ବଅଁରପାଳ ବ୍ଳକ୍‌ ଟେଣ୍ଟଲୋଇ ଗ୍ରାମରେ ଅଗ୍ନିକାଣ୍ଡ, ୭ ବଖରା ପୋଡି ପାଉଁଶ

ଅନୁଗୁଳ : ବଅଁରପାଳ ବ୍ଳକ୍‌ କୁକୁଡାଙ୍ଗ ଗ୍ରାମ ପଞ୍ଚାୟତର ଟେଣ୍ଟଲୋଇ ଗ୍ରାମରେ ଗୁରୁବାର ରାତିରେ ନିଆଁଲାଗି ଗ୍ରାମର ସନ୍ତୋଷ ନାଏକ, ଅବିନାଶ ନାଏକ, ପ୍ରଫୁଲ ନାଏକଙ୍କର ୭ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଗ୍ୟାସ ଟାଙ୍କି ଫାଟିଯିବାରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି।

ଖବର ପାଇ ପ୍ରଥମେ ତାଳଚେର ଅଗ୍ନିଶମ କେନ୍ଦ୍ରର ଦମକଳ ଗାଡି ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁକୁ ଆୟତ୍ତ କରିପାରି ନ ପାରିବାରୁ ବଅଁରପାଳ ଅଗ୍ନିଶମ କେନ୍ଦ୍ରର ଦୁଇଟି ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ। ଉକ୍ତ ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଘରେ ଥିବା କମ୍ପ୍ୟୁଟର, ଟିଭି (୩), ଫ୍ରିଜ୍‌, ଫ୍ୟାନ (୩) ଓ ଅନ୍ୟାନ୍ୟ ଘର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି।

ଏଥିସହ ପ୍ରଫୁଲ ନାଏକଙ୍କ ଝିଅ ବାହାଘର ପାଇଁ ଘରେ ସାଇତି ରଖିଥିବା ଜିନିଷପତ୍ର ତଥା ଟଙ୍କା, ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳକୁ ବଅଁରପାଳ ଥାନା ଅଧିକାରୀ କନକ ମାଝି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାଁନ୍ତି।

ସମ୍ବନ୍ଧିତ ଖବର