ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ୧୭୫ଟି ବିରଳ ସାର୍କ ଜବତ

ରାଜନଗର : ବିରଳ ଅଲିଭ୍‌ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ସାମୁଦ୍ରକ ଅଭୟାରଣ୍ୟ ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଏକ ଆନ୍ଧ୍ର ଟ୍ରଲରକୁ ଜବତ କରାଯାଇଛି। ଏହି ଟ୍ରଲରରୁ ୩ ପ୍ରଜାତିର ବିରଳ ସାର୍କ ଜାତୀୟ ମାଛ ୧୭୫ଟି ଜବତ କରାଯାଇଛି। ଏହି ୩ ପ୍ରଜାତିର ସାର୍କ ଜାତୀୟ ମାଛକୁ ଅନ୍ତର୍ଜାତୀୟସ୍ତରରେ ମାରିବାକୁ ବାରଣ କରାଯାଇଛି।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳି ମାଉଥର ଡିପ ସିରେ ମାଛ ମାରୁଥିବା ଆନ୍ଧ୍ରପ୍ରଦେଶର ନରସିମାଲୁ ନାମକ ଏକ ଟ୍ରଲରକୁ ଗତକାଲି ରାତିରେ ପାରାଦ୍ୱୀପ କୋଷ୍ଟଗାର୍ଡ ଟିମ ଜବତ କରିଥିଲା। କୋଷ୍ଟଗାର୍ଡ ଏହି ଟ୍ରଲରକୁ ଜବତ କରି ଗହୀରମଥା ରେଂଜର ବନକର୍ମଚାରୀଙ୍କୁ ହସ୍ତାନ୍ତର କରିଛି। ଏହି ଟ୍ରଲର ତନଖି ବେଳେ ସେଥିରେ ୧୭୫ଟି ବିରଳ ସାର୍କଜାତୀୟ ମାଛ ଜବତ କରାଯାଇଛି। ଏଥିମଧ୍ୟରେ ବୁଲ ସାର୍କ ଜାତୀୟ ମାଛ୧୪୭ଟି, ସ୍ପଟଟେଲ ସାର୍କ ଜାତୀୟ ମାଛ ୨୬ଟି, ହାମରହେଡ ସାର୍କ ୨ଟି ରହିଛି। ଏହି ୧୭୫ଟି ସାର୍କ ମାଛ ଓଜନ ୭୦ କୁଇଣ୍ଟାଲ। ଗୋଟିଏ ଗୋଟିଏ ସାର୍କ ମାଛର ଓଜନ ୩୫ ରୁ ୪୫ କେଜି ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଏହି ୩ ପ୍ରଜାତିର ସାର୍କ ମାଛକୁ ମାରିବା ଓ ଧରିବାକୁ ଅନ୍ତର୍ଜାତୀୟ ସ୍ତରରେ ନିଷେଧ କରାଯାଇଛି। ଆଇୟୁସିଏନ ଦ୍ୱାରା ଏହି ୩ ପ୍ରଜାତିର ସାର୍କ ମାଛକୁ ରେଡ ଲିଷ୍ଟେଡ କରାଯାଇଛି। ଏହି ବିରଳ ମାଛଗୁଡ଼ିକୁ ଜବତ କରାଯିବା ସହ ଟ୍ରଲରରେ ଥିବା ମେଡା ଆପନ୍ନା, ମେଡା ରାମୁ, ମେଡା ଚିନା, ମେଡା ଚେନାରମୁଲୁ ମେଲାପଲ୍ଲୀ ରାମବାବୁ, ଅମର ଗୁରୟା, ଗଂଗାଲା ଗୁରଭାୟା ପ୍ରମୁଖ ୭ ଜଣ ଆନ୍ଧ୍ରପ୍ରଦେଶର ମତ୍ସଜୀବୀଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶର ଏହି ଟ୍ରଲରରୁ ୫୦ଟି ମାଛଧରା ହୁକ, ଭିଏଚଏଫ, ଜିପିଏସ, ଫିସଫାଇଣ୍ଡର ଗୋଟିଏ ଲେଖାଏଁ ଓ ଅନ୍ୟ ସାମୁଦ୍ରକ ମାଛ ୨ କୁଇଣ୍ଟାଲ ଜବତ କରାଯାଇଛି।

ଗିରଫ ମତ୍ସ୍ୟଜୀବୀଙ୍କୁ ଆଜି ରାଜନଗର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଂଜୁର ହେବାରୁ ସେମାଙ୍କୁ ଜେଲ ହାଜତକୁ ପଠାଇ ଦିଅଯାଇଛି। ଜବତ ମାଛକୁ ପୋଷ୍ଟମର୍ଟମ କରଯାଇ ଗହୀରମଥା ରେଂଜ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି। ସେକୁନ ୯, ଓ୍ଵାଇଲ୍ଡଲାଇଫ ପ୍ରୋଟେକ୍ସନ ଆକ୍ଟ ୧୯୭୨, ଆମେଣ୍ଡେର ଅପ୍‌ ଟୁ ୨୦୧୩, ପନିସେବୁଲ ଅଣ୍ଡର ସେକ୍ସନ ୫୧, ଅଫ ଦ ସେଡ ଆକ୍ଟରେ ମାମଲା ରୁଜୁ କରାଯାଇଛି ବୋଲି ଗହୀରମଥା ଏସିଏଫ ଶ୍ରୀରାମପଦ ଅରବିନ୍ଦ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏକ ଗିଲନେଟର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର