ପାତ୍ରପଡ଼ା ଏମ୍‌ସନଗରସ୍ଥିତ ହୋଟେଲ ସାନ୍‌ସିବ୍‌ରେ ଦେହ ବେପାର : ରାଣୀ ମହୁମାଛି ସହ ୫ ବଙ୍ଗୀୟ ଯୁବତୀ ଉଦ୍ଧାର, ମ୍ୟାନେଜର, ୨ ଦଲାଲ୍ ଓ ଜଣେ ଗ୍ରାହକ ଗିରଫ

ଭୁବନେଶ୍ବର : ପାତ୍ରପଡ଼ା ଏମ୍‌ସନଗରସ୍ଥିତ ହୋଟେଲ ସାନ୍‌ସିବ୍‌ରେ ଖଣ୍ଡଗିରି ଥାନା ପୁଲିସ ଠାବ କରିଛି‌ ଏକ ଦାମୀ ଦେହବଜାର। ବଙ୍ଗୀୟ ଯୁବତୀମାନଙ୍କୁ ନେଇ ସେଠାରେ ଚାଲିଥିଲା ହାଇପ୍ରୋଫାଇଲ୍‌ ସେକ୍ସ ରୢାକେଟ୍‌। ପୁଲିସ ହୋଟେଲର ମ୍ୟାନେଜର ସହ ଦୁଇ ବଙ୍ଗୀୟ ଦଲାଲ୍‌ ଓ ଜଣେ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ରାଣୀ ମହୁମାଛି ଓ ୫ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ପାତ୍ରପୁର ଅଞ୍ଚଳର ହୋଟେଲ୍ ମ୍ୟାନେଜର୍ ଦୀପକ ନାହାକ(୨୨), କୋଲକାତାର ଦଲାଲ୍‌ ମହମ୍ମଦ ନିହାର୍, ମହମ୍ମଦ ସେହନୱାଜ୍ ଖାଁ ଓ ରାଜଗାଙ୍ଗପୁର ଅଞ୍ଚଳର ଗ୍ରାହକ ଦିବ୍ୟାନ୍ଦୁ ଘୋଷ(୩୮)। ହୋଟେଲରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ମେଡିକାଲ ଯାଞ୍ଚ ପରେ ଯୁବତୀମାନଙ୍କୁ ଏକ ଆଶ୍ରୟ ଗୃହରେ ଛଡ଼ା ଯାଇଥିବା‌ବେଳେ ଅନ୍ୟମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ହୋଟେଲ୍ ମାଲିକଙ୍କ କି ପ୍ରକାର ସମ୍ପୃକ୍ତି ରହିଛି, ତାହାକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।

କେମିତି ଧରାପଡ଼ିଲା: ଏହି ବଙ୍ଗୀୟ ଯୁବତୀମାନେ ଦେଖିବାକୁ କର୍ପୋରେଟ୍‌ ଶିକ୍ଷାନୁଷ୍ଠାନର ହାଇଫାଇ ଛାତ୍ରୀମାନଙ୍କ ଭଳି। ପ୍ରଥମେ ସ୍ଥାନୀୟ ଲୋକମାନେ ଏମାନଙ୍କୁ ସାମୟିକଭାବେ ହୋଟେଲରେ ରହୁଥିବା କୌଣସି ଇଂଜିନିୟରିଂ କଲେଜ ଛାତ୍ରୀ ବୋଲି ଭାବିଥିଲେ। ମାତ୍ର ମଝିରେ ମଝିରେ ଉଭାନ୍ ହୋଇଯିବା ଓ କିଛି ଦିନର ବ୍ୟବଧାନରେ ପୁଣି ସେହି ହୋଟେଲକୁ ଆସିବା ଯୋଗୁଁ ସେମାନେ ସନ୍ଦେହ କରିଥିଲେ। ଖଣ୍ଡଗିରି ଥାନା ପୁଲିସ ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରିଥିଲା।

ଅପରେସନ୍ ପ୍ରଣାଳୀ: ଏହି ରୢାକେଟ୍‌ର ମୁଖ୍ୟ କାର୍ପଟଦାର ହେଉଛି ରାଣୀ ମହୁମାଛି ସୁନି ଦାସ (ଛଦ୍ମନାମ)। ପୁଲିସ ତା’ନିକଟରୁ ପାସ୍‌ପୋର୍ଟ ଜବତ କରିଛି। ତେଣୁ ତା’ର ଏହି କାରବାରର ଚେର ବିଦେଶ ପର୍ଯ୍ୟନ୍ତ ଲମ୍ବିଛି ବୋଲି ସନ୍ଦେହ କରାଯାଉଛି। ଉକ୍ତ ଦୁଇ ଦଲାଲ୍‌ ବିଭିନ୍ନ ସହରରେ ହୋଟେଲ୍ ଠାବ କରନ୍ତି ଓ ସୁନି ଦେହଜୀବୀମାନଙ୍କୁ ନେଇ ସେଠାରେ ପହଞ୍ଚିଯାଏ। ଉଭୟ ହୋଟେଲ ମାଲିକ ବା କର୍ମଚାରୀ ଏବଂ ସୁନି ଗ୍ରାହକ ଯୋଗାଡ଼ କରନ୍ତି। ସୁନି ଅନ୍‌ଲାଇନ୍‌ ଜରିଆରେ ଗ୍ରାହକ ଯୋଗାଡ଼ କରିଥାଏ। କର୍ପୋରେଟ୍‌ ଜଗତର ଦାମୀ କର୍ମଚାରୀମାନଙ୍କୁ ସୁନି ଗ୍ରାହକଭାବେ ଗ୍ରହଣ କରିଥାଏ। ଜଣେ ଜଣେ ସ୍ଥାୟୀ ଗ୍ରାହକ ଅନ୍ୟ ଗ୍ରାହକ ଯୋଗାଡ଼ କରି କମିସନି ପାଆନ୍ତି। ବଡ଼ କଥା ହେଉଛି ସୁନି ଯୁବତୀମାନଙ୍କୁ ନେଇ ଏହି କାରବାର କରୁଛି। ଫ୍ଲାଇଟ୍‌ରେ ନେବା ଆଣିବା କରେ। ତେଣୁ ଗ୍ରାହକମାନଙ୍କୁ ବହୁ ଦାମ୍ ଦେବାକୁ ପଡ଼େ। ସୂଚନାନୁସାରେ ଜଣେ ଯୁବତୀ ରାତିକ ପାଇଁ ୭ରୁ ୧୦ ହଜାର ଟଙ୍କା ନେଉଥିବା ବେଳେ ମଧ୍ୟାହ୍ନ ପାଇଁ ୩ରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଦର ଧାର୍ଯ୍ୟ ହୋଇଥାଏ।

ସମ୍ବନ୍ଧିତ ଖବର