ଓଡ଼ିଶା ପଛୁଆ ପାଇଁ ବିଜେଡି ଅଧିକ ଦାୟୀ: ଶିବରାଜ
ପରିବାରବାଦ ଓ ଜାତିବାଦକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି, ଜବାବ ଦେଲେ କଂଗ୍ରେସ, ବିଜେଡି
ଭୁବେନଶ୍ବର : ଓଡ଼ିଶା ଆଜି ପଛୁଆ ହୋଇରହିଛି। ଦାରିଦ୍ର୍ୟ ଓ ବେକାରୀ ବଢ଼ିଚାଲିଛି। ଏଥି ପାଇଁ କଂଗ୍ରେସ ସରକାର ଯେତିକି ଦାୟୀ ଥିଲା, ତାହାଠାରୁ ଅଧିକ ବିଜେଡି ସରକାର ଦାୟୀ। ବିଜେଡି ସରକାର ୨୦ ବର୍ଷ ଶାସନ କଲା ପରେ ବି ରାଜ୍ୟର ବିକାଶ ହୋଇପାରି ନାହିଁ। ଓଡ଼ିଶା ସରକାରଙ୍କ ଉପରେ ଏମିତି ଆରୋପ ଲଗାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହାନ।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ଦିନିଆ ଓଡ଼ିଶା ଗସ୍ତ େଶଷ କରି ଫେରିଯିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ଶ୍ରୀ ଚୌହାନ କହିଲେ, ଓଡ଼ିଶାରେ ଏତେ ପରିମାଣରେ ଜଳ ଥାଇ ବି ମାତ୍ର ୩୧ ପ୍ରତିଶତ ଜମିକୁ ଜଳସେଚିତ କରାଯାଇଛି। ୨୦ ବର୍ଷର ଶାସକ କାଳରେ ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରିଲା ନାହିଁ। ରାଜ୍ୟ ସରକାର ଚାଷୀଙ୍କ ତାଲିକା ପ୍ରସ୍ତୁତ କରି ନ ପାରିବା କାରଣରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ସହାୟତା ରାଶି ମିଳିପାରିଲା ନାହିଁ। ନବୀନ ବାବୁଙ୍କ ଶାସନରେ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ସ୍ବଚ୍ଛ ଭାରତ ଯୋଜନାରେ କେନ୍ଦ୍ର ସରକାରଙ୍କ ଅନୁଦାନକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନ କରି ହଡ଼ପ କରୁଛନ୍ତି। ସେହିପରି ଆୟୁଷ୍ମାନ ଯୋଜନା ସାରା ଦେଶରେ ଲାଗୁ ହୋଇଥିବା ବେଳେ ନବୀନ ବାବୁ ଓଡ଼ିଶାରେ ଏହାକୁ ଲାଗୁ ନ କରି ଗରିବଙ୍କ ସ୍ବାସ୍ଥ୍ୟସେବାରେ ବାଧକ ସାଜିଛନ୍ତି।
କଂଗ୍ରେସକୁ ଟାର୍ଗେଟ୍ କରି ଶ୍ରୀ ଚୌହାନ କହିଥିଲେ, ଲୋକସଭା ନିର୍ବାଚନରେ ଦେଶର ଜନତା ବଂଶବାଦ, ପରିବାରବାଦ ଓ ଜାତିବାଦ ଦଳଗୁଡ଼ିକୁ ହଟାଇ ଦେଇଛନ୍ତି। ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଜନତା କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦେଶରେ କଂଗ୍ରେସ ଅତି ନିମ୍ନମାନର ପ୍ରଦର୍ଶନ କରି ପରାଜିତ ହେବା ପରେ ବି ଚେତା ପଶିନି। କଂଗ୍ରେସ ପରିବାରବାଦ ରାଜନୀତିରେ ବିଶ୍ବାସ କରେ। ସେଥି ପାଇଁ ପୁଣି ଥରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରାଯାଇଛି। ବିଜେପି ପରିବାର କି ବଂଶ ଆଧାରରେ ଚାଲେନି। ଏଠି ଚା ବିକାଳି ପ୍ରଧାନମନ୍ତ୍ରୀ ଓ ଖବରକାଗଜ ବିକାଳି ରାଷ୍ଟ୍ରପତି ହୋଇପାରେ।
କଶ୍ମୀର ପ୍ରସଙ୍ଗରେ ଜବାହାରଲାଲ ନେହରୁଙ୍କୁ ସମାଲୋଚନା କରି ଶ୍ରୀ ଚୌହାନ କହିଲେ, ସମ୍ବିଧାନରେ ଧାରା ୩୭୦ ଲଗାଇ ନେହରୁ ପ୍ରାରମ୍ଭରେ ଭୁଲ୍ କରିଛନ୍ତି। ତାଙ୍କ ଭୁଲ୍ ପାଇଁ ପାକ୍ ଅଧୀକୃତ କଶ୍ମୀର ଜନ୍ମ ନେଇଛି। ନେହରୁଙ୍କର ଏହା ଐତିହାସିକ ଭୁଲ୍ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସରକାର ଧାରା ୩୭୦ ଉଚ୍ଛେଦ କରି ଏବେ କଶ୍ମୀରବାସୀଙ୍କୁ ସ୍ବାଧୀନତା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ସଦସ୍ୟତା ପ୍ରଭାରୀ ଅନନ୍ତ ନାୟକ ଓ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଜବାବ ଦେଲେ କଂଗ୍ରେସ, ବିଜେଡି
ଭୁବନେଶ୍ବର : ଶିବରାଜ ସିଂହ ଚୌହାନଙ୍କ ସମାଲୋଚନାର ଜବାବ ଦେଇଛନ୍ତି କଂଗ୍ରେସ ଓ ବିଜେଡି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପଚାରୁଛି, ସେ ପରିବାରବାଦରୁ ମୁକ୍ତ ହେଲେଣି କି ? ତାଙ୍କ ପରିବାରର ମୁଖିଆ କିଏ ? ନାଗପୁର ଆର୍ଏସ୍ଏସ୍ ଅଫିସ୍। ସେମାନେ ଯେଉଁଠି ଯେମିତି ନଚେଇବେ, ଏମାନେ ସେମିତି ନାଚିବେ। ରାଜନୀତିେର ଆର୍ଏସ୍ଏସ୍ ତାଙ୍କର ପିତା। ତେଣୁ ସେ ଆଗ ପରିବାରବାଦରୁ ମୁକ୍ତ ହୁଅନ୍ତୁ। ସେହିପରି ବରିଷ୍ଠ କଂଗ୍ରେସ େନତା ସୁରେଶ ରାଉତରାୟ କହିଛନ୍ତି, ଦେଶ ପ୍ରତି ଗାନ୍ଧୀ ପରିବାର ଅବଦାନକୁ ତୁଳନା କରାଯାଇପାରିବ ନାହିଁ। ସୋନିଆ ଗାନ୍ଧୀ ପୁଣି କଂଗ୍ରେସ ଅଧ୍ୟକ୍ଷ ହେଲା ପରେ ବିଜେପି ଭୟଭୀତ ହୋଇ ଏପରି ମନ୍ତବ୍ୟ ଦେଉଛି।
ବିଜେଡି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ପଞ୍ଚଦଶ ଅର୍ଥ କମିସନ୍ ଓ ବହୁ ଅର୍ଥନୀତିଜ୍ଞ ଓଡ଼ିଶା ସରକାରଙ୍କ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି। ତେଣୁ ଏହି ଯୋଜନାକୁ ନିନ୍ଦା କରିବା ଦୁର୍ଭାଗ୍ୟଜନକ। ଶ୍ରୀ ଚୌହାନ ମଧ୍ୟପ୍ରଦେଶ ଉପରେ ଧ୍ୟାନ ନ ନେଇ କାହିଁକି ଓଡ଼ିଶା ବ୍ୟାପାରରେ ମୁଣ୍ଡ ଖେଳାଉଛନ୍ତି ? ମାତ୍ର ଅଢ଼େଇ ମାସ ତଳେ ଓଡ଼ିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ବିପୁଳ ଜନସମର୍ଥନ େଦଇ ଜିତାଇଛନ୍ତି। ତେଣୁ ନବୀନ ସରକାରଙ୍କୁ ସମାଲୋଚନା କରିବା ଅର୍ଥ ଲୋକଙ୍କ ମତକୁ ଅପମାନିତ କରିବା।