ସେବାୟତଙ୍କୁ ଖୁବ୍‌ଶୀଘ୍ର ମିଳିବ ସ୍ୱତନ୍ତ୍ର ମୋବାଇଲ୍‌

ଛତିଶା ନିଯୋଗ ବୈଠକରେ ଲାଗିଲା ମୋହର

ପୁରୀ : ଶ୍ରୀମନ୍ଦିର ବେଢାକୁ ସେବାୟତଙ୍କ ମୋବାଇଲ୍‌ ଫୋନ୍‌ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏ ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର (ବିନା କ୍ୟାମେରା) ମୋବାଇଲ ପ୍ରଦାନ ପାଇଁ ପୂର୍ବରୁ ହୋଇଥିବା ନିଷ୍ପତ୍ତି ଉପରେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମୋହର ବାଜିଛି। ନିଯୋଗ କାର୍ଯ୍ୟରତ ସେବାୟତଙ୍କ ତାଲିକା ପ୍ରଦାନ କରିବା ପରେ ତୁରନ୍ତ ସେମାନଙ୍କୁ ଏହି ମୋବାଇଲ୍‌ ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଉଠି ସୋସିଆଲ ମିଡିଆରେ ଭାଇରାଲ ହେବା ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଥିଲା। ମୋବାଇଲ କଟକଣା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ସେବାୟତ, ସହଯୋଗୀ ଓ କର୍ମଚାରୀମାନେ ଭିତରକୁ ମୋବାଇଲ ନେଉଛନ୍ତି। ଏଣୁ ସେମାନଙ୍କୁ ସ୍ୱତନ୍ତ୍ର (ବିନା କ୍ୟାମେରା) ମୋବାଇଲ ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି। ଜିଲ୍ଲାପାଳ ଏହାକୁ ବ୍ୟବସ୍ଥିତ କରିବା ଲାଗି ଦାୟିତ୍ୱ ଦିଆଯାଇଛି। ସମସ୍ତ ନିଯୋଗ ସେମାନଙ୍କର ସଦସ୍ୟ ବା ଯେଉଁମାନେ ମୋବାଇଲ ନେବାକୁ ଚାହୁଁଛନ୍ତି ତାହାର ତାଲିକା ପ୍ରଦାନ କରିବେ। ଏହି ତାଲିକା ମୁତାବକ ମୋବାଇଲ ଯୋଗାଇ ଦିଆଯିବ। ମୋବାଇଲରେ ସିମ୍‌କାର୍ଡ଼ ମଧ୍ୟ ପ୍ରଦାନ କରାଯିବ। ଏଥିରେ ଶ୍ରୀମନ୍ଦିର ପ୍ରଶାସନର ଲୋଗୋ ରହିବ। ଏହା ପରଠାରୁ କେହି ଅନ୍ୟ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ଯଥାଶୀଘ୍ର ସେବାୟତ ଓ ସହଯୋଗୀମାନଙ୍କର ତାଲିକା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ତାଲିକା ମିଳିଲେ ତୁରନ୍ତ ମୋବାଇଲ୍‌ ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି।

ସେହିଭଳି ନାଟମଣ୍ଡପ ମରାମତି ନେଇ ଆଲୋଚନା ହୋଇଛି। ଜଗମୋହନ ଓ ବେହରଣ ଦ୍ଵାର ମରାମତି ଚାଲିଥିବାରୁ ନାଟମଣ୍ଡପକୁ ଏବେ ମରାମତି କରାଗଲେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏକାଠି ମରାମତି ଚାଲିଲେ ଭକ୍ତଙ୍କୁ ଦର୍ଶନ ସମସ୍ୟା ହେବ ବୋଲି ଅନୁମାନ କରାଯାଉଛି। ଏଣୁ ଏହି ମରାମତି ସରିଲେ ନାଟମଣ୍ଡପ କାର୍ଯ୍ୟ ଆରମ୍ଭ କରିବା ଲାଗି ଅଧିକାଂଶ ମତ ଦେଇଥିଲେ। ତେବେ ଏ ଯାବତ୍‌ ଏଏସ୍‌ଆଇ ନାଟମଣ୍ଡପ ମରାମତି ବାବଦରେ ଡ୍ରଇଁ ଡିଜାଇନ୍‌ ଉପସ୍ଥାପନ କରିନଥିବାରୁ ଏହା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର