ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେବାୟତ, ଅଣହିନ୍ଦୁ ପ୍ରବେଶକୁ ବିରୋଧ କଲେ

ଜଗନ୍ନାଥ ମନ୍ଦିର ପରମ୍ପରା ଅକ୍ଷୁଣ୍ଣ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ ସାରା ରାଜ୍ୟରେ ତର୍କବିତର୍କ ଜାରି ରହିଥିଲା ବେଳେ ଆଜି ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବଂଶାନୁକ୍ରମିକ ସେବା ଉଚ୍ଛେଦ ଓ ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶକୁ ସେମାନେ ବିରୋଧ କରିଛନ୍ତି। ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରା ବଜାୟ ରଖିବାକୁ ସରକାର ପଦକ୍ଷେପ ନେବା ପାଇଁ ସେମାନେ ଅନୁରୋଧ କରିଥିଲେ। ଆଇନ୍‌କୁ ସମ୍ମାନ ଦେବା ସହ ଶ୍ରୀମନ୍ଦିର ପରମ୍ପରା ଅକ୍ଷୁଣ୍ଣ ରଖିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ସେବାୟତମାନେ ପୂର୍ବାହ୍ନରେ ନବୀନ ନିବାସରେ ପହଞ୍ଚିଥିଲେ। ସମସ୍ତେ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ବିତର୍କିତ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେଠାରୁ ବାହାରିଲା ପରେ ସିଂହାରି ନିଯୋଗ ସଭାପତି ରାମଚନ୍ଦ୍ର ସିଂହାରି ଗଣମାଧ୍ୟମକୁ କହିଥିଲେ, ୫ଟି ପ୍ରସ୍ତାବ ଉପରେ ସେବାୟତଙ୍କ ପକ୍ଷରୁ ସ୍ମାରକପତ୍ର ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ରାୟ କିମ୍ବା ଅନ୍ୟ କୌଣସି ବିଷୟକୁ ନେଇ କିଛି ଆପତ୍ତି ନାହିଁ। ତେବେ ଶ୍ରୀମନ୍ଦିର ପରମ୍ପରା ବଜାୟ ରହିବା ଉଚିତ। ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଛି। କେବେ ବି ସେବାୟତମାନଙ୍କର ଏହି ପ୍ରସଙ୍ଗରେ ସକରାତ୍ମକ ମନୋଭାବ ରହିବ ନାହିଁ। ନିଶ୍ଚିତ ଭାବେ ସେବାୟତମାନେ ଏହାକୁ ବିରୋଧ କରିବେ। ଏହି ପ୍ରସଙ୍ଗ ଏବେ ସାର୍ବଜନୀନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ, ସୁପ୍ରିମକୋର୍ଟ, ଗଣମାଧ୍ୟମ ଓ ୧୨୦ କୋଟି ଭକ୍ତ ସମସ୍ତେ ଏହାକୁ ବିଚାର କରନ୍ତୁ। ଯାହାଟା ଠିକ୍‌ ତାହା ହିଁ ହେଉ।

ବଂଶାନୁକ୍ରମିକ ସେବା ଉଚ୍ଛେଦ ପ୍ରସ୍ତାବ ସମ୍ପର୍କରେ ସେ କହିଥିଲେ, ଏହି ପ୍ରସ୍ତାବ ମଧ୍ୟ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କ’ଣ ମତ ରଖିବେ ଓ କ’ଣ ନିଷ୍ପତ୍ତି ନେବେ, ତାହା ଦେଖିବାର କଥା। ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ସେବାୟତମାନଙ୍କ ପକ୍ଷରୁ ଏ ନେଇ ଯୁକ୍ତି ରଖାଯିବ। ଏହି ପ୍ରସଙ୍ଗରେ ଧର୍ମ ଓ ଭାବାବେଗର ପ୍ରଶ୍ନ ରହିଥିବାରୁ ଗଣମାଧ୍ୟମ ଠିକ୍‌ ସମ୍ବାଦ ପ୍ରକାଶ କରିବା ଦରକାର। ଜଗନ୍ନାଥ ମନ୍ଦିରର ମୌଳିକତା ବଜାୟ ରଖିବା ସହ ସାରା ବିଶ୍ୱରେ ଏହାର ଗାରିମା ବୃଦ୍ଧିରେ ସରକାର ଉପଯୁକ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ବୋଲି ଶ୍ରୀ ସିଂହାରି କହିଥିଲେ। ମୁଖ୍ୟମନ୍ତ୍ରୀ ଏ ଦିଗରେ ସକରାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ବୋଲି ସେ କହିଥିଲେ।

ସାଂସଦ ଶ୍ରୀ ମିଶ୍ର କହିଥିଲେ, ଶ୍ରୀମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୁପାରିସ୍‌ କଲା ବେଳେ ସେବାୟତମାନଙ୍କ ଆବେଦନ ଉପରେ ଶୁଣାଣି କରି ନାହାନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ସରକାର ମଧ୍ୟ ଏକ ତିନି ଜଣିଆ କମିଟି କରିଛନ୍ତି। ଏହି କମିଟି ଡିପିଆର୍‌ ପ୍ରସ୍ତୁତ କରୁଛି ଓ ସୁପ୍ରିମକୋର୍ଟରେ ତାହା ଦାଖଲ ହେବ। ପୁରୀ ଶ୍ରୀମନ୍ଦିର ସହସ୍ର ବର୍ଷର ପୁରୁଣା ପରମ୍ପରାକୁ ସୁପ୍ରିମକୋର୍ଟଙ୍କୁ ଭଲ ଭାବେ ଅବଗତ କରାଇବାକୁ ପଡ଼ିବ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଆସନ୍ତା ରଥଯାତ୍ରା ବେଳେ ପୁରୀ ଆସିବା ପାଇଁ ନିମନ୍ତ୍ରଣ କରାଯିବ। ଫଳରେ ସେ ଏହି ମନ୍ଦିରର ପରମ୍ପରା ଓ ରୀତିନୀତି ଦେଖିବାର ସୁଯୋଗ ପାଇବେ ଏବଂ ସମସ୍ତଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ। ଅଣହିନ୍ଦୁ ପ୍ରବେଶ ଓ ବଂଶାନୁକ୍ରମିକ ସେବା ଉଚ୍ଛେଦ ପ୍ରସଙ୍ଗରେ ବ୍ୟାପକ ତର୍କର ଆବଶ୍ୟକତା ରହିଛି। ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ସମୟରେ ପୁରୀ ଗଜପତି, ଶଙ୍କରାଚାର୍ଯ୍ୟ, ଛତିଶା ନିଯୋଗ ଓ ବିଭିନ୍ନ ସେବାୟତ ପ୍ରତିନିଧିଙ୍କ ମତାମତ ଉପସ୍ଥାପନ କରାଯିବା ଉଚିତ।

ସମ୍ବନ୍ଧିତ ଖବର