ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଆରମ୍ଭ : ସମ୍ବଲପୁରରେ ହଜାର ହଜାର ଭକ୍ତଙ୍କ ଭିଡ଼

ସମ୍ବଲପୁର : ଜଗତଜନନୀ ମାତା ପାର୍ବତୀଙ୍କ ସହ ଦେବଦେବ ମହାଦେବଙ୍କ ଲୌକିକ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଦେବଦମ୍ପତିଙ୍କ ଏହି ବିବାହ ପାଇଁ ଉତ୍ସବମୁଖର ହୋଇ ଉଠିଛି ସଂସ୍କୃତିର ସହର ସମ୍ବଲପୁର। ଏହି ଦେବ ବିବାହକୁ ସ୍ୱଚକ୍ଷୁରେ ଦେଖିିବା ପାଇଁ ସହରକୁ ଛୁଟିଛି ହଜାରହଜାର ଭକ୍ତଙ୍କ ସୁଅ। ରବିବାର ରାତିରେ ନନ୍ଦପଡ଼ାର ବଂବରାଡ଼ ବାଲୁଂକେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା ନିଜନିଜ ମନ୍ଦିରରୁ ବରଯାତ୍ରାରେ ବାହାରି ଥିଲେ। ସେହିପରି ବାଲିବନ୍ଧାର ସୋମନାଥ ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର ପାହାଡ଼େଶ୍ୱର ବାବା, ଭତରାର ଶଂକର ବାବା, ଦୁର୍ଗାପାଲିର ଗୁଡ଼େଶ୍ୱର ବାବା, ସାକ୍ଷୀପଡ଼ାର ଓଁକାରେଶ୍ୱର ବାବା, ସାଲିଆବଗିଚାର ରାମେଶ୍ୱର ବାବା, ଗୋବିନ୍ଦତୋଲାର ସ୍ୱପ୍ନେଶ୍ୱର ବାବା ମଧ୍ୟ ବରବେଶରେ ସଜ୍ଜିତ ହୋଇ କନ୍ୟାଳୟ ଗମନ କରିଥିଲେ। ରାତିରେ ସାମିଲ ହୋଇଛନ୍ତି ଦେବଦେବୀ, ନରନାରୀ ଓ କିନ୍ନର, ସମସ୍ତେ। ବରବେଶୀ ମହାଦେବ କନ୍ୟାରୂପୀ ମାତା ପାର୍ବତୀଙ୍କ ଘରେ ପହଞ୍ଚିବା ପରେ ରାତ୍ରର ବିଳମ୍ବିତ ପ୍ରହରରେ ଆରମ୍ଭ ହୋଇଛି ବିବାହ ଉତ୍ସବ। ରବିବାର ସକାଳେ ପୂର୍ବ ବର୍ଷର କନ୍ୟା ପିତାମାତାଙ୍କ ଘରେ ଗଇଁଠାଳ ଫିଟା ହୋଇଥିଲା। ଏହାପରେ ଚଳିତ ବର୍ଷର କନ୍ୟା ପିତାମାତାମାନେ ଆସି ବିଧି ମୁତାବକ ପୂଜାର୍ଚ୍ଚନା କରି ମାତା ପାର୍ବତୀଙ୍କୁ  କନ୍ୟାଳୟକୁ ନେଇ ଯାଇଥିଲେ। ଘଣ୍ଟ, ଶଂଖ, ବାଦ୍ୟ ମଧ୍ୟରେ ଜଗତ୍‌ଜନନୀ ମାତା ପାର୍ବତୀ ମନ୍ଦିର ଛାଡ଼ି ନିଜ ମାତୃଳୟ ଗମନ କରିଥିଲେ। ଏହାପରେ ବିବାହ ପାଇଁ ଆଜି ମହାଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବିଭିନ୍ନ ମନ୍ଦିରରେ ରୁଦ୍ରାଭିଷେକ କରା ଯାଇଥିଲା। ଅପରାହ୍ନରୁ ପୂଜକମାନେ ଜଟାଧାରୀ ମହାଦେବଙ୍କୁ ବରବେଶରେ ସଜ୍ଜିତ କରିବା ଆରମ୍ଭ କରିଥିଲେ। ସୁନା, ରୁପାର ବିଭିନ୍ନ ଅଳଙ୍କାର, ଛତ୍ର, ପରଭାରେ ବରବେଶୀ ମହାଦେବ ମନ୍ଦିର ବାହାରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଇଥିଲେ।

ସମ୍ବନ୍ଧିତ ଖବର