ତଦନ୍ତ ପାଇଁ ୭ ଜଣିଆ କମିଟି ଗଠିତ

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ଅକ୍ଟୋବର ୩୧ ସୁଦ୍ଧା ଦାଖଲ ହେବ ରିପୋର୍ଟ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ମହେଶ୍ୱର ଶତପଥୀଙ୍କ ବିରୋଧରେ ଛାତ୍ରଛାତ୍ରୀ ଆଣିଥିବା ନିର୍ଯାତନା ଅଭିଯୋଗର ତଦନ୍ତ ଲାଗି ୭ ଜଣିଆ କମିଟି ଗଠିତ ହୋଇଛି। ଏଥିରେ ବିଶ୍ୱବିଦ୍ୟାଳୟର ୭ଜଣ ପ୍ର୍ରଫେସର ରହିଛନ୍ତି। ପିଏମ୍‌ଆଇଆର ବିଭାଗ ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟି ଆସନ୍ତା ୩୧ ତାରିଖ ସୁଦ୍ଧା କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

କମିଟିରେ ଆଇନ ବିଭାଗର ପ୍ରଫେସର ମଧୁସୂଦନ ଦାଶ, ଇତିହାସ ବିଭାଗ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ଡିଡିସିଇର ନିର୍ଦେଶକ ପ୍ରଫେସର ସୁସ୍ମିତ ପାଣି, ସମାଜ ବିଜ୍ଞାନ ବିଭାଗର ପ୍ରଫେସର ନବନିତା ରଥ, ପ୍ରାଣୀବିଜ୍ଞାନ ପ୍ରଫେସର ପ୍ରଭାତୀ ମହାପାତ୍ର ଏବଂ ସ୍କୁଲ ଓଫ୍‌ ଓମେନ୍ସ ଷ୍ଟଡିଜ୍‌ର ସଂଯୋଜିକା ତଥା ଲୋକ ପ୍ରଶାସନ ବିଭାଗର ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ସଦସ୍ୟ ରହିଛନ୍ତି। କମିଟି ଛାତ୍ରଛାତ୍ରୀ ଏବଂ ସମ୍ପୃକ୍ତ ବିଭାଗର ଅଧ୍ୟାପିକାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରିବ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଅଧ୍ୟାପକ ଜଣକ ସେମାନଙ୍କୁ ଶ୍ରେଣୀଗୃହରେ ଖରାପ ବ୍ୟବହାର ଦେଖାଉଛନ୍ତି। ପରୀକ୍ଷା ଖାତା ମୂଲ୍ୟାୟନରେ ବାଛବିଚାର କରିବା ସହ ଫଳ ପ୍ରକାଶ ପାଇବା ପୂର୍ବରୁ ତାହାକୁ ଓ୍ଵବସାଇଟ୍‌ରେ ଛାଡ଼ି ଦେଉଛନ୍ତି। ଦୁର୍ବ୍ୟବହାର କରିବା ସହ ଶ୍ରେଣୀଗୃହରେ ପଢ଼ାଇପାରୁ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିପରି ଅଧ୍ୟାପିକାମାନଙ୍କ ଅଭିଯୋଗ ଅନୁଯାୟୀ ପ୍ର୍ରଫେସର ଜଣକ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଅବମାନନା କରୁଛନ୍ତି। ଠିକ୍‌ ବ୍ୟବହାର ପ୍ରଦର୍ଶନ କରୁନାହାନ୍ତି।

କମିଟିର ଅଧ୍ୟକ୍ଷ ପ୍ରଫେସର ତ୍ରିପାଠୀଙ୍କ କହିବାନୁଯାୟୀ ବୈଠକ ବସି ଅଭିଯୋଗର ଖୁବ୍‌ଶୀଘ୍ର ତଦନ୍ତ ଆରମ୍ଭ ହେବ। ଅକ୍ଟୋବର ୩୧ ସୁଦ୍ଧା ତଦନ୍ତ ସାରି ତଦନ୍ତ ରିପୋର୍ଟ କୁଳପତିଙ୍କୁ ପ୍ରଦାନ କରାଯିବ। ତଦନ୍ତ ରିପୋର୍ଟ ସିଣ୍ଡିକେଟ୍‌ ବୈଠକରେ ଉପସ୍ଥାପିତ ହେବ। ବୈଠକରେ ରିପୋର୍ଟକୁ ଅନୁମୋଦନ ମିଳିବା ପରେ କୁଳପତି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ୫ ମାସ ପୂର୍ବରୁ ଅଧ୍ୟାପିକାଙ୍କୁ ଖରାପ ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ତଦନ୍ତ ଲାଗି ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

ସମ୍ବନ୍ଧିତ ଖବର