କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା : ଜାତୀୟ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ

୪ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ

ମହାକାଳପଡ଼ା : କେନ୍ଦ୍ରାପଡାର ମହାକାଳପଡାଠାରେ କଲେଜ ଛାତ୍ରୀ ଦୁଷ୍କର୍ମ ଉଦ୍ୟମ ଘଟଣାକୁ ନେଇ ଉତ୍ତେଜନା ଲାଗିରହିଛି। ଏପର୍ଯ୍ୟନ୍ତ ସୁଦ୍ଧା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଏହାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଦୀର୍ଘ ୪ ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ, ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ଗତକାଲି ଏହି ବ୍ଲକ୍‌ ଅନ୍ତର୍ଗତ ଗୋପୀନାଥପୁରସ୍ଥିତ ସଂସ୍କୃତ ମହାବିଦ୍ୟାଳୟର +୩ ଶେଷ ବର୍ଷର ଛାତ୍ରୀ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିଲେ। ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ଜମା ହୋଇଯାଇଥିଲେ ଏବଂ ଏହାର ସୁଯୋଗ ନେଇ ଅଭିଯୁକ୍ତ ଖସି ପଳାଇଯିବାକୁ ସକ୍ଷମ ହୋଇଥିଲା।

ଏହି ଘଟଣା ପରଠାରୁ ଗତକାଲିଠାରୁ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଗତକାଲି ଉତ୍ତ୍ୟକ୍ତ ଲୋକମାନେ ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଆଜି ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ୍‌ ବିଫଳତାର ପ୍ରତିବାଦରେ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ।

ଆଜି ଦିନ ପ୍ରାୟ ୧୧ଟା ସମୟରେ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଯଦୁପୁର ଗୋଡ଼ାଠାରେ ଟାୟାର୍‌ ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍‌ର ବିଫଳତାକୁ ତୀବ୍ର ନିନ୍ଦା କରିବା ସହିତ ବିଭିନ୍ନ ସ୍ଲୋଗାନ୍‌ ଦେଇଥିଲେ। ଫଳରେ, ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏପରିକି, ମାର୍ଶାଘାଇ ଆଡୁ ଆସୁଥିବା ଏକ ଆମ୍ବୁଲାନ୍ସ ବି ରାଜପଥରେ ଫସି ଯାଇଥିଲା।

ଏହାର କିଛି ସମୟ ପରେ ମହାକାଳପଡ଼ା ତହସିଲଦାର ନୀଳମାଧବ ଭୋଇ, ଏସ୍‌ଡିପିଓ କେଦାରନାଥ ସାହୁ , ମହାକାଳପଡ଼ା ଥାନାଧିକାରୀ ଶ୍ୟାମଘନ ବେହେରା, ପାଟକୁରା ଥାନାଧିକାରୀ ଦେବେନ୍ଦ୍ର ମଲ୍ଲିକ୍‌ ପ୍ରମୁଖ ପହଞ୍ଚ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ। ଏହାପରେ ୫ ନମ୍ବର (କ) ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ, ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାନଗଲେ ସେମାନେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର