ଭୁବନେଶ୍ୱର: ସେବକମାନେ ଭକ୍ତଙ୍କ ଠାରୁ ଦାନ ଅର୍ଥ ଗ୍ରହଣ ଉପରେ କଟକଣା ଳଗାଇଲା ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଆଜି ପଦକ୍ଷେପ ଗ୍ରହଣ କରିଛି ଶ୍ରମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସୁପ୍ରିମ କୋର୍ଟଙ୍କ ରିଟ୍‌ ପିଟିସନ ୬୪୯/୨୦୧୮ ର ରାୟ ଅନୁଯାୟୀ, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଠାରୁ  ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ଦାନ ଅର୍ଥ, ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି ବା ବସ୍ତୁ ଶ୍ରୀମନ୍ଦିରର କୌଣସି ସେବକ, ସେମାନଙ୍କ ସହଯୋଗୀ କିମ୍ବା କର୍ମଚାରୀ ଗ୍ରହଣ କରି ପାରିବେ ନାହିଁ।ତେଣୁ ଭକ୍ତମାନଙ୍କୁ ଅନୁରୋଧ ସେମାନଙ୍କ ଦାନ ସେମାନେ ହୁୁଣ୍ଡି ଅଥବା ଦାନବାକ୍ସରେ କିମ୍ବା ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା କାର୍ଯ୍ୟାଳୟ ଅଥବା ସୂଚନା କେନ୍ଦ୍ରଠାରେ ପ୍ରଦାନ କରି ରସିଦ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ପରିଚାଳନା ନେଇ ଗତକାଲି  ସୁପ୍ରିମ କୋର୍ଟ ହସ୍ତକ୍ଷେପ କରି ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ସମ୍ପର୍କରେ ନିମ୍ନ ଅଦାଲତ ବା ପୁରୀ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।   ଶ୍ରୀମନ୍ଦିର  ରତ୍ନଭଣ୍ଡାରର ଚାବି ହଜିବା,  ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ହଇରାଣ ହରକତ ହେବା ଓ ସର୍ବୋପରି ଶ୍ରୀମନ୍ଦିରର ବିଭିନ୍ନ ଉତ୍ସରୁ ହେଉଥିବା ଆୟ ଓ ବ୍ୟୟ ନେଇ ଠିକ୍‌ ବିବରଣୀ ଲୋକଙ୍କୁ ମିଳୁ ନ ଥିବା ନେଇ  ମୃଣାଳିନୀ ବାରିକ ନାମକ ଜଣେ ମହିଳା ସୁପ୍ରିିମ କୋର୍ଟର୍ରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ବେଞ୍ଚ ଗତକାଲିି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର