ହଜିଗଲା ନିଲମ୍ବନ ଆଦେଶ!

ଆଦିବାସୀ ଛାତ୍ରୀଙ୍କୁ ଯୌନ ଶୋଷଣ ଘଟଣା

ଦାରିଙ୍ଗବାଡ଼ି : ଜଣେ ଆଦିବାସୀ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ କନ୍ଧମାଳ ଜିଲ୍ଲାପାଳ ୧୨ ଦିନ ହେଲାଣି ନିଲମ୍ବନ କଲେଣି। କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ଚିଠି ପାଇ ନ ଥିବା ଦର୍ଶାଇ ଏହି ନିଲମ୍ବନ ଆଦେଶ କାର୍ଯ୍ୟକାରୀ କରୁନାହାନ୍ତି। ଜିଲ୍ଲାପାଳ ଅଫିସ୍‌ରୁ ଡିଇଓ ଅଫିସ୍‌ ଆସିବା ବାଟରେ ଯେମିତି ହଜିଯାଇଛି ଏହି ଚିଠି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପାଇବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା ଛାତ୍ରୀଙ୍କ ପରିବାର। ପୁଲିସ ମଧ୍ୟ ଏହି ମାମଲାରେ ଚୁପ୍‌ ବସିଛି। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ଆଦିବାସୀଙ୍କୁ ନିର୍ଯାତନା ତଥା ସାରା ଦେଶରେ ଯୌନ ଶୋଷଣ ମାମଲାକୁ ସୁପ୍ରିମକୋର୍ଟ ଗମ୍ଭୀର ଭାବେ ନେବାକୁ ବାରମ୍ବାର ନିର୍ଦ୍ଦେଶ ଦେଉଥିବା ବେଳେ ଦାରିଙ୍ଗବାଡ଼ି ପୁଲିସ ଓ ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦାସିଙ୍ଗବାଡିର ଜନାବାଡ଼ି ପ୍ରକଳ୍ପ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ୨୦୧୬ ମସିହା ଜୁଲାଇରେ ଯୋଗ ଦେଇଥିଲେ ମୁକେଶ ନାୟକ। ଅଭିଯୋଗ ହୋଇଥିଲା ଯେ, ଏହାପରଠୁ ଜଣେ ଛାତ୍ରୀଙ୍କୁ ସେ ନିରୋଳା ସ୍ଥାନକୁ ନେଇ ଯୌନ ଶୋଷଣ କରିବା ସହ ମୋବାଇଲ୍‌ରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖାଉଥିଲେ। ବାହାରେ କାହାକୁ ଏବିଷୟରେ ନଜଣାଇବାକୁ ଛାତ୍ରୀଙ୍କୁ ଧମକଚମକ ମଧ୍ୟ ଦେଉଥିଲେ। ଫଳରେ ଛାତ୍ରୀ ଜଣକ ଲାଜରେ ବିଦ୍ୟାଳୟ ଯିବା ବନ୍ଦ କରି ଦେଇଥିଲେ। ଘର ଲୋକେ କାରଣ ପଚାରିବାରୁ ସବୁ କଥା ଜଣାଇଥିଲେ।

ଗତ ଅଗଷ୍ଟ ୧୬ ତାରିଖରେ ଛାତ୍ରୀଙ୍କ ମା’ ଓ ପରିବାର ଲୋକେ ଦାରିଙ୍ଗବାଡି ଥାନା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଠାରେ ଏ ନେଇ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଶେଷରେ ବାଧ୍ୟ ହୋଇ ଅଭିଭାବକ କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ।

ଘଟଣାର ପାଖାପାଖି ୨ମାସ ବିତିଯାଇଥିଲେ ଥାନା ଏବଂ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଶେଷରେ ଏନେଇ ଛାତ୍ରୀଙ୍କ ମା’ ସୂଚନା ଅଧିକାର ଆଇନ୍‌ର ଆଶ୍ରୟ ନେଇ ଶିକ୍ଷକଙ୍କ ବିରୋଧରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଏସଂକ୍ରାନ୍ତୀୟ ଏକ ତଥ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମାଗିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ପୀଡିତା ଛାତ୍ରୀଙ୍କୁ ଚିକିତ୍ସା ପାଇଁ ୧୦ ହଜାର ପ୍ରଦାନ କରିବାକୁ ଓ ଶିକ୍ଷକ ମୁକେଶଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ଜିଳ୍ଲାପାଳଙ୍କ ଅଫିସରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗତ ୧୧ ଅକ୍ଟୋବରରେ ଚିଠି(ନଂ.୫୮୮) ପ୍ରେରଣ କରାଯାଇଛି। କିନ୍ତୁ ବର୍ତମାନ ସୁଦ୍ଧା ଚିକିତ୍ସା ସହାୟତା ମିଳି ନାହିଁ କି ପୁଲିସ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ସଂପୃକ୍ତ ଶିକ୍ଷକ ଏବେ ବି ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି। କାହା ଚାପରେ ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଞ୍ଚା ଦେଉଛନ୍ତି, ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର