ଭବାନୀପାଟଣା ଆଶ୍ରୟ ଗୃହରେ ବ୍ୟଭିଚାର : ଏଚ୍ଆଇଭି ଆକ୍ରାନ୍ତ ନାବାଳିକାଙ୍କୁ ବି ନିର୍ଯାତନା

ଉପଜିଲ୍ଲାପାଳଙ୍କ ଚଢ଼ଉ, ସଂସ୍ଥା ମୁଖ୍ୟଙ୍କ ନାଁରେ ଗୁରୁତର ଅଭିଯୋଗ, ଅଭି‌ଯୋଗକୁ ଖଣ୍ଡନ କଲେ ସଂସ୍ଥା ମୁଖ୍ୟ

ବଲାଙ୍ଗୀର/ ଭବାନୀପାଟଣା : ଭବାନୀପାଟଣା ଠାରେ ଥିବା ପ୍ରୟାସ ନାମକ ଆଶ୍ରୟ ଗୃହରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ଏମିତିକି ଏଚଆଇଭି ଆକ୍ରାନ୍ତ ନାବାଳିକା ବି ଏଥିରୁ ବାଦ୍ ପଡ଼ୁନାହାନ୍ତି। ଖୋଦ୍‌ ସଂସ୍ଥା ମୁଖ୍ୟ ସରୋଜ ଦାସ ଏଭଳି ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ବଲାଙ୍ଗୀରର ଜଣେ ଏଚଆଇଭି ଆକ୍ରାନ୍ତ ନାବାଳିକା। ନିର୍ଯାତନା ସହି ନ ପାରି ସେ ଆଶ୍ରୟ ଗୃହ ଛାଡ଼ିଛନ୍ତି। ଏବେ ବି ସେଠାରେ ବରିଷ୍ଠ ମହିଳା କର୍ମଚାରୀଙ୍କ ସହାୟତାରେ ଅନ୍ୟ ଝିଅମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଭଳି ସଂଗିନ ଅଭିଯୋଗ ଆଣିଛନ୍ତି ନାବାଳିକା ଜଣକ। ଅଭି‌େଯାଗ ପରେ ଶନିବାର ରାତିରେ ଭବାନୀପାଟଣା ଉପଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏହି ଆଶ୍ରୟ ଗୃହରେ ଚଢ଼ଉ କରିଥିଲେ। ତାଙ୍କ ସହିତ ଜିଲ୍ଲା ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।

ଅଭିଯୋଗରୁ ପ୍ରକାଶ ଯେ, ଭବାନୀପାଟଣାରେ ଭିଜନ ଅନୁଷ୍ଠାନ ଦ୍ୱାରା ପରିଚାଳିତ ପ୍ରୟାସ ସଂସ୍ଥା ରହିଛି। ଯେଉଁଠି ଏଚ୍‌ଆଇଭି ସଂକ୍ରମିତ ନାବାଳିକାମାନଙ୍କୁ ସଂସ୍ଥା ପକ୍ଷରୁ ଆଶ୍ରୟ ଦିଆଯାଇଥାଏ। ସଂସ୍ଥାରେ ଆଶ୍ରୟ ନେଇଥିଲେ ଜନ୍ମରୁ ଏଚଆଇଭି ଆକ୍ରାନ୍ତ ଥିବା ବଲାଙ୍ଗୀରର ଦୁଇ ନାବାଳିକା। ୨୦୧୬ ମସିହାରେ ସିଡବ୍ଲୁସି ସହାୟତାରେ ସେମାନଙ୍କୁ ଭବାନୀପାଟଣାର ଆଶ୍ରୟ ଗୃହରେ ରଖାଯାଇଥିଲା। ହେଲେ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଆଶ୍ରୟ ଗୃହ ଛାଡ଼ି ବଲାଙ୍ଗୀର ପଳାଇ ଆସିଛନ୍ତି। ସେ ସଂସ୍ଥାର ମୁଖ୍ୟ ସରୋଜଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନାବାଳିକାଙ୍କ ଅଭିଯୋଗ ହେଲା, ତାଙ୍କ ସହିତ ଅନ୍ୟ ତିନିଜଣ ଝିଅଙ୍କ ସହିତ ଆଶ୍ରୟ ଗୃହ ମୁଖ୍ୟ ଜବରଦସ୍ତ ଯୌନ ସଂପର୍କ ରଖନ୍ତି। ଆଉ ଆଶ୍ରୟ ଗୃହରେ କାମ କରୁଥିବା ବରିଷ୍ଠ ମହିଳା କର୍ମଚାରୀ ଏଥିରେ ସହାୟତା କରନ୍ତି। ଯାହାଙ୍କୁ ପିଲାମାନେ ଡାକନ୍ତି ବଡ଼ ମମି। ଯୌନ ନିର୍ଯାତନା ଫଳରେ ଶାରୀରିକ କଷ୍ଟ ହେଲେ ମଲମ ଲଗାଇବାକୁ କୁହାଯାଇଥାଏ। ତେବେ ନାବାଳିକାଙ୍କ ସହ ବାର ବାର ଏପରି ହେବା ପରେ ସେ ମା’ ପାଖରେ କାନ୍ଦି କାନ୍ଦି ସବୁ କହିଥିଲେ। ଶେଷରେ ନାବାଳିକାର ମା’ ବଲାଙ୍ଗୀର ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କେବଳ ଭବାନୀପାଟଣା କାର୍ଯ୍ୟାଳୟକୁ ନାବାଳିକା ସହିତ ଦୁର୍ବ୍ୟବହାର କରାଯାଉଥିବା ରିପୋର୍ଟ ଲେଖି ମା’ ହାତରେ ପଠାଇ ଦେଇ କାମ ତୁଟାଇ ଦେଇଥିଲେ ବିଭାଗୀୟ କର୍ତ୍ତୃପକ୍ଷ। ଶେଷରେ ମା’ ନିଜେ ଯାଇ ନାବାଳିକାଙ୍କୁ ବଲାଙ୍ଗୀର ନେଇ ଆସିଥିଲେ। ନାବାଳିକାଙ୍କ କହିବା ହେଲା, ସେ ସିନା ଆସିଗଲେ, ଏବେ ବି ଅନ୍ୟ ଅନ୍ତେବାସୀଙ୍କ ସହିତ ନିର୍ଯାତନା ଜାରି ରହିଛି। ତାଙ୍କ ସାନ ଭଉଣୀ ବି ନିର୍ଯାତନାର ଶିକାର ହେଉଥିବା କହିଛନ୍ତି। ସବୁ କଥା ବଲାଙ୍ଗୀରର ବିଭାଗୀୟ ଅଧିକାରୀ ଜାଣିଥିଲେ ବି, କୌଣସି ପଦକ୍ଷେପ ନେଇ ନଥିବା ନାବାଳିକାଙ୍କ ମା’ ଅଭିଯୋଗ କରିଛନ୍ତି। ଏ ନେଇ ଦାୟିତ୍ୱରେ ଥିବା ଡିସିପିୟୁ ବିନୋଦିନୀ ପ୍ରଧାନ କହିଛନ୍ତି, ଏହା ଏକ ଘୃଣ୍ୟ କାମ। ଘଟଣାକୁ ନେଇ ତଦନ୍ତ କରାଯିବ ଓ ସେ ତୁରନ୍ତ ପଦକ୍ଷେପ ନେବେ। ଅନ୍ୟପକ୍ଷରେ ନାବାଳିକାଙ୍କ ଅଭିଯୋଗକୁ ସଂସ୍ଥାର ମୁଖ୍ୟ ସରୋଜ ଦାସ ଖଣ୍ଡନ କରିଛନ୍ତି। ଏହା ସଂପୂର୍ଣ୍ଣ ମିଛ, ତାଙ୍କୁ ବ୍ଲାକ୍‌ମେଲିଂ କରିବା ପାଇଁ ଏଭଳି କରାଯାଉଛି ବୋଲି ସ‌େ କହିଛନ୍ତି।

ସମ୍ବନ୍ଧିତ ଖବର