କେନ୍ଦ୍ରୀୟ ପଣ୍ୟାଗାର ନିଗମ ଆଞ୍ଚଳିକ କାର୍ଯ୍ୟାଳୟ ପାଟନାକୁ ସ୍ଥାନାନ୍ତର ପ୍ରସଙ୍ଗ : ରହିତାଦେଶ ଜାରି କଲେ ହାଇକୋର୍ଟ

ଭୁବନେଶ୍ବର : କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱରରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ବିହାରର ପାଟନାକୁ ଉଠାଇ ନେବା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏଥିସହ ଏହାର ପରବର୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭କୁ ଧାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ପ୍ରଦୀପ ପ୍ରଧାନ ଓ କେନ୍ଦ୍ରୀୟ ପଣ୍ୟାଗାର ନିଗମର କେନ୍ଦ୍ରୀୟ ଅଧିକାରୀ ଗତ ଜୁଲାଇ ୨୬ ତାରିଖରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ଶ୍ରୀ ପ୍ରଧାନ ଦର୍ଶାଇଥିଲେ ଯେ ୧୯୯୦ ମସିହାରୁ କାର୍ଯ୍ୟରତ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାର ୧୫ଟି ଜିଲ୍ଲାରେ ୨୧ଟି ପଣ୍ୟାଗାର କେନ୍ଦ୍ର ଖୋଲି ବ୍ୟାପକ ପରିମାଣର ଖାଦ୍ୟଶସ୍ୟ ମହଜୁଦ ରଖି ଆସୁଛି। ପ୍ରାୟ ୩.୪ ଲକ୍ଷ ମେଟ୍ରିକ୍ ଟନ୍‌ ଖାଦ୍ୟଶସ୍ୟ ମହଜୁଦ ରଖିବାର ଶକ୍ତି ଏହି ପଣ୍ୟାଗାର ନିଗମର ରହିଛି। ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ, ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ସମେତ ଅନେକ ସଂସ୍ଥା ସେମାନଙ୍କର ଖାଦ୍ୟଶସ୍ୟ ମହଜୁଦ ରଖୁଛନ୍ତି। ଆବଶ୍ୟକସ୍ଥଳେ ଓ ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ପଣ୍ୟାଗାର କେନ୍ଦ୍ରଗୁଡ଼ିକ ଠିକ୍ ସମୟରେ ଖାଦ୍ୟଶସ୍ୟ ଯୋଗାଇ ଆସୁଛନ୍ତି। ଗତ ୫ବର୍ଷ ଧରି ଏହି ଆଞ୍ଚଳିକ କାର୍ଯ୍ୟାଳୟ କ୍ରମାଗତ ଲାଭ କରିଆସୁଛି। ମାତ୍ର କୌଣସି କାରଣ ନଦର୍ଶାଇ ନିଗମର କାର୍ଯ୍ୟାଳୟକୁ ପାଟନାକୁ ଉଠାଇ ନେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ, ତେବେ ଏହାର ଅନେକ କୁପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ପଣ୍ୟାଗାର କେନ୍ଦ୍ରଗୁଡ଼ିକର ଉପଯୁକ୍ତ ପରିଚାଳନା ହୋଇପାରିବ ନାହିଁ। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲୋକମାନଙ୍କୁ ପାଟନା ଦୌଡ଼ିବାକୁ ପଡ଼ିବ। ଖାଦ୍ୟଶସ୍ୟ ଆବଣ୍ଟନରେ ଅନେକ ସମସ୍ୟା ଦେଖାଦେବ। ଫଳରେ ସରକାରୀ ପରିଚାଳିତ ଖାଦ୍ୟ ଭଣ୍ଡାର ଭୁଶୁଡ଼ି ପଡ଼ିବ। ସମୟାନୁକ୍ରମେ ବେସରକାରୀ ସଂସ୍ଥାମାନଙ୍କ ହାତକୁ ଚାଲିଯିବ। ତେଣୁ ଏହି ନିର୍ଦ୍ଦେଶନାମାର ପ୍ରତ୍ୟାହାର ଅତ୍ୟନ୍ତ ଜରୁରୀ ଦର୍ଶାଇ ଶ୍ରୀ ପ୍ରଧାନ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଉଚ୍ଚ ନ୍ୟାୟାଳୟର ଦୁଇଜଣିଆ ଖଣ୍ଡପୀଠ (ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡା ଓ ପ୍ରମଥ ପଟ୍ଟନାୟକ) ଏହି ମାମଲାର ଶୁଣାଣି କରି ନିଗମର କେନ୍ଦ୍ରୀୟ ପଦାଧିକାରୀଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିବା ସହ କେନ୍ଦ୍ରୀୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ, ନୂଆଦିଲ୍ଲୀଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ଅବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜ୍ୟୋତି ପଟ୍ଟନାୟକ ଓ ଅଶ୍ୱିନୀ କୁମାର କର୍ମୀ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର