ଧର୍ମେନ୍ଦ୍ରଙ୍କ ବିରୋଧରେ ସେବାୟତଙ୍କ ବିକ୍ଷୋଭ

ପୁରୀ : ପବିତ୍ର ରଥଯାତ୍ରା ସମୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଛେରାପହଁରାକୁ ତାତ୍ସଲ୍ୟ କରି ବିବାଦୀୟ ହୋଇ ପଡ଼ିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେବାୟତ ଓ ଶ୍ରୀଜଗନ୍ନାଥ ପ୍ରେମୀ ସିଂହଦ୍ଵାର ଅରୁଣ ସ୍ତମ୍ଭ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଦୃଢ଼ ନିନ୍ଦା କରିଥିଲେ। ଗତକାଲି ଭଞ୍ଜନଗରର ଦୁଇ ଭକ୍ତ ଏ ସଂପର୍କରେ ସିଂହଦ୍ଵାର ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଅନୁଷ୍ଠିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତିନି ରଥରେ ଗଜପତି ମହାରାଜଙ୍କ ଛେରା ପହଁରାକୁ ଝାଡ଼ୁ ମରାଯାଉଥିବା ସମ୍ବୋଧନ କରିଥିଲେ। କେବଳ ସେତିକି ନୁହେଁ, ଗଜପତି ମହାରାଜଙ୍କୁ ଝାଡ଼ୁଦାର କହିବାକୁ ପଛାଇନଥିଲେ। ଶ୍ରୀ ପ୍ରଧାନ ଫେସ୍‌ବୁକ୍‌ ଜରିଆରେ ଏହାର ଲାଇଭ୍‌ ବି କରିଥିଲେ। ଛେରା ପହଁରା ଭଳି ଅନନ୍ୟ ପରମ୍ପରାକୁ ଝାଡ଼ୁଦାର ଓ ଝାଡ଼ୁ ମାରିବା ଭଳି ଶଦ୍ଦ ପ୍ରୟୋଗ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉପହାସ କରିଛନ୍ତି ବୋଲି ଅଭିଯୋଗ କରି ଭଞ୍ଜନଗରର ଦୀପକ ପଟ୍ଟନାୟକ ଓ ପି. ଶରତ କୁମାର ପଟ୍ଟନାୟକ ଗତକାଲି ସିଂହଦ୍ଵାର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର