ସବୁ କୋହଳ କରିଦେଲେ ରାଜ୍ୟ ସରକାର, ୭ ଦିନ କମିଲା କ୍ୱାରାଣ୍ଟିନ

ବସ୍‌, ଟ୍ୟାକ୍ସି ଓ ଅଟୋକୁ ଅନୁମତି
ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟ
୩ କ୍ଷେତ୍ରରେ କ୍ବା‌ରାଣ୍ଟିନ୍ କୋହଳ

ଭୁବନେଶ୍ବର : ରାଜ୍ୟ ସରକାର କ୍ବାରାଣ୍ଟିନ୍ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଏଣିକି ୨୧ ଦିନ ବଦଳରେ ପ୍ରବାସୀ ଶ୍ରମିକମାନେ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବେ। ଲକ୍ଷଣ ନଥିଲେ, ୭ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଓ ବାକି ୭ ଦିନ ନିଜ ଘରେ କ୍ବାରାଣ୍ଟିନ୍ ରହିବେ। ଆଜି ରାଜ୍ୟ ସରକାର ଯେଉଁ ସମୟରେ ଲକ ଡାଉନ-୪ରେ ଏକ ବଡ଼ ସଂଶୋଧନ କରି ବିଜ୍ଞପ୍ତି ଜାରି କଲେ, ଠିକ୍ ସେହି ସମୟରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ, ଆସନ୍ତାକାଲି ଠାରୁ ବିମାନ ସେବା ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ କାଲି ଠାରୁ ଘରୋଇ, ସିଟି ବସ୍ ସହିତ ଅଟୋ, ଟ୍ୟାକ୍ସି ଚଳାଚଳ ଲାଗି ଅନୁମତି ଦେଇଛନ୍ତି। କିନ୍ତୁ ଏଥିଲାଗି କିଛି ସର୍ତ ରଖିଛନ୍ତି ସରକାର।

ସ୍ବତନ୍ତ୍ର ରିଲିଫ୍ କମିସନର କହିଛନ୍ତି ଯେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଦୌ ଚିନ୍ତାଜନକ ନୁହେଁ। ତେେବ ଯେଉଁ କଥାକୁ ପାଥେୟ କରି ଓଡ଼ିଶା ସଫଳତା ପାଇଛି, ସେଭଳି ସତର୍କତା ପାଳନ କରିବା ବାଞ୍ଛନୀୟ। ଏ ସଂକ୍ରାନ୍ତ ସରକାରୀ ନିୟମକୁ କେହି ଅଣଦେଖା କରିବା ଉଚିତ୍ ନୁହେଁ। ଶ୍ରୀ ଜେନା କହିଛନ୍ତି ଯେ ଆସନ୍ତାକାଲି ଠାରୁ ଆନ୍ତଃ ରାଜ୍ୟ ବସଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି। ହେଲେ କୌଣସି ବି ବସ ନିର୍ଧାରିତ ସିଟ୍ ସଂଖ୍ୟା ଠାରୁ ଅଧିକ ଯାତ୍ରୀ ନେଇପାରିବେ ନାହିଁ। ବସରେ କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ସେହିଭଳି ସିଟି ବସ ଚଳାଚଳ ନେଇ ମଧ୍ୟ ସରକାର ଅନୁମତି ଦେଇଛନ୍ତି, ସମାନ ସର୍ତ୍ତରେ। ଏହା ଉପରେ ଆରଟିଓ ଏବଂ ରାଜ୍ୟର ପୁଲିସ୍ ତୀକ୍ଷ୍ଣ ନଜର ରଖିବେ। ଉଲ୍ଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିଭଳି ଓଲା ଏବଂ ଉବେର ୨୪ ଘଣ୍ଟିଆ (ବିମାନ, ରେଳ ସେବା ପରିପ୍ରେକ୍ଷୀରେ) ଚଳାଚଳ କରିପାରିବେ। ଦୁଇ ଚକିଆ ଯାନ, ଅଟୋ ରିକ୍ସା ଆଦି ମଧ୍ୟ ଯାତାୟତରେ କୌଣସି ପ୍ରତିବନ୍ଧକ ନାହିଁ। ହେଲେ ୪ ଚକିଆ ବା ଅଟୋ ରିକ୍ସାରେ ଡ୍ରାଇଭରକୁ ଛାଡି ମାତ୍ର ୨ ଜଣ ଯାତ୍ରୀ ଯାଇପାରିବେ। ଏସବୁ କ୍ଷେତ୍ରରେ ଯାତ୍ରୀଙ୍କ ପାଇଁ ବି ଗୋଟିଏ ସର୍ତ ରଖାଯାଇଛି। ତାହା ହେଉଛି, ସମସ୍ତେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପାଖରେ ସାନିଟାଇଜର ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତିଙ୍କ କୋଭିଡ଼-୧୯ ଲକ୍ଷଣ ଦେଖାଯାଏ, ସେଭଳି କ୍ଷେତ୍ରରେ ସଂପୃକ୍ତ ଯାତ୍ରୀଙ୍କୁ ନ ନେବା ଲାଗି ବସ ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି। ଆନ୍ତଃ ରାଜ୍ୟ ଟ୍ରେନ୍ ଚଳାଚଳ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଓ ରେଳ ମନ୍ତ୍ରାଳୟ ଜାରି କରିଥିବା ଏସଓପି ପାଳନକୁ ବାଧ୍ୟତାମୂଳକ କରାଯାଇଛି।

ଅନ୍ୟପକ୍ଷରେ କ୍ବାରାଣ୍ଟିନ୍ ନିୟମରେ ସରକାର ଯେଉଁ ପରିବର୍ତନ ଆଣିଛନ୍ତି, ସେଥିରେ ପୂର୍ବ ନିର୍ଦେଶନାମାରେ ସଂଶୋଧନ କରାଯାଇଛି। ଜିଲ୍ଲାପାଳମାନେ ଏହାର କାର୍ଯ୍ୟାନ୍ବୟନ କରିବେ। ଏହି କ୍ରମରେ ଗ୍ରାମାଞ୍ଚଳକୁ ଫେରୁଥିବା ବ୍ୟକ୍ତିମାନେ ୭ ଦିନ ବାଧ୍ୟତାମୂଳକ ଭାବେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ। ତେବେ ଯଦି କିଛି ଲକ୍ଷଣ ଥାଏ, ସେ କ୍ଷେତ୍ରରେ ଆଉ ୭ ଦିନ ନିଶ୍ଚୟ ଘରେ ସଙ୍ଗରୋଧରେ ରହିବାକୁ ପଡ଼ିବ। ହେଲେ ଯଦି କର୍ତ୍ତୃପକ୍ଷ ଅନୁଭବ କରନ୍ତି ଯେ ସଂପୃକ୍ତ ବ୍ୟକ୍ତିବିଶେଷ ଗୋଷ୍ଠୀ ସଂକ୍ରମଣ କରିପାରନ୍ତି, ସେ କ୍ଷେତ୍ରରେ ସେମାନେ ସଙ୍ଗରୋଧ ଅବଧିକୁ ବଢ଼ାଇପାରିବେ। ଯଦି କ୍ବାରାଣ୍ଟିନ୍ ସମୟରେ କୌଣସି ଲକ୍ଷଣ ଦେଖାଯାଏ, ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।

ସହରାଞ୍ଚଳ କ୍ଷେତ୍ରରେ ମଧ୍ୟ କ୍ବାରାଣ୍ଟିନ୍ ପ୍ରକ୍ରିୟାରେ ପରିବର୍ତନ ହୋଇଛି। ବିଜ୍ଞପ୍ତି ଅନୁସାରେ, ରାଜ୍ୟ ବାହାରୁ ଆସୁଥିବା ପ୍ରତିଟି ବ୍ୟକ୍ତି ୧୪ ଦିନ ନିଶ୍ଚିତ ଭାବେ ନିଜ ଘରେ ସଙ୍ଗରୋଧରେ ରହିବେ। ଏ ସଂକ୍ରାନ୍ତରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି, ତାହା ବାଧ୍ୟତାମୂଳକ। ଯଦି କୌଣସି ବ୍ୟକ୍ତିଙ୍କ ଘରେ କ୍ବାରାଣ୍ଟିନରେ ରହିବା ପାଇଁ ବିଶେଷ ସୁବିଧା ସୁଯୋଗ ନ ଥାଏ, ସେ କ୍ଷେତ୍ରରେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଅଥବା ହୋଟେଲ୍ ଆଦିରେ ରହିପାରିବେ। ତେବେ କର୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବାକୁ ପଡ଼ିବ।

କିଛି କ୍ଷେତ୍ରରେ ସରକାର ବାଧ୍ୟତାମୂଳକ କ୍ବାରାଣ୍ଟିନ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଯେମିତି, କୌଣସି ସରକାରୀ ଅଧିକାରୀ, ପେଶାଧାରୀ, ବ୍ୟବସାୟୀ ରାଜ୍ୟକୁ ଆସୁଛନ୍ତି, ଅଥଚ ୭୨ ଘଣ୍ଟା ମଧ୍ୟରେ ଫେରିଯିବେ, ସେ କ୍ଷେତ୍ରରେ କ୍ବାରାଣ୍ଟିନର ଆବଶ୍ୟକ ନାହିଁ। ସେହଭଳି ଯଦି କୌଣସି ସରକାରୀ ଅଧିକାରୀ ରାଜ୍ୟ ବାହାରକୁ କାମରେ ଯାଇଛନ୍ତି ଓ ୭୨ ଘଣ୍ଟାରେ ଫେରି ଆସୁଛନ୍ତି, ସେ କ୍ଷେତ୍ରରେ ମଧ୍ୟ ଅନୁରୂପ ନିୟମ ଅନୁସୃତ େହବ। ସେହିଭଳି ଯଦି କୌଣସି ବ୍ୟକ୍ତି ଅନ୍ୟ ରାଜ୍ୟରେ ସଙ୍ଗରୋଧରେ ଥିବା ପ୍ରମାଣ ଦିଅନ୍ତି, ତାଙ୍କୁ ମଧ୍ୟ ଏଠାରେ ଆଉ ଥରେ ଏହି ପ୍ରକ୍ରିୟା ଭିତରକୁ ଆସିବା ଦରକାର ନାହିଁ।

ସମ୍ବନ୍ଧିତ ଖବର