ଓଡ଼ିଶାକୁ ବିଭିନ୍ନ ରାଜ୍ୟ ସହାୟତାର ହାତ ବଢ଼ାଇଲେ

ଭୁବନେଶ୍ବର : ଫନି ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର ପାଇଁ ବିଭିନ୍ନ ରାଜ୍ୟ ସରକାର ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୭ଟି ରାଜ୍ୟ ଆର୍ଥିକ ସହଯୋଗ ଯୋଗାଇ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ୧୫ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହା ବାଦ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ ପିଲାନିସ୍ବାମୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ୧୦ କୋଟି ଟଙ୍କା ଲେଖାଏ ସହାୟତା ‌ପ୍ରଦାନ କରିଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦର ସିଂହ ରାୱତ ୫ କୋଟି ଲେଖାଏ ସହାୟତା ପ୍ରଦାନ କରିଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ଲେଖି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସମସ୍ତ ସହାୟତା ଯୋଗାଇବାକୁ କେରଳ ସରକାର ପ୍ରସ୍ତୁତ ବୋଲି ଜଣାଇଛନ୍ତି। ଓଡ଼ିଶାର ଆବଶ୍ୟକତା ଅନୁଯାୟୀ ପୋଷାକପତ୍ର ଓ ତାର୍ପଲିନ୍ ଯୋଗାଇଦେବେ ବୋଲି ସେ କହିଛନ୍ତି। ଏହା ବାଦ୍ ଓଡ଼ିଶା ସରକାରଙ୍କ ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ସହଯୋଗ ଯୋଗାଇବାକୁ କେରଳ ରିଲିଫ୍ କମିସନର୍‌ଙ୍କୁ ଶ୍ରୀ ବିଜୟନ୍ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର