ଭାଙ୍ଗିଦେବେ ସ୍ବେରେଜ୍ ବୋର୍ଡ : ୧୧୩ ସହରାଞ୍ଚଳରେ ଆଉ ବିଛାଯିବନି ସ୍ବେରେଜ୍ ଲାଇନ୍‌, ରାଜଧାନୀରେ ସ୍ବେରେଜ୍ କାର୍ଯ୍ୟ ୱାଟ୍‌କୋ କରିବ, ଗଠନ ହେବ ସେପ୍ଟେଜ୍ ନିର୍ଦ୍ଦେଶାଳୟ

ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳରେ ଜଳଯୋଗାଣ ଓ ସ୍ବେରେଜ୍ ଲାଇନ୍ ବିଛାଇବା କାର୍ଯ୍ୟ କରୁଥିବା ‘ଓଡ଼ିଶା ଜଳ ଯୋଗାଣ ଓ ସ୍ବେରେଜ୍‌ ବୋର୍ଡ’କୁ ନଗର ଉନ୍ନୟନ ବିଭାଗ ଭାଙ୍ଗି‌ ଦେବାକୁ ଯୋଜନା କରିଛି। ୧୯୯୧ରେ ଗଠନ ହୋଇଥିବା ଏହି ବୋର୍ଡକୁ ଭାଙ୍ଗିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ କେବଳ ମୋହର ବାଜିବା ବାକି ଅଛି। ନୂଆ ଯୋଜନା ଅନୁଯାୟୀ, ଏବେ ଭୁବନେଶ୍ବର, ଖୋର୍ଦ୍ଧା ଓ ଜଟଣୀରେ ଜଳ ଯୋଗାଣ କରୁଥିବା ୱାଟ୍‌କୋ (ଜଳ ନିଗମ) ଭୁବନେଶ୍ବରରେ ସ୍ବେରେଜ୍ ଲାଇନ୍ ବିଛାଇବା ଏବଂ ମରାମତି କାମ କରିବ। ଭୁବନେଶ୍ବରର ସ୍ବେରେଜ୍ ଡିଭିଜନ୍ ୱାଟ୍‌କୋ ଅଧୀନରେ ରହିବ। କଟକ, ରାଉରକେଲା, ସମ୍ବଲପୁରରେ ସ୍ବେରେଜ୍ ଲାଇନ୍ ବିଛା ଚାଲିଥିବାବେଳେ ଏଠାରେ ସ୍ବେରେଜ୍ କାର୍ଯ୍ୟ ଜନସ୍ବାସ୍ଥ୍ୟ ବିଭାଗ କରିବ। ବାକି ସହରାଞ୍ଚଳରେ ପାଇଖାନା ମଳ ପରିଚାଳନା ପାଇଁ ସେପ୍ଟେଜ୍ ନିର୍ଦ୍ଦେଶାଳୟ ଗଠନ ହେବ।

ସ୍ବେରେଜ୍‌ ଲାଇନ୍ ବିଛାଇବାରେ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବାରୁ, ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣରେ ଜମି ବାଧକ ସାଜୁଥିବାରୁ , ସ୍ବେରେଜ୍ ପ୍ରକଳ୍ପ କରିବାକୁ ଅଧିକ ସମୟ ଲାଗୁଥିବାରୁ ଏବଂ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀମାନେ ସ୍ବେରେଜ୍ ବୋର୍ଡକୁ ଆସିବାକୁ ରାଜି ହେଉନଥିବାରୁ ନଗର ଉନ୍ନୟନ ବିଭାଗ ସ୍ବେରେଜ୍ ବୋର୍ଡ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିବା ବିଭାଗୀୟ ସୂତ୍ରରୁ ଜାଣିବାକୁ ମିଳିଛି।

ରାଜଧାନୀରେ ୨୦୧୦ ମସିହାରୁ ସ୍ବେରେଜ୍ ଲାଇନ୍ ବିଛା କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିଲାନି। ଏପରିକି ଏବେ ସୁଦ୍ଧା ଅଧା ଅଞ୍ଚଳରେ ବି ସ୍ବେରେଜ୍ ଲାଇନ୍ ବିଛା ସରିନି। କଟକରେ ବି ସମାନ ଅବସ୍ଥା। ରାଉରକେଲା ଓ ସମ୍ବଲପୁରରେ ସ୍ବେରେଜ୍ ଲାଇନ୍ ବିଛା ଚାଲିଥିଲେ ବି ଏହା କେବେ ସରିବ କେହି ଠିକ୍‌ ଭାବେ କହିପାରୁନାହାନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ହେଲା, ସ୍ବେରେଜ୍ ବୋର୍ଡକୁ ଡେପୁଟେସନରେ ଯନ୍ତ୍ରୀ ଆସିବାକୁ ରାଜି ହେଉନଥିବାରୁ ପ୍ରାୟ ୩୦ଜଣ ଯନ୍ତ୍ରୀଙ୍କୁ ନେଇ ସ୍ବେରେଜ୍ ବୋର୍ଡ କାମ କରୁଛି। ଏପଟେ ଜମି ସମସ୍ୟା, ଲୋକଙ୍କ ଅସୁବିଧା ହେଉଥିବା କହି ନଗର ଉନ୍ନୟନ ବିଭାଗ ରାଜ୍ୟର ୧୧୩ ସହରାଞ୍ଚଳରେ ଆଉ ସ୍ବେରେଜ୍ ଲାଇନ୍ ବିଛାଇବା କାର୍ଯ୍ୟ କରିବନି ବୋଲି ନିଷ୍ପତ୍ତି ନେଇଛି।

ଏହି ୧୧୩ ସହରାଞ୍ଚଳରେ ଲୋକଙ୍କ ପାଇଖାନା ମଳକୁ ସେପ୍ଟିକ୍ ଟ୍ୟାଙ୍କ ମାଧ୍ୟମରେ ସିଧା ଟାଙ୍କିରୁ ନେଇ ବିଶୋଧନାଗାରରେ ପକାଯିବ। ସେଠାରେ କମ୍ପୋଷ୍ଟ ପ୍ରସ୍ତୁତ କରି ବିକ୍ରି କରାଯିବ। ଏଥିପାଇଁ ସେ‌‌ପ୍ଟେଜ୍ ନିର୍ଦ୍ଦେଶାଳୟ ଗଠନ ହେବ। ଏବେ ଯେପରି ପୌରସଂସ୍ଥାଗୁଡ଼ିକ ସହରାଞ୍ଚଳରେ ଘରକୁ ଘର ବୁଲି କଠିନ ବର୍ଜ୍ୟବସ୍ତୁ, ଆବର୍ଜନା ଉଠାଉଛନ୍ତି ସେହିପରି ସେପ୍ଟେଜ୍ ନିର୍ଦ୍ଦେଶାଳୟ ଘରକୁ ଘର ବୁଲି ସେପ୍ଟିକ୍ ଟ୍ୟାଙ୍କର ମାଧ୍ୟମରେ ପାଇଖାନା ମଳ ସଂଗ୍ରହ କରିବ।

ହେଲେ ଏହି ସେପ୍ଟେଜ୍ ନିର୍ଦ୍ଦେଶାଳୟ ଗଠନ ଏବଂ ଏହାର କାର୍ଯ୍ୟ ନେଇ ବିବାଦ ଉଠିଲାଣି। କାରଣ ଏବେ ଅଧିକାଂଶ ଲୋକଙ୍କ ଘରେ ପାଇଖାନା ଟାଙ୍କି ଏମିତି ସ୍ଥାନରେ ଅଛି ଯେ, ସେଠାରେ ସେପ୍ଟିକ୍ ଟ୍ୟାଙ୍କର ପଶିବା କଷ୍ଟକର। ସହରାଞ୍ଚଳରେ ଲକ୍ଷ ଲକ୍ଷ ଘର ଥିବାବେଳେ କେତେ ଗାଡ଼ି ଏଥିପାଇଁ ନିୟୋଜିତ ହେବ ତା’ର ତାଲିକା ପ୍ରସ୍ତୁତ ହୋଇନି। ରାଜ୍ୟ ସରକାର ଏହି ଗାଡ଼ି କିଣା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ନା ଘରୋଇ ସଂସ୍ଥାକୁ ଦେଇଦେବେ ତାହା ବି ନିଷ୍ପତ୍ତି ହୋଇନି। କିନ୍ତୁ ଏହା ନିଶ୍ଚିତ ଯେ, ସ୍ବେରେଜ୍ ଲାଇନ୍ ବିଛା ଯାଇଥିଲେ ଲୋକ ଯେତିକି ସୁବିଧା ପାଇଥାନ୍ତେ ସେପ୍ଟିକ୍ ଟ୍ୟାଙ୍କର ମାଧ୍ୟମରେ ପାଇଖାନା ଟାଙ୍କି ସଫା କଲେ ତାହାଠାରୁ ବହୁଗୁଣା ଅଧିକ ଖର୍ଚ୍ଚାନ୍ତ ହେବେ ଓ ଅଧିକ ଅସୁବିଧା ଭୋଗିବେ। ତେଣୁ ଞ୍ଜିନିୟରମାନେ ଏଠାରେ କିପରି କାମ କରିବେ ସେ ବ୍ୟବସ୍ଥା ନକରି ସ୍ବେରେଜ୍ ବୋର୍ଡକୁ ଭାଙ୍ଗିଦେବାକୁ ନଗର ଉନ୍ନୟନ ବିଭାଗ ଠିକ୍ ଭାବୁଛି।

ଏପଟେ ୱାଟ୍‌କୋ ଅଧୀନକୁ ସ୍ବେରେଜ୍ ଡିଭିଜନ ଆସିବା ଜାଣିବା ପରେ ଏବେ ରାଜଧାନୀରେ ସ୍ବେରେଜ୍ ଲାଇନ୍ ମରାମତି କାମ ଆଉ ହେଉନି। ମ୍ୟାନ୍‌ହୋଲ୍‌ ଉଛୁଳି ରାସ୍ତାରେ ମଳ ପାଣି ଭାସୁଛି, ଲୋକଙ୍କ ଘରେ ପଶୁଛି, କିନ୍ତୁ କେହି ଏହାକୁ ଧ୍ୟାନ ଦେଉନାହାନ୍ତି। ଏପରିକି ବିଭାଗୀୟ ଯନ୍ତ୍ରୀମାନେ ଖୁବ୍ ଶୀଘ୍ର ଅଦଳବଦଳ ହେବାକୁ ଥିବାରୁ ଲୋକଙ୍କ ସମସ୍ୟା ନେଇ ପୂରା ଆଖି ବୁଜି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜଧାନୀକୁ ୬ଟି ସ୍ବେରେଜ୍ ‌ଡିଷ୍ଟ୍ରିକ୍ଟରେ ଭାଗ କରି ଏବେ ସ୍ବେରେଜ୍ ଲାଇନ୍ ବିଛା କାମ ଚାଲିଛି। ଏଥିପାଇଁ ୫ଟି ସ୍ବେରେଜ୍ ଡିଷ୍ଟ୍ରିକ୍ଟରେ ପ୍ରାୟ ୧୨୫୧.୨୯କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିବାବେଳେ ୭୫୪.୨୩କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ରାଜଧାନୀରେ ୨୦୨୦ ଡିସେମ୍ବର ସୁଦ୍ଧା ସମସ୍ତ ସ୍ବେରେଜ୍ ଲାଇନ୍ ବିଛା କାର୍ଯ୍ୟ ଶେଷ କରି ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ୯ବର୍ଷରେ ଅଧା କାମ କରିପାରିନଥିବା ସଂସ୍ଥା ବର୍ଷକରେ ବାକି ଅଧା କାମ କିପରି କରିବ ତାହା ‌ବୁଝିହେଉନି।

ସମ୍ବନ୍ଧିତ ଖବର