ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ!

ପ୍ରଧାନ ଶିକ୍ଷକ ଫେରାର୍‌
ଉପଜିଲ୍ଲାପାଳଙ୍କୁ ଭେଟିବା ପରେ ଥାନାରେ ମାମଲା ରୁଜୁ

ବଣାଇଁଗଡ଼ : ଟିକାୟତପାଲି ଥାନା ବନ୍ଧାଭୂଇଁ ଜେମାମଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କୁଲ୍‌ର କେତେକ ଛାତ୍ରୀଙ୍କୁ ମୋବାଇଲ୍‌ରେ ଅଶ୍ଳୀଳ ଭିଡିଓ ଦେଖାଇବା ସହ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ତେବେ ପ୍ରଧାନ ଶିକ୍ଷକ ସ୍କୁଲ୍‌ରୁ ଫେରାର୍‌ ହୋଇଯାଇଛନ୍ତି।

ସ୍କୁଲର ୨୧ଜଣ ଛାତ୍ରୀ ବଡ଼ଗୋଗୁଆ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍‌ ପରୀକ୍ଷା ଦେଉଥିଲେ। ପରୀକ୍ଷା କେନ୍ଦ୍ର ନିକଟରେ ଘରଭଡ଼ା ନେଇ ମେସ୍‌ କରି ରହୁଥିଲେ। ପ୍ରଧାନ ଶିକ୍ଷକ ମଧ୍ୟ ସେଠାରେ ରହୁଥିଲେ। ଗତ ଫେବ୍ରୁଆରି ୨୩ ତାରିଖ ରାତିରେ ପ୍ରଧାନ ଶିକ୍ଷକ କୋଠରୀର ଲାଇଟ୍‌ ବନ୍ଦ କରି କେତେକ ଛାତ୍ରୀଙ୍କୁ ଜଣ ଜଣ କରି ପାଖକୁ ଡାକି ମୋବାଇଲ୍‌ରେ ଅଶ୍ଳୀଳ ଭିଡିଓ ଦେଖାଇଥିଲେ। କେତେକ ଛାତ୍ରୀଙ୍କୁ ସେ ଅସଦାଚରଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ଏହାର ପ୍ରତିବାଦ କରିବାରୁ ‘ତୁମକୁ ପରୀକ୍ଷାରେ ଫେଲ୍‌ କରିଦେବି ବୋଲି କହି ଧମକ ଦେଇଥିଲେ। ଭୟରେ ଛାତ୍ରୀମାନେ ମୁହଁ ଖୋଲିନଥିଲେ। ଗତ ୮ ତାରିଖ ଦିନ ମାଟ୍ରିକ ପରୀକ୍ଷା ସରିବା ପରେ ଛାତ୍ରୀମାନେ ଘରକୁ ଆସି ଅଭିଭାବକ ମାନଙ୍କୁ ଘଟଣା ବିଷୟରେ କହିଥିଲେ।

ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଭାବକମାନେ ଛାତ୍ରୀମାନଙ୍କୁ ଧରି ବିଦ୍ୟାଳୟରେ ପହଞ୍ଚ ପ୍ରଧାନ ଶିକ୍ଷକଙ୍କୁ ଖୋଜିଥିଲେ। କିନ୍ତୁ ସେତେବେଳକୁ ପ୍ରଧାନ ଶିକ୍ଷକ ଫେରାର୍‌ ହୋଇଯାଇଥିଲେ। ପରେ ଗ୍ରାମରେ ଏକ ବୈଠକ ବସି ଘଟଣା ସମ୍ପର୍କରେ ଟିକାୟତପାଲି ଥାନାରେ ଲିଖିତ ହୋଇଥିଲା। ମାତ୍ର ପୋଲିସ କୌଣସି ପଦକ୍ଷେପ ନେଇନଥିଲା। ଆଜି ସେମାନେ ବଣାଇଁ ଥାନାରେ ପହଞ୍ଚ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୋଲିସ କେଶ୍‌ ରୁଜୁ କରିବାରେ ଟାଳଟୁଳ ନୀତି ଅବଳମ୍ବନ କରିବାରୁ ଅଭିଭାବକମାନେ ବଣାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜଣାଇଥିଲେ। ଉପ ଜିଳ୍ଲାପାଳ ଏ ସମ୍ପର୍କରେ ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଶେଷରେ ସଂଧ୍ୟାରେ ବଣାଇଁ ଥାନାରେ କେଶ୍‌ ରୁଜୁ ହୋଇଥିଲା। ଜେମାମଣି ଉଚ୍ଚବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ନିଜେ ଛାତ୍ରୀଙ୍କ ସହିତ ରହିବା ଘଟଣା ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର