ମାଟ୍ରିକ୍‌ -୨୦୧୮ ପରୀକ୍ଷାର୍ଥୀଙ୍କ ନିମନ୍ତେ ଡିସେମ୍ବର ୨୫ରୁ ‘ଶିକ୍ଷା ସମ୍ବାଦ’

ଓଡ଼ିଶାର ହାଇସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକତାକୁ ଆଖିରେ ରଖି ପ୍ରତି ସପ୍ତାହରେ ‘ଶିକ୍ଷା ସମ୍ବାଦ’ ପ୍ରକାଶ କରିବା ଭଳି ଅଭିନବ ପଦକ୍ଷେପ ‘ସମ୍ବାଦ’ ସର୍ବପ୍ରଥମେ ନେଇଥିଲା। ଏହା ଶିକ୍ଷକ, ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ବେଶ୍‌ ଆଦୃତ ହୋଇଥିଲା। ପରବର୍ତୀ ସମୟରେ ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ‘ସମ୍ବାଦ’ ତରଫରୁ ପରୀକ୍ଷା ସଂପର୍କିତ ବିଶେଷ ପରାମର୍ଶ ଦିଆଯାଇ ଆସୁଛି। ଏ ବର୍ଷ ଗ୍ରାହକ, ଛାତ୍ରଛାତ୍ରୀ, ଅବିଭାବକ ଓ ବିତରକ ବନ୍ଧୁମାନଙ୍କ ପ୍ରବଳ ଆଗ୍ରହ ଓ ଅନୁରୋଧକ୍ରମେ ଆମେ ପୁଣି ‘ଶିକ୍ଷା ସମ୍ବାଦ’ର ବିଶେଷ ପୃଷ୍ଠା ପ୍ରକାଶ କରିବାକୁ ଯାଉଛୁ। ଏହା ମାଟ୍ରିକ୍‌ ପରୀକ୍ଷା ପର୍ଯ୍ୟନ୍ତ ପ୍ରତିଦିନ ପ୍ରକାଶ ପାଇବ। ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଗଠିତ ଏକ ଟିମ୍‌ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସଂପର୍କରେ ସୂଚନା ଦେବେ। ମୁଣ୍ଡ ଉପରେ ମାଟ୍ରିକ୍‌ ପରୀକ୍ଷା ଯୋଗୁଁ ଛାତ୍ରଛାତ୍ରୀମାନେ ସାଧାରଣତଃ ଚାପରେ ଥାଆନ୍ତି। ପରୀକ୍ଷା ପାଖେଇ ଆସୁଥିବା ବେଳେ ଶେଷ ସମୟର ପ୍ରସ୍ତୁତି କିଭଳି ରହିବା ଉଚିତ? କେଉଁ ଢଙ୍ଗରେ ଉତ୍ତର ଲେଖିଲେ ଅଧିକ ନମ୍ବର ରହିବ? ପରୀକ୍ଷାରେ କେଉଁ ପ୍ରଶ୍ନଗୁଡ଼ିକ ଆସିବାର ସମ୍ଭାବନା ଅଧିକ? ଏଭଳି ଅନେକ ପ୍ରଶ୍ନ ଛାତ୍ରଛାତ୍ରୀମାନଙ୍କୁ ଆନ୍ଦୋଳିତ କରୁଥାଏ। ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୫ (ସୋମବାର)ଠାରୁ ନିୟମିତ ୬୦ ଦିନ ଧରି ପ୍ରତିଦିନ ପ୍ରକାଶ ପାଇବାକୁ ଯାଉଥିବା ‘ଶିକ୍ଷା ସମ୍ବାଦ’ର ବିଶେଷ ପୃଷ୍ଠା ଛାତ୍ରଛାତ୍ରୀମାନଙ୍କୁ ଏପରି ଚାପରୁ ମୁକ୍ତ କରିବ ଏବଂ ପରୀକ୍ଷାରେ ସେମାନଙ୍କୁ ଅଧିକ ସଫଳତା ପ୍ରଦାନ କରିବ ବୋଲି ଆମର ବିଶ୍ୱାସ। ଯେଉଁ ଛାତ୍ରଛାତ୍ରୀମାନେ ‘ସମ୍ବାଦ’ର ନିୟମିତ ପାଠକ ନୁହନ୍ତି, ସେମାନଙ୍କୁ ଏ ସଂପର୍କରେ ଆଗୁଆ ସୂଚନା ଦେଇ ପ୍ରତିଦିନ ‘ସମ୍ବାଦ’ ପଢ଼ିବାକୁ ପରାମର୍ଶ ଦିଅନ୍ତୁ।
– ସମ୍ପାଦକ

ସମ୍ବନ୍ଧିତ ଖବର