‘ଶାସ୍ତ୍ରାନୁମୋଦିତ ପରମ୍ପରା ବଜାୟ ରହୁ’

ପୁରୀ : ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ପରମ୍ପରା, ବିଧିବ୍ୟବସ୍ଥା ରହିଛି। ଶାସ୍ତ୍ର ଅନୁମୋଦିତ ବିଧି ବ୍ୟବସ୍ଥା ଦ୍ଵାରା ଏହା ସଂପାଦିତ ହେଉଛି। ଶ୍ରୀମନ୍ଦିରରେ ଶହ ଶହ ବର୍ଷ ଧରି ଚାଲି ଆସିଥିବା ଏହି ଶାସ୍ତ୍ରାନୁମୋଦିତ ପରମ୍ପରା ବଜାୟ ରହୁ। ଧାର୍ମିକ ପ୍ରକ୍ରିୟାରେ ଅଯଥା ହସ୍ତକ୍ଷେପ କରାନଯାଉ। ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଉପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ। ଏକଥା ବି କହିଛନ୍ତି, ଏହି ବିଧିବ୍ୟବସ୍ଥାରେ ଯଦି କିଛି ତ୍ରୁଟି ରହିଛି, ସେ ଉପରେ ପରାମର୍ଶ ନିଆଯାଇପାରିବ। ବିନା ପରାମର୍ଶରେ ପରମ୍ପରା ଭଙ୍ଗ ସାରା ଜଗତ ପାଇଁ ଅନେକ ଅନିଷ୍ଠ ଆଣିଦେବ। ବିନା କୌଣସି ପରାମର୍ଶ ନନେଇ ଓ ପରମ୍ପରା ସଂପର୍କରେ ସଂପୂର୍ଣ୍ଣ ଅବଗତ ନହୋଇ, କୌଣସି ନିଷ୍ପତ୍ତି ନିଆଗଲେ, ସେ ଏହାକୁ ମାନ୍ୟ କରିବେନି।

ରାୟପୁର ଗସ୍ତରେ ଥିବା ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କଥା ଶୁଣିବା ପରେ ପ୍ରତିକ୍ର୍ରିୟାଶୀଳ ହୋଇ ପଡ଼ିଛନ୍ତି। ବହୁଦିନ ଧରି ଚୁପ୍‌ ରହିଥିବା ଶଙ୍କରାଚାର୍ଯ୍ୟ ଏ ଉପରେ ଆଜି ନିଜସ୍ୱ ମତ ରଖିଛନ୍ତି। ପୁରୀ ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର ମନୋଜ କୁମାର ରଥ କହିଛନ୍ତି, ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଉପରେ ରାୟପୁରରୁ ଶଙ୍କରାଚାର୍ଯ୍ୟ ଏକ ବାର୍ତା ପ୍ରେରଣ କରିଛନ୍ତି। ଏହି ବାର୍ତାରେ ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ଯାହା କିଛି ହେଉଛି, ସେ ଉପରେ ତାଙ୍କ ସହ କୌଣସି ଆଲୋଚନା ହୋଇନି କି କୌଣସି ପରାମର୍ଶ ନିଆଯାଉନି। ଶ୍ରୀମନ୍ଦିରରେ ଯେଉଁ ପରମ୍ପରା ଓ ବିଧିବ୍ୟବସ୍ଥା ରହି ଆସିଛି, ତାହା ଧାର୍ମିକ ପ୍ରକ୍ରିୟା। ଏଥିପାଇଁ ସ୍ୱତନ୍ତ୍ର ଭାବେ ସତ୍ଵଲିପି ରହିଛି। ଶାସ୍ତ୍ରୀୟ ବିଧି ଅନୁସାରେ ଏଠାରେ ପୂଜା ଚାଲିଛି। ତାହା ବଜାୟ ରହିବା ଦରକାର। ଯଦି କୌଣସି ତ୍ରୁଟି ପରିଲକ୍ଷିତ ହେଉଛି, ତାହା ଉପରେ ସେ ପରାମର୍ଶ ଦେବାକୁ ପ୍ରସ୍ତୁତ। କିନ୍ତୁ ଏହା ଉପରେ କାହାରି ପରାମର୍ଶ ନନେଇ ନିଜେ ନିଜେ କୌଣସି ନିଷ୍ପତ୍ତି ନେବା ଗ୍ରହଣଯୋଗ୍ୟ ନୁହେଁ। ଆବଶ୍ୟକ ପଡ଼ିଲେ ସେ ଏହି ଭଙ୍ଗ ପରମ୍ପରାକୁ ମାନିବେନି ବୋଲି ଜଗତ୍‌ଗୁରୁ କହିଛନ୍ତି।

ଏ ସଂପର୍କରେ ଉଦାହରଣ ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ପ୍ରୟୋଗକାରୀର ହିତ କରି ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ନିୟମ ହୋଇଥାଏ, କୌଣସି ରାଗ-ଦେ୍ଵଷ, ଭାବୁକତା ଅବା ଅବିବେକର ବଶବର୍ତୀ ହୋଇ ଏଭଳି ନିୟମ କରାଯାଏନି। ଶାସ୍ତ୍ର ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କ ପୂଜା ଚାଲିଛି। ସେହି ପରମ୍ପରା ଅନୁଯାୟୀ ପୂଜା କାର୍ଯ୍ୟ ସଂପାଦିତ ହେଉ। ଶାସ୍ତ୍ର ସମ୍ମତ ବିଭିନ୍ନ ଅବତାରଙ୍କ ଦୀପ୍ତିର ବିଲୋପ ନହେଉ। ତାଙ୍କର ବିଦ୍ୟମାନ ହିତପ୍ରଦ ପ୍ରମାଣିତ ହେଉ, ସେଭଳି ଘାତକ ନହେଉ। ବେଦାଦି ଶାସ୍ତ୍ର ସମ୍ମତ ଫଳପ୍ରାପ୍ତିର ଭାବନା ଓ ଧର୍ମନିରପେକ୍ଷ ତଥା ଧର୍ମ ବିରୋଧୀ ବିଦ୍ୟାର ଉଦ୍‌ଭାବନ ଅତ୍ୟନ୍ତ ଘାତକ ବିଡମ୍ବନା ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର