଙ୍କୁ ଟଙ୍କାଟିଏ ବି ନ ଦିଅନ୍ତି ସେମାନେ ରଥଯାତ୍ରାରେ କୌଣସି ଅସହଯୋଗ କରିବେ ନାହିଁ। ଏହା ମହାପ୍ରଭୁଙ୍କ କାମ ଏଥିରେ ସଂପୂର୍ଣ୍ଣ ସହଯୋଗ ମିଳିବ ବୋଲି ଜଣାଇଛନ୍ତି। ତେବେ ଦଇତା ନିଯୋଗର ଦୁଇ ଦଇତାଙ୍କ ଏ ପ୍ରକାର ବିପରୀତ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି।

ଦୁଇ ଦଇତା ଦୁଇ ବିରୋଧୀ ରାଜନୈତିକ ଦଳର ନୀତିକୁ ସମର୍ଥନ କରୁଥିବାରୁ ଏହାକୁ ନେଇ ରାଜନୀତି ଉଷ୍ମ ହୋଇଛି। ତେବେ ବିନାୟକ ଦାସ ମହାପାତ୍ର କହିଛନ୍ତି, ଏଥିରେ କୌଣସି ରାଜନୀତି ନାହିଁ। ଏହା ସେବାୟତଙ୍କ କଥା। ସେବାୟତଙ୍କ ଅଧିକାରକୁ କେହି ଛଡାଇ ନେଇପାରିବେ ନାହଁ। ସେବାୟତଙ୍କ ଅଧିକାର ଛଡାଇ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରାୟୋଜିତ ନାଟକ କରୁଛି। ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗକୁ ଏଡାଇବା ପାଇଁ ଦାନ ଦକ୍ଷିଣା ମାମଲା ସୁପ୍ରିମକୋର୍ଟରେ କରାଯାଇଛି। ଯାହା ମନ୍ଦିର ପ୍ରଶାସନ ପ୍ରାୟୋଜିତ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି। ସେବାୟତ ଏହାର ଜବାବ ଦେବେ ।

ରଥଯାତ୍ରା ସମୟରେ ଯାହା ହୁଣ୍ଡି ଲାଗିବା କଥା ଲାଗିବ। ଏଥିରେ ଯିଏ ଯାହା ଦାନ ମିଳିବ ତାହା ଦଇତା ନେବେ, ଏହା ସ୍ୱତ୍ୱଲିପିରେ ରହିଛି। ମନ୍ଦିର ପ୍ରଶାସନ ଭକ୍ତଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ମନା କରୁବୋଲି କହିଛନ୍ତି। ଅନ୍ୟପକ୍ଷରେ ରାମକୃଷ୍ଣ କହିଛନ୍ତି, ଶତକଡା ୯୫ ପ୍ରତିଶତ ସେବାୟତ ଗରିବ ଶ୍ରେଣୀର ସେମାନେ ତାଙ୍କ ହକ୍‌ ପାଇବା କଥା। ରଥଯାତ୍ରାରେ ବିଶୃଙ୍ଖଳା ପାଇଁ କେହି ଧମକ ଦେଇନାହାନ୍ତି। ଦଇତା ସେବକମାନେ ଶୃଙ୍ଖଳିତ। ମହାପ୍ରଭୁଙ୍କ କାମରେ କିଛି ସମସ୍ୟା ହେବ ନାହିଁ।

ସମ୍ବନ୍ଧିତ ଖବର