ଶିଶୁ ସୁରକ୍ଷା ନୀତିକୁ ୪ ବର୍ଷ ବିତିଲାଣି : ମାନୁନାହାନ୍ତି ଶିକ୍ଷାନୁଷ୍ଠାନ

ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ବାରସ୍ଥ ହେଲା ‌ଚା‌ଇଲ୍ଡଲାଇନ୍‌

ଭୁବନେଶ୍ବର : ଶିଶୁଙ୍କ ସୁରକ୍ଷା ପାଇଁ ୨୦୧୪ ଅଗଷ୍ଟ ୨୩ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହୋଇଥିଲା ଶିଶୁ ସୁରକ୍ଷା ନୀତି। ୧୮ ବର୍ଷ ବୟସର ଶିଶୁମାନେ ଶିକ୍ଷାନୁଷ୍ଠାନରେ କିଭଳି ସୁରକ୍ଷିତ ରହିପାରି‌‌ବେ, ତାହାକୁ ଦୃଷ୍ଟିରେ ରଖି ନୀତି ଜାରି ହୋଇଥିଲା। ଇତି ମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶିଶୁ ସୁରକ୍ଷା ନୀତି ଲାଗୁ ହୋଇପାରି ନାହିଁ। ଘରୋଇ ବିଦ୍ୟାଳୟଗୁଡ଼ିକ ନୀତିକୁ ଖୁଲମଖୁଲା ଉଲ୍ଲଂଘନ କରୁଥିବା ‌ବେଳେ ସରକାରୀ ବିଦ୍ୟାଳୟରେ ଲାଗୁ ହେବାର ନାଁ ଗନ୍ଧ ନାହିଁ। ଶିଶୁଙ୍କ ସୁରକ୍ଷା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଠନ ହୋଇଥିଲେ ମଧ୍ୟ ତାହା ଏବେ କୋମାକୁ ଚାଲିଗଲାଣି। କେବଳ ପ୍ରତିଷ୍ଠା ଦିବସ ପାଳନରେ ସୀମିତ ରହିଛି ଆୟୋଗ। ନୀତି କାର୍ଯ୍ୟକାରୀ ହେଉଛି କି ନାହିଁ ତା’ର ତଦାରଖ କରାଯାଉ ନାହିଁ। ଯେଉଁଥିପାଇଁ ସୋମବାର ‘ଚାଇଲ୍ଡଲାଇନ୍‌’ ପକ୍ଷରୁ ଆୟୋଗଙ୍କ ନିକଟରେ ପିଟିସନ୍‌ ଦାଖଲ କରାଯାଇଛି ବୋଲି ଏହାର ନିର୍ଦେଶକ ବେଣୁଧର ସେନାପତି କହିଛନ୍ତି।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ପ୍ରତି ଦୁଇଜଣ ଶିଶୁରେ ଜଣେ ‌ଯୌନ ଶୋଷଣର ଶିକାର ହେଉଛନ୍ତି। ପ୍ରତି ୧୦ଟି ଘଟଣାରୁ ଗୋଟିଏ ଘଟଣା ପଦାକୁ ଆସୁଛି। ବାକି ଘଟଣାଗୁଡ଼ିକ ଚାପି ହୋଇଯାଉଛି। ଏଥିପ୍ରତି କାହାର ବି ନିଘା ନାହିଁ। ଶିଶୁ ସୁରକ୍ଷା ନୀତି ଜାରି ହୋଇଥିଲେ ମଧ୍ୟ ଲାଗୁ କରାଯାଇ ନପାରିବା ଏବେ ଚିନ୍ତାର ବିଷୟ ପାଲଟିଛି। ନୀତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଛାତ୍ରଛାତ୍ରୀ ବିଦ୍ୟାଳୟ କ୍ୟାମ୍ପସରେ ଥିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦାୟିତ୍ବ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର। ଗ୍ରୀଷ୍ମକାଳୀନ ଶିକ୍ଷା, ବସ୍‌ରେ ଯିବା ସମୟରେ, ଅନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବାକୁ ଯିବା ସମୟରେ ପିଲାଙ୍କ ସୁରକ୍ଷା ଦାୟିତ୍ବ ପ୍ରତି ପ୍ରଧାନ ଶିକ୍ଷକମାନେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଶିଶୁଙ୍କ ସୁରକ୍ଷା ସମ୍ପର୍କରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଅବଗତ କରାଯିବା ଦରକାର। ଶିଶୁଙ୍କ ଯୌନ ଶୋଷଣ ସମ୍ପର୍କରେ ପିଲା ଓ ସେମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସ୍କୁଲ ଡାଏରିରେ ଏ ସମ୍ପର୍କରେ ଉଲ୍ଲେଖ କରିବା, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ, ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିୟମିତ ତାଲିମ, ଶିଶୁ/କର୍ମଚାରୀ/ଅଭିଭାବକଙ୍କୁ ଶିଶୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ଅଧିକାରୀଙ୍କୁ ପ୍ରଦାନ କରିବାକୁ ନୀତିରେ କୁହାଯାଇଥିଲା। ଏଥିସହ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ସୁଦୃଢ଼ କରିବା, ପାଚେରି ନିର୍ମାଣ, ଖେଳ ପଡ଼ିଆ, ଶ୍ରେଣୀଗୃହକୁ ସୁଦୃଢ଼ କରିବା, ଶୌଚାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା, ସ୍କୁଲ ପରିବହନ ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ବିଦ୍ୟାଳୟର ଚାରିପାଖରେ ସୁରକ୍ଷା କଡ଼ାକଡ଼ି, ଶିଶୁ ସୁରକ୍ଷା ନିୟମଗୁଡ଼ିକୁ କ୍ୟାମ୍ପସରେ ଲେଖିବା, ବାହାରକୁ ବୁଲି ଯିବା ସମୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଜଣେ ମହିଳା ଏକ୍ସର୍ଟଙ୍କୁ ସାଙ୍ଗରେ ନେବାକୁ ଉଲ୍ଲେଖ ହୋଇଥିଲା।

ରାଜ୍ୟରେ ଶିଶୁମାନଙ୍କ ପାଇଁ ଥିବା ସ୍ବତନ୍ତ୍ର ଗୃହ, ସରକାରୀ ଓ ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ଦ୍ବାରା ପରିଚାଳିତ ଓପନ ସେଲ୍ଟର, ସ୍ବତନ୍ତ୍ର ସ୍କୁଲଗୁଡ଼ିକ, ଏସ୍‌ଟି ଓ ଏସ୍‌ସି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ ସ୍କୁଲ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦ୍ବାରା ପରିଚାଳିତ ଆବାସିକ କ୍ରୀଡ଼ାବାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ, ୧୮ ବର୍ଷରୁ କମ୍‌ ବୟସର ପିଲା ରହୁଥିବା ଅନ୍ୟାନ୍ୟ ଆବାସିକ ଅନୁଷ୍ଠାନ, ରାଜ୍ୟର ସମସ୍ତ ସରକାରୀ ଓ ‌ବେସରକାରୀ ବିଦ୍ୟାଳୟ, ପ୍ରି-ସ୍କୁଲ, ୧୮ ବର୍ଷରୁ କମ୍‌ ପିଲା ଯାଉଥିବା ଧାର୍ମିକ ଅନୁଷ୍ଠାନରେ ନିୟମକୁ ଲାଗୁ କରିବାକୁ ୪ ବର୍ଷ ତଳେ କୁହାଯାଇଥିଲା।

ସମ୍ବନ୍ଧିତ ଖବର