ଶ୍ରୀମନ୍ଦିରରେ ଯୁବତୀଙ୍କୁ ଅସଦାଚରଣ : ସେବାୟତ ଗିରଫ

ପୁରୀ : ଶ୍ରୀମନ୍ଦିରରେ ମହିଳା ବି ଅସୁରକ୍ଷିତ ହୋଇପଡ଼ିଲେଣି। ଭକ୍ତଙ୍କୁ ମାଡ ମାରି ଚର୍ଚ୍ଚାରେ ଥିବା ସେବାୟତ ଆଜି ପୁଣି ଏକ ସଂଗୀନ ଅଭିଯୋଗ ପାଇଁ ବଦନାମ ହୋଇଛି। ଶ୍ରୀମନ୍ଦିରର ଗରୁଡ଼ସ୍ତମ୍ଭ ନିକଟରେ ଜଣେ ଯୁବତୀଙ୍କୁ ଜଣେ ସେବାୟତ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ସେବାୟତ ଜଣକ ମନ୍ଦିର ଭିତରେ ଦିନ ଆଲଟ (ଆଲୁଅ ବନ୍ଦ) ହେବାର ସୁଯୋଗ ନେଇ ଯୁବତୀଙ୍କୁ ଏଭଳି ଅଶାଳୀନ ବ୍ୟବହାର କରିଛି। ଏ ନେଇ ସିଂହଦ୍ଵାର ଥାନାରେ ଅଭିଯୋଗ ହୋଇଛି। ସିଂହଦ୍ଵାର ପୁଲିସ ଏ ନେଇ ମାମଲା ରୁଜୁ କରିବା ସହିତ ତୁରନ୍ତ ଅଭିଯୁକ୍ତ ସେବାୟତ ସନ୍ତୋଷ କର(୪୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମଗ୍ର ରାଜ୍ୟ, ଦେଶରେ ନିନ୍ଦିତ ଥିବା ସେବାୟତଙ୍କୁ ଏହି ଘଟଣା ପୁଣି ଥରେ ନିନ୍ଦିତ କରିଛି। ଏଭଳି ସେବକଙ୍କ ପାଇଁ ସେବାୟତ ସମାଜ ବାରମ୍ବାର ବଦ୍‌ନାମ ହେଉଛି।

ପ୍ରକାଶ ଯେ, ବ୍ରହ୍ମପୁର ଟାଟା ବେଞ୍ଜ୍‌ ଛକ ଅଞ୍ଚଳର ଜଣେ ମହିଳା ଓ ତାଙ୍କର ଯୁବତୀ ଝିଅ ଆଜିି ମଧ୍ୟାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ତେବେ ମନ୍ଦିରର ପ୍ରଥମ ଭୋଗ ମଣ୍ଡପ ଉଠିବା ପରେ ଆଜି ଦିନ ଅଲଟ ଲାଗି ନୀତି ହୋଇଥିଲା। ଦିନ ଆଲଟ ବେଳେ ମନ୍ଦିରର ଲାଇଟ୍‌ ବନ୍ଦ କରାଯାଇଥାଏ। ଏହି ସମୟରେ ଯୁବତୀ ଜଣକ ଠିଆ ହୋଇଥିବା ବେଳେ ପୁରୀ ଦାଣ୍ଡିମାଳ ସାହିର ସନ୍ତୋଷ କର(୪୦) ନାମକ ସେବାୟତ ଯୁବତୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଶାଳୀନ ବ୍ୟବହାର କରିଥିଲେ। ମାତ୍ର ଯୁବତୀ ଜଣକ କୌଶଳକ୍ରମେ ସନ୍ତୋଷର ହାତକୁ ଧରି ପକାଇ ଚିତ୍କାର କରିବାରୁ ସେଠାରେ ଥିବା ଭକ୍ତ ଓ ସାଦା ପୋଷାକରେ ଥିବା ପୁଲିସ ଅଭିଯୁକ୍ତକୁ କାବୁ କରି ନେଇଥିଲେ। ପୁଲିସ ଅଭିଯୁକ୍ତକୁ ସିଂହଦ୍ଵାର ଥାନାକୁ ନେଇ ଯାଇଥିଲେ। ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଛି।

ସମ୍ବନ୍ଧିତ ଖବର